Home General ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଗୃହ ମୁଲତବି

ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଗୃହ ମୁଲତବି

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହରେ ଉଦ୍‍ବେଗ ପ୍ରକାଶ କରିବା ସହିତ ଗୃହ କମିଟି ଗଠନ କିମ୍ବା ମନ୍ତ୍ରୀ ଉତ୍ତର ରଖିବାପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ଏହି ପ୍ରସଙ୍ଗରେ ବିଜେପି ସଦସ୍ୟମାନେ ଗୃହ ମଧ୍ୟ ଭାଗରେ ଆସି ହଟଗୋଳ କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଳତବି ଘୋଷଣା କରିଛନ୍ତି ।

ଆଜି ଶୂନ୍ୟକାଳରେ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଜଗନ୍ନାଥ ମନ୍ଦିର ଏବେ ବିପଦରେ । ମନ୍ଦିର ଚାରିପଟେ ବିକାଶ କାର୍ଯ୍ୟ ଚାଲିଛି । ଏଥିପାଇଁ ଆମେ ସମସ୍ତେ ଘରଦ୍ୱାର ଛାଡିଛୁ । ଟାଟା କମ୍ପାନୀ ଏବେ ଜେସିବି ଲଗାଇ ମନ୍ଦିର ଚାରିପଟେ ବଡ ବଡ ଗାତ ଖେଳିବାରୁ ମନ୍ଦିରରେ ଫାଟ ଦେଖାଦେଲାଣି ।

ଯେତେ ଅଭିଯୋଗ କଲେ ବି ପ୍ରଶାସନ ଶୁଣୁନାହିଁ । ବିଭିନ୍ନ ସଂଗଠନ ଏହି ପ୍ରସଙ୍ଗରେ ରାସ୍ତାରେ ଧାରଣା ଦେଲେଣି । ମନ୍ଦିର ପ୍ରତି ବିପଦ ଆସିଲେ ସରକାର ଦାୟୀ ରହିବେ । ବିକାଶ କାର୍ଯ୍ୟକୁ ଆମେ ବିରୋଧ କରୁନୁ । ହେଲେ ମନ୍ଦିର ସୁରକ୍ଷା ଜରୁରୀ । ତେଣୁ ଆପଣ ଟିମ୍‍ ପଠାଇ ସ୍ଥିତି ଅନୁଧ୍ୟାନ କରନ୍ତୁ ବୋଲି ଶ୍ରୀ ଷଡଙ୍ଗୀ ବାଚସ୍ପତିଙ୍କୁ କହିଥିଲେ ।
ବିଜେପି ବିଧାୟକଦଳର ମୁଖ୍ୟ ସେଚେତକ ମୋହନ ମାଝି ଓ ବିଜେପି ସଦସ୍ୟ ଭାଷ୍କର ମଢେଇ ମଧ୍ୟ ଅନୁରୂପ ଦାବି କରିଥିଲେ । କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ କିମ୍ବା ବିଭାଗୀୟ ମନ୍ତ୍ରୀ ବିବୃତ୍ତି ଦେବାପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ ।

ଶ୍ରୀ ମିଶ୍ର କହିଥିଲେ ଯେ ପୁରୀ ଘଟଣାରେ ପୂର୍ବରୁ ଗୃହରେ ଉଦ୍‍ବେଗ ପ୍ରକାଶ ପାଇଛି । କେବଳ ଓଡିଶାବାସୀ ନୁହନ୍ତି ସମଗ୍ର ବିଶ୍ୱବାସୀ ପୁରୀ ଶ୍ରୀମନ୍ଦିର ସଂକ୍ରାନ୍ତରେ ଅବଗତ । ବର୍ତ୍ତମାନ ଏଏସ୍‍ଆଇର ବିନାନୁମତିରେ କାର୍ଯ୍ୟ ଚାଲିଥିବା କୁହାଯାଉଛି । ଏହା ସତ୍ୟ ହୋଇଥିଲେ ସାଂଘାତିକ । ବିକାଶ କାର୍ଯ୍ୟକୁ ସମସ୍ତେ ସମର୍ଥନ କରୁଛନ୍ତି । କିନ୍ତୁ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେଲେ ଭୟଙ୍କର ସ୍ଥିତି ଉପୁଜିବ । ତେଣୁ ବାଚସ୍ପତି ଏ ସଂକ୍ରାନ୍ତରେ ଏକ ଗୃହ କମିଟି ଗଠନ କରନ୍ତୁ ।

କମିଟି ସ୍ଥିତି ଅନୁଧ୍ୟାନ କରି ତାହାର ରିପୋର୍ଟ ଦେଉ । ଚଳିତ ଅଧିବେଶନରେ ନହେଲେ ବି ଆଗାମୀ ଅଧିବେଶନ ଆରମ୍ଭରେ କମିଟି ରିପୋର୍ଟ ଦେଉ । ବିଭାଗୀୟ ମନ୍ତ୍ରୀଙ୍କୁ ଏହା ଉପରେ ଉତ୍ତର ଦେବାପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ । ମନ୍ତ୍ରୀ ଉତ୍ତର ଦେଲେ ଲୋକଙ୍କ ମନରେ ଥିବା ସନ୍ଦେହ ଦୂର ହୋଇଯିବ ।

ଶ୍ରୀ ମିଶ୍ର ଏହା କହିବା ସହିତ ବାଚସ୍ପିଙ୍କ ଠାରୁ ରୁଲିଂ ଦାବି କରି ନିଜ ଆସନରେ ଛିଡାହୋଇ ରହିଥିଲେ । ତେବେ ବାଚସ୍ପତି ଏ ପ୍ରସଙ୍ଗରେ ମତ ରଖିବେବୋଲି କହିଥିଲେ । ବାଚସ୍ପତିଙ୍କ ରୁଲିଂ ଦାବିରେ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗରେ ଆସି ହଟଗୋଳ କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ।