Home Administration ଶ୍ରୀମନ୍ଦିର ସମ୍ପତ୍ତି ପରିଚାଳନା ଅଧ୍ୟାଦେଶ ଜାରି

ଶ୍ରୀମନ୍ଦିର ସମ୍ପତ୍ତି ପରିଚାଳନା ଅଧ୍ୟାଦେଶ ଜାରି

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ମନ୍ଦିର ନାମରେ ଥିବା ଜମିଜମା ପରିଚାଳନା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅଧ୍ୟାଦେଶ ଜାରି କରିଛନ୍ତି । ଏହା ଫଳରେ ଶ୍ରୀମନ୍ଦିରର ଭୂସମ୍ପତ୍ତିକୁ ଲିଜ୍‍ ଦେବା କିମ୍ବା ବିକ୍ରି କି ବନ୍ଧକ ଦେବା କ୍ଷେତ୍ରରେ ପ୍ରତିବନ୍ଧକ ହଟିଯିବ । ଏ ସଂକ୍ରାନ୍ତରେ ପୂର୍ବରୁ ରାଜ୍ୟ କ୍ୟାବିନେଟ୍‍ରେ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ତାହାକୁ ସାକାର କରିବାପାଇଁ ଅଧ୍ୟାଦେଶ ଜାରି କରାଯାଇଛି ।

ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍‍ର ୧୬(୨) ଧାରାରେ ପୂର୍ବରୁ ଯେଉଁ ବ୍ୟବସ୍ଥା ଥିଲା ସେଥିରେ ଶ୍ରୀମନ୍ଦିରର ଅସ୍ଥାବର ସମ୍ପତ୍ତିର ବିକ୍ରି, ବନ୍ଧକ ଓ ଲିଜ୍‍ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅନୁମୋଦନ ନେବାକୁ ପଡୁଥିଲା । ଏହି ଆଇନ୍‍ ବ୍ୟବସ୍ଥାର ସଂଶୋଧନ କରାଯାଇ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଏଥିଲାଗି କ୍ଷମତାପ୍ରାପ୍ତ କରାଯାଇଛି । ତେବେ ଏଥିଲାଗି ଅଫିସର ସ୍ତରୀୟ କମିଟି ଗଠନ କରାଯିବ । କ୍ୟାବିନେଟ୍‍ର ନିଷ୍ପତ୍ତି ଉପର ମୋହର ବସାଇ ରାଜ୍ୟପାଳ ଅଧ୍ୟାଦେଶରେ ଦସ୍ତଖତ ଦେଇଛନ୍ତି ଏବଂ ଏ ସଂକ୍ରାନ୍ତରେ ସରକାରୀ ଗେଜେଟି ପ୍ରକାଶ ପାଇଛି । ତେବେ ସାମ୍ବିଧାନିକ ବ୍ୟବସ୍ଥାନୁଯାୟୀ ଏହି ଅଧ୍ୟାଦେଶ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିଲେ ମଧ୍ୟ ରାଜ୍ୟ ବିଧାନସଭାର ଏଥିପ୍ରତି ସୀମିତ ସମୟ ମଧ୍ୟରେ ଅନୁମୋଦନ ଆବଶ୍ୟକ ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ ଶ୍ରୀମନ୍ଦିର ଜମିରେ ଯେଉଁମାନେ ଦୀର୍ଘବର୍ଷ ଧରି ବସବାସ କରିଆସୁଛନ୍ତି ସେମାନଙ୍କ ନାମରେ ଜମି ପଟ୍ଟା ହୋଇପାରୁନାହିଁ । ଏମିତିକି କେତେକ କ୍ଷେତ୍ରରେ ଭୂସମ୍ପତ୍ତିର ବିକ୍ରି, ବନ୍ଧକ ଓ ଲିଜ୍‍ ଆଦି ଆବଶ୍ୟକ ପଡିବାବେଳେ ସରକାରଙ୍କ ଅନୁମତି ବିନା ତାହା ହୋଇପାରୁନଥିଲା । ସଂଶୋଧିତ ଆଇନ୍‍ଗତ ବ୍ୟବସ୍ଥା ମୁତାବକ ଶ୍ରୀମନ୍ଦିରର ଜମିଜମା ସଂକ୍ରାନ୍ତରେ ଏଣିକି ଆଉ ଲୋକେ ସରକାରଙ୍କ ନିକଟରେ ଆବଦନ ନକରି ଶ୍ରୀମନ୍ଦିର ପରିଚାଳନା କମିଟି, ମନ୍ଦିର ପ୍ରଶାସନ ଓ ଜିଲ୍‍ଲାପାଳଙ୍କ ପାଖରେ ଆବେଦନ କରିବେ । ଏ ସଂକ୍ରାନ୍ତରେ କୌଣସି ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ସବୁ ନିଷ୍ପତ୍ତି ନେବାକୁ କ୍ଷମତା ଦିଆଯିବ ନାହିଁ । ବିଭିନ୍ନ ସ୍ତରରେ ଥିବା ଭିନ୍ନ ଭିନ୍ନ ଅଧିକାରୀମାନେ ଏହି ଦାୟିତ୍ୱରେ ରହିବେ ।

ବିଶେଷକରି ଯେଉଁମାନେ ପୁରୁଷ ପୁରୁଷ ଧରି ଶ୍ରୀମନ୍ଦିର ଜମିରେ ବସବାସ କରିଆସୁଛନ୍ତି ସେମାନେ ଏଣିକି ନୂଆ ବ୍ୟବସ୍ଥା ମୁତାବକ ଆବଶ୍ୟକ ଦେୟ ପଇଠ କରି ନିଜ ନାମରେ ଏହି ଜମି ପଞ୍ଜିକରଣ କରାଇ ପାରିବେ । ଏହି ଜମିରୁ ଶ୍ରୀମନ୍ଦିର ପ୍ରଶାସନ ଗୋଟିଏ ପଟେ କିଛି ଅର୍ଥ ପାଉନଥିବାବେଳେ ଅନ୍ୟ ପଟେ ଭୋଗଦଖଲରେ ରଖିଥିବା ଲୋକେ ବି ତାହା ଅନ୍ୟ କାହାକୁ ବିକ୍ରି କି ବନ୍ଧା ଦେଇପାରୁନଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟର ୨୪ଟି ଜିଲ୍ଲାରେ ଶ୍ରୀମନ୍ଦିର ପ୍ରଶାସନର ପ୍ରାୟ ୬୦,୪୨୬ ଏକର ଏବଂ ରାଜ୍ୟ ବାହାରେ ପାଖପାଖି ୪୦୦ ଏକର ଭୂସମ୍ପତ୍ତି ରହିଛି । ଏଥି ମଧ୍ୟରୁ ୨୦ହଜାର ଏକରରୁ ଉର୍ଦ୍ଧ୍ୱ ସମ୍ପତ୍ତିର ସଂଶୋଧିତ ସତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାଖରେ ନାହିଁ । ଇତି ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଜମିଜମା ସଂକ୍ରାନ୍ତୀୟ ବିସ୍ତୃତ ତଥ୍ୟ ପ୍ରଦାନ ପାଇଁ ଆଇନ୍‍ ବିଭାଗ କହିଛି । ଏହି ତଥ୍ୟ ଆଧାରରେ ସଂଶୋଧିତ ଆଇନ୍‍ର କାର୍ଯ୍ୟକାରିତା ପାଇଁ ଚଳିତମାସ ୧୮ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି । (ତଥ୍ୟ)