Home General ସଂଗ୍ରାମୀଙ୍କ ଉପରେ ଭ୍ରାମ୍ୟମାଣ ପ୍ରଦର୍ଶନୀ

ସଂଗ୍ରାମୀଙ୍କ ଉପରେ ଭ୍ରାମ୍ୟମାଣ ପ୍ରଦର୍ଶନୀ

ଭୁବନେଶ୍ୱର : ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ସ୍ୱାଧୀନତା ସଂଗ୍ରାମୀ ଓ ମୁକ୍ତି ଆନ୍ଦୋଳନରେ ବିଶେଷ ଘଟଣାଗୁଡ଼ିକୁ ନେଇ ବିଶେଷ ପ୍ରଦର୍ଶନୀ ଆୟୋଜନ ସହ ସମଗ୍ର ରାଜ୍ୟରେ ଭ୍ରାମ୍ୟମାଣ ମୁ୍ୟଜିୟମ୍‌ର ଆୟୋଜନ କରିବ ।

ଆଜି ରାଜ୍ୟ ସଂଗ୍ରହାଳୟର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଆଜାଦି କା ଅମୃତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ଏ ସଂପର୍କରେ ଘୋଷଣା କରିଛନ୍ତି । ଶ୍ରୀ ଦଳାଇ ଏହି ଅବସରରେ ସ୍ୱାଧୀନତାର ବିଭିନ୍ନ ସ୍ମରଣୀୟ ଘଟଣାଗୁଡ଼ିକ ସଂପର୍କରେ ଆଲୋକପାତ କରିଥିଲେ ।

ପ୍ରାକ୍‌ ସ୍ୱାଧୀନତା କାଳରେ ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତ ସ୍ଥାନୀୟ ନେତୃମଣ୍ଡଳୀଙ୍କୁ ଅଧିକ ମାତ୍ରାରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବା ପାଇଁ ପ୍ରେରିତ କରିଥିଲା ବୋଲି ସେ କହିଥିଲେ । ସଂପ୍ରତି ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଗାନ୍ଧୀବାଦୀ ପ୍ରହ୍ଲାଦ କୁମାର ସିଂହ ଗାନ୍ଧୀଜୀଙ୍କ ୮ ଥର ଓଡ଼ିଶା ଆଗମନ ଓ ତାଙ୍କ ନେତୃତ୍ୱରେ ଆୟୋଜିତ ସଭାସମିତି, ପଦଯାତ୍ରା କାର୍ଯ୍ୟକ୍ରମର ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଗାନ୍ଧୀଜୀ ଓଡ଼ିଶାର ବ୍ୟାପକ ଅଞ୍ଚଳ ବୁଲି ଦେଖିବା ସହ ପ୍ରତ୍ୟକ୍ଷ ଭାବେ ଓଡ଼ିଶା ସଂପର୍କରେ ଅବଗତ ହୋଇଥିଲେ ।

ଏଠିକାର ପାଣିପବନ, ଲୋକଙ୍କ ଜୀବନଶୈଳୀ, ଅର୍ଥନୀତି, ଗ୍ରାମ୍ୟଜୀବନ ପ୍ରଭୃତି ତାଙ୍କୁ ବହୁଳ ଭାବେ ପ୍ରଭାବିତ କରିଥିଲା ବୋଲି ସେ କହିଥିଲେ । ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ସଂଗ୍ରହାଳୟ ଦ୍ୱାରା ପ୍ରସ୍ତାବିତ ରୋଡ୍‌ ମୁ୍ୟଜିୟମ୍‌ ସ୍ୱାଧୀନତା ସଂଗ୍ରାମ ଉପରେ ଲୋକଙ୍କୁ ଅନେକ ତଥ୍ୟ ପ୍ରଦାନ କରିପାରିବ ବୋଲି କହିଥିଲେ । ସେ ମଧ୍ୟ ଏହାକୁ ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ରାଜ୍ୟ ସଂଗ୍ରହାଳୟରେ ଏକ ସ୍ୱତନ୍ତ୍ର ଫଟୋ ପ୍ରଦର୍ଶନୀର ଆୟୋଜନ ସହିତ ଦେଶାତ୍ମବୋଧକ ସଂଗୀତର ସିଡିକୁ ଶାସନ ସଚିବ ଉନ୍ମୋଚନ କରିଥିଲେ । ଏହି ସଂଗୀତଗୁଡ଼ିକ ସଂଗ୍ରହାଳୟର ସମସ୍ତ ଗ୍ୟାଲେରୀରେ ଏକ ମାସ ବ୍ୟାପୀ ପରିବେଷଣ କରାଯିବାର ବନ୍ଦୋବସ୍ତ କରାଯିବ ।

ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ୍‌ ଯୋଗେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ୟୁଟୁ୍ୟବ୍‌, ଫେସ୍‌ବୁକ୍‌ ଏବଂ ହ୍ୱାଟସ୍‌ ଆପ୍‌ ମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂଗ୍ରହାଧ୍ୟକ୍ଷା ସୁଚିସ୍ମିତା ମନ୍ତ୍ରୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସଂଗ୍ରହାଧ୍ୟକ୍ଷା ଡ. ଭାରତୀ ପାଲ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।