Home Culture ଶ୍ରୀମନ୍ଦିର ପାଇଁ କର୍ପସ ପାଣ୍ଠି

ଶ୍ରୀମନ୍ଦିର ପାଇଁ କର୍ପସ ପାଣ୍ଠି

ଭୁବନେଶ୍ୱର : ଯେଉଁମାନେ ଅଯୋଧ୍ୟାରେ ଶ୍ରୀରାମମନ୍ଦିର ନିର୍ମାଣ ଲାଗି ୨୧୦୦ କୋଟି ଟଙ୍କାର ଦାନ ପାଣ୍ଠି ଯୋଗାଡ କରିବାରେ ସମର୍ଥ ହେଲେ ସେମାନେ ସାମାନ୍ୟ ଉଦ୍ୟମ କଲେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଲାଗି ୫୦୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଢିପାରିବେ । କିନ୍ତୁ ଏଥିଲାଗି ରାଜନୈତିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ପ୍ରସଙ୍ଗରେ ବେଶ୍‍ କିଛିଦିନ ଧରି ରାଜନୈତିକ ବାଦ ପ୍ରତିବାଦ ଲାଗି ରହିଛି । ତାହା ସତ୍ୱେ ବି ମେଘନାଦ ପାଚେରୀର ଚାରିକଡକୁ ସଫା କରି ପ୍ରଶସ୍ତ ସ୍ଥାନ ବାହାର କରାଯିବା ସଂଗେ ସଂଗେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅବ୍ୟାହତ ରହିଛି । ଏ ପ୍ରସଙ୍ଗରେ ଅତ୍ୟଧିକ ଆଗ୍ରହ ପ୍ରକାଶ କରି କେନ୍ଦ୍ର ସରକାରଙ୍କ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍‍ଏମ୍‍ଏ) ଯେଉଁ ପଦକ୍ଷେପ ନେବାକୁ ଯାଉଥିଲା ତାହା ବିରୁଦ୍ଧରେ ପ୍ରବଳ ଜନମତ ଦଳମତ ନିର୍ବିଶେଷରେ ପ୍ରକାଶ ପାଇବାରୁ କେନ୍ଦ୍ର ସରକାର ବାଧ୍ୟହୋଇ ସେହି ପ୍ରସ୍ତାବକୁ ପ୍ରତ୍ୟାହାର କରିନେଇଛନ୍ତି ।

ଇତି ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିବେଦନକ୍ରମେ କେତେକ ଭକ୍ତ ଶ୍ରୀମନ୍ଦିର ପାଇଁ ବିପୁଳ ପରିମାଣର ସୁନା ଓ ରୂପା ଦାନ କରିଛନ୍ତି । ଏହାଛଡା କରୋନା କଟକଣା ସତ୍ୱେ ହୁଣ୍ଡିରେ ବି ଅର୍ଥ ପଡିବାରେ ଲାଗିଛି । ଶ୍ରୀଜଗନ୍ନାଥ ସଂସ୍କୃତି ଓଡିଆ ବିଶେଷକରି ସନାତନି ଓ ଭାରତବର୍ଷର ଅନ୍ୟତମ ପ୍ରାଣକେନ୍ଦ୍ର ହୋଇଥିବାରୁ ଦେଶ ବିଦେଶରେ ଥିବା ଶ୍ରଦ୍ଧାଳୁମାନେ ଏହି ପୂଣ୍ୟକାର୍ଯ୍ୟ ଲାଗି ଦାନ ଦେବାପାଇଁ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି । ଇତି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିଲାଗି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ଗଠନ କରିବାପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ।

ପୁରୀ ସମେତ ଦେଶର ବିଭିନ୍ନ ଅଞ୍ଚଳରୁ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ଶ୍ରୀରାମ ମନ୍ଦିର ପାଇଁ ପ୍ରାୟ ୨୧୦୦କୋଟି ଟଙ୍କାର ଦାନ ରାଶି ସଂଗୃହୀତ ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଯଦି ଅଯୋଧ୍ୟାରେ ମନ୍ଦିର ପାଇଁ ଏତେ ପରିମାଣର ଅର୍ଥ ସଂଗ୍ରହ କରାଯାଇପାରିଲା ତେବେ ଦେଶର ଚାରିଧାମ ମଧ୍ୟରୁ ପ୍ରମୁଖ ତୀର୍ଥ ଧାମ ଭାବେ ସ୍ୱୀକୃତି ଲାଭ କରିଥିବା ପୁରୀଧାମର ଶ୍ରୀମନ୍ଦିର ପାଇଁ ୫ହଜାର କୋଟି ଟଙ୍କାର ଦାନ କର୍ପସ ପାଣ୍ଠିକୁ ସଂଗ୍ରହ କରାଯାଇପାରିବ ବୋଲି ବୁଦ୍ଧିଜୀବୀ ତଥା ଜଗନ୍ନାଥପ୍ରେମୀମାନେ ଆଶାବ୍ୟକ୍ତ କରୁଛନ୍ତି । ଏଥିଲାଗି ଶ୍ରୀରାମ ମନ୍ଦିର ପାଇଁ ଯେଉଁମାନେ ଦାନ ଦେଇଛନ୍ତି ଓ ଅନ୍ୟ ଯେଉଁମାନେ ଏହି ଦାନ ସଂଗ୍ରହ କାର୍ଯ୍ୟରେ ସାମିଲ ଥିଲେ ସେମାନଙ୍କ ସକ୍ରିୟ ସହଯୋଗ ଲୋଡା ।

ଶ୍ରୀମନ୍ଦିରର ୬୦,୪୧୦ ଏକରରୁ ଅଧିକ ଭୂସମ୍ପତ୍ତି ରାଜ୍ୟ ଭିତରେ ଓ ୩୯୫ଏକରରୁ ଅଧିକ ଭୂସମ୍ପତ୍ତି ରାଜ୍ୟ ବାହାରେ ଥିବାବେଳେ ଏଥିରୁ ମନ୍ଦିର ପାଇଁ ଆଶାନୁରୂପ ଆୟ ମିଳିପାରୁନାହିଁ । ଏଥିରୁ ଅନେକ ଜମି ଜବରଦଖଲକାରୀଙ୍କ କବଜାରେ ଅଛି । ଏହାର ପୁନରୁଦ୍ଧାର ଲାଗି ମଧ୍ୟ ଦଳମତ ନିର୍ବିଶେଷରେ ମତପ୍ରକାଶ ପାଉଛି । ସେହିପରି ୧୯୭୮ ମସିହା ପରଠାରୁ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାରର ମୂଲ୍ୟବାନ ସାମଗ୍ରୀ ଗୁଡିକର ଆଉ ପୂର୍ଣ୍ଣାଙ୍ଗ ସୁମାରି ହୋଇନାହିଁ । ଏହାର ମଧ୍ୟ ନିୟମିତ ବ୍ୟବଧାନରେ ସୁମାରି କରାଯିବା ଏବଂ ଶ୍ରୀମନ୍ଦିର ପ୍ରଶାସନ ଓ କାର୍ଯ୍ୟକ୍ରମଗୁଡିକୁ ସୁଶୃଙ୍ଖଳ ଓ ବ୍ୟବସ୍ଥିତ କରାଯିବା ଉପରେ ମଧ୍ୟ ଭକ୍ତମହଲ ଗୁରୁତ୍ୱଆରୋପ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here