Home Education ସଂସ୍କୃତି ବିଶ୍ୱବିଦ୍ୟାଳୟରେ ସମ୍ବଲପୁର ଅବସ୍ଥା

ସଂସ୍କୃତି ବିଶ୍ୱବିଦ୍ୟାଳୟରେ ସମ୍ବଲପୁର ଅବସ୍ଥା

ଭୁବନେଶ୍ୱର : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଦୀର୍ଷବର୍ଷ ଧରି କାମ କରୁଥିବା ଜଣେ ଠିକା କର୍ମଚାରୀ ଚାକିରିରେ ନିୟମିତ ନହୋଇ ଆତ୍ମହତ୍ୟା କରିବା ଘଟଣା ରାଜଭବନରୁ ରାଜରାସ୍ତା ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ରାଜଧାନୀ ଉପକଣ୍ଠରେ ଓଡିଶା ସରକାରଙ୍କ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାୟ ସବୁ ତୃତୁୟ ଓ ଚତୁର୍ଥଶ୍ରେଣୀ ପାହ୍ୟାର କର୍ମଚାରୀ ୧୫/୨୦ବର୍ଷ ଧରି ଠିକା କର୍ମଚାରୀ ଭାବେ ଏକ ପ୍ରକାର ବେଠି ଖଟୁଛନ୍ତି ।

ଏହି ଠିକା କର୍ମଚାରୀମାନଙ୍କୁ ନିୟମିତ କରିବା ସଂକ୍ରାନ୍ତରେ ପଦକ୍ଷେପ ନେବାଲାଗି ଓଡିଶା ହାଇକୋର୍ଟ ବାରମ୍ବାର ନିର୍ଦ୍ଦେଶ ଦେଉଥିଲେ ମଧ୍ୟ ଏ ଦିଗରେ ବିଶେଷ ଧ୍ୟାନ ଦିଆଯାଉନାହିଁ । ନାମାଙ୍କନ ଠାରୁ ଆରମ୍ଭକରି ପରୀକ୍ଷା ପରିଚାଳନା, ଫଳ ପ୍ରକାଶନ ଓ ସାର୍ଟିଫିକେଟ ବଣ୍ଟନ ପର୍ଯ୍ୟନ୍ତ ସବୁ କାମ ସଂସ୍କୃତି ବିଶ୍ୱବିଦ୍ୟାଳୟର ଠିକା କର୍ମଚାରୀଙ୍କ ଦ୍ୱାରା ହେଉଛି । ଏମାନେ କାମ ବନ୍ଦ କରିଦେଲେ ବିଶ୍ୱବିଦ୍ୟାଳୟ ଅଚଳ ହୋଇପଡିବ ।

୧୯୯୯ ମସିହାରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଜନ୍ମ ନେବାପରେ ବିଭିନ୍ନ ପାହ୍ୟାରେ କେତେକ ପଦବୀ ସୃଷ୍ଟି କରିଥିଲେ । ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଏକ କମିଟି ଗଠନ କରି ତୃତୀୟ ଓ ଚତୁର୍ଥଶ୍ରେଣୀ ପାହ୍ୟା ପଦବୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରିବା ସହ ଏକ ମନୋନୟନ କମିଟି ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛି ନିଯୁକ୍ତି ଦେଇଥିଲେ । ସେତେବେଳେ ସେମାନଙ୍କୁ ଅସ୍ଥାୟୀ କର୍ମଚାରୀ ଭାବେ ରଖାଯାଇଥିଲା ।

ଇତି ମଧ୍ୟରେ ୨୦ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଯାଇଥିବାବେଳେ ଏମାନଙ୍କୁ ନିୟମିତ କରାଯାଉ ନାହିଁ । ଅଦାଲତରୁ ଆଦେଶ ଆଣିଲେ ଚାକିରିରେ ନିୟମିତ କରାଯିବ ବୋଲି ବାରମ୍ବାର କର୍ତ୍ତୃପକ୍ଷ ମୌଖିକ ଭାବେ କହୁଛନ୍ତି । ଏମିତିକି ବିଶ୍ୱବିଦ୍ୟାଳୟର ପରିଚାଳନା କମିଟି ମଧ୍ୟ ଏହି ଠିକା କର୍ମଚାରୀମାନଙ୍କୁ ନିୟମିତ କରିବା ସପକ୍ଷରେ ପ୍ରସ୍ତାବ ଗ୍ରହଣ କରିଛନ୍ତି । ତେବେ ସଂସ୍କୃତି ବିଭାଗ ବିଶ୍ୱବିଦ୍ୟାଳୟର ପ୍ରସ୍ତାବରେ ରାଜି ହେଉନାହିଁ । ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବରିଷ୍ଠ ଆଇନ୍‍ଜୀବୀମାନଙ୍କ ମତ ଲୋଡିଥିଲେ ଏବଂ ଆଇନ୍‍ ପରାମର୍ଶଦାତାମାନେ ମଧ୍ୟ ଏମାନଙ୍କୁ ନିୟମିତ କରିବା ସପକ୍ଷରେ ମତଦେଇ ଆସୁଛନ୍ତି ।

ଏହା ସତ୍ୱେ ବି ଦୀର୍ଘବର୍ଷ ଧରି ଠିକାରେ କାମ କରୁଥିବା ଏହି କର୍ମଚାରୀମାନଙ୍କୁ ନିୟମିତ କରାଯାଉନାହିଁ । ଏବେ ସେମାନଙ୍କ ମଧ୍ୟରୁ ଅନେକଙ୍କ ବୟସ ୫୦ରୁ ଅଧିକ । ନିୟମିତ ହୋଇପାରୁନଥିବାରୁ ଏମାନଙ୍କୁ ଢେର କମ୍‍ ଦରମା ମିଳୁଛି । ଏଥିରେ ପରିବାର ପ୍ରତିପୋଷଣ କରିବା କଷ୍ଟକର । ଛଅବର୍ଷ ଠିକାରେ କାମ କଲେ ନିୟମିତ ହୋଇପାରିବେ ବୋଲି ରାଜ୍ୟ ସରକାର ଆଇନ୍‍ ପ୍ରଣୟନ କରିଥିବାବେଳେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ୨୦ବର୍ଷ କାମ କରି ବି କର୍ମଚାରୀ ନିୟମିତ ହୋଇପାରୁ ନାହାନ୍ତି ।

ଏପରି ଘଟଣାରେ ମାନସିକ ଭାରସାମ୍ୟ ହରାଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଠିକା କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । ଏ ପ୍ରସଙ୍ଗରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିବାବେଳେ କୁଳପତିଙ୍କ ରିପୋର୍ଟକୁ ଅଗ୍ରାହ୍ୟ କରି କୁଳାଧିପତି ତଥା ରାଜ୍ୟପାଳ ତଦନ୍ତ ଲାଗି ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସଂସ୍କୃତି ବିଭାଗ ଆଉ କାଳ ବିଳମ୍ବ ନକରି ପିଛିଲା ତାରିଖରୁ ଏହି କର୍ମଚାରୀମାନଙ୍କୁ ନିୟମିତ କରିବାପାଇଁ ବିଭିନ୍ନ କର୍ମଚାରୀ ସଂଘ ପକ୍ଷରୁ ଦାବି ହେଉଛି । (ତଥ୍ୟ)