Home General ଶ୍ରମ କାର୍ଡ ପାଇଁ ରାତି ଅନିଦ୍ରା

ଶ୍ରମ କାର୍ଡ ପାଇଁ ରାତି ଅନିଦ୍ରା

ଭୁବନେଶ୍ୱର : କେନ୍ଦ୍ର ସରକାର ଇ-ଶ୍ରମ ପୋର୍ଟାଲରେ ଶ୍ରମିକ କାର୍ଡ ତିଆରି ପାଇଁ ଏବେ ଗାଁ ଗହଳରେ ଲୋକେ ରାତି ଅନିଦ୍ରା ହେଉଛନ୍ତି । ଦିନବେଳା ଧିମା ଇଣ୍ଟରନେଟ୍‍ ସାଙ୍ଗକୁ ପୋର୍ଟାଲ ଖୋଲୁନଥିବାରୁ ଲୋକେ ଏବେ ରାତି ଅଧରେ ବସି କାର୍ଡ ତିଆରି କରୁଛନ୍ତି ।

ଏହି କାର୍ଡ ତିଆରି କଲେ ଆକାଉଣ୍ଟକୁ ଟଙ୍କା ଆସିବ ବୋଲି ଗାଁ ଗହଳରେ ପ୍ରଚାର ହୋଇଯିବା ପରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଭେଣ୍ଡିଆଙ୍କ ଠାରୁ ବୁଢା ଏପରିକି ଗୃହିଣୀମାନେ ମଧ୍ୟ ନିଜ ନାମକୁ ଇ-ଶ୍ରମ କାର୍ଡରେ ପଞ୍ଜିକୃତ କରାଇବାରେ ଲାଗିଛନ୍ତି । ଜନସେବା କେନ୍ଦ୍ର ଓ ଡିଜିଟାଲ ଇଣ୍ଡିଆ କେନ୍ଦ୍ର ଆଗରେ ରାତି ଅଧରୁ ଧାଡି ଲାଗୁଥିବାବେଳେ ରାତି ଅନିଦ୍ରା ହୋଇ କାର୍ଡ ତିଆରି ଚାଲିଛି ।

ଏହି କାର୍ଡ ତିଆରି ପାଇଁ ଆଧାର ନମ୍ବର ସହିତ ସମ୍ପକ୍ତ ବ୍ୟକ୍ତିଙ୍କର ମୋବାଇଲ୍‍ ନମ୍ବରଟି ଆଧାର ନମ୍ବର ସହିତ ସଂଯୁକ୍ତ ଥିବା ଜରୁରୀ । ତେଣୁ ଏବେ ନିଜ ନିଜ ଆଧାରକାର୍ଡ ସହିତ କିଭଳି ମୋବାଇଲ୍‍ ନମ୍ବରକୁ ଯୋଡିବେ ସେଥିପାଇଁ ବି ଲୋକେ ରାତି ଉଜାଗର ହେଉଛନ୍ତି । ଏପରିକି ନିଜ ନିଜ ଆଧାରକାର୍ଡ ସହିତ ମୋବାଇଲ୍‍କୁ ସମ୍ପୃକ୍ତ କେନ୍ଦ୍ରରେ ଧାଡିରେ ରଖି ଲୋକେ ଜଗି ରହୁଛନ୍ତି ।

ତେବେ ଏଭଳି ଗହଳିରୁ ଗାଁ ଗହଳରେ ଥିବା କମ୍ପ୍ୟୁଟର କେନ୍ଦ୍ର ଗୁଡିକ ଲାଭ ଉଠାଇବାରେ ଲାଗିଛନ୍ତି । ବିଶେଷକରି କମ୍ପ୍ୟୁଟର କେନ୍ଦ୍ର ଖୋଲିଥିବା ଲୋକେ କାର୍ଡ ପିଛା ୧୦୦ରୁ ୧୫୦ ଟଙ୍କା କରି ଆଦାୟ କରୁଛନ୍ତି । ସେହିଭଳି ଆଧାର ନମ୍ବର ସହିତ ମୋବାଇଲ୍‍ ନମ୍ବର ସଂଯୁକ୍ତ ପାଇଁ ୫୦ରୁ ୧୦୦ ଟଙ୍କା କରି ଆଦାୟ ହେଉଛି । ଅବସ୍ଥା ଏଭଳି ହୋଇଛି ଯେ ଲୋକେ ଆଗୁଆ ଅର୍ଥ ଧରାଇ ଦେଉଛନ୍ତି ।

ତେବେ ଏହି ଶ୍ରମିକ କାର୍ଡ ତିଆରି କଲେ କି କି ଲାଭ କାହାକୁ ମିଳିବ ସେ ସଂକ୍ରାନ୍ତରେ ଅଧିକାଂଶ ଅଜ୍ଞ । ଗାଁ ଗହଳରେ କେବଳ ଗୋଟିଏ ପ୍ରଚାର ଚାଲିଛି ଯେ ଯେଉଁମାନେ ପଞ୍ଜିକୃତ ହୋଇ କାର୍ଡ ହାସଲ କରିବେ ଆଗାମୀ ଦିନରେ ସେମାନଙ୍କ ନିକଟକୁ ପଇସା ଆସିବ । ଯେହେତୁ ଆଗକୁ ନିର୍ବାଚନ ଋତୁ ଆସୁଛି ତେଣୁ ଲୋକେ ଏହାକୁ ସହଜରେ ବିଶ୍ୱାସ କରି ଯାଉଛନ୍ତି । ତେଣୁ କଲେଜ ପଢୁଆ ପିଲାଙ୍କ ସମେତ ପରିଣତ ବୟସରେ ଉପନୀତ ହୋଇଥିବା ବୃଦ୍ଧ ବି ପଞ୍ଜିକରଣ ପାଇଁ ବ୍ୟସ୍ତ ।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଦେଶରେ ଥିବା ଅସଂଗଠିତ କ୍ଷେତ୍ରର ଶ୍ରମିକ ମାନଙ୍କର ଏକ ଡାଟାବେସ୍‍ ପ୍ରସ୍ତୁତ ପାଇଁ ଏହି ପଞ୍ଜିକରଣ ଆରମ୍ଭ କରିଛନ୍ତି । ଏଥିରେ ଆଧାର ସଂଯୋଗ ହେଉଥିବାରୁ ଆଗାମୀ ଦିନରେ ଲୋକଙ୍କ ନିକଟରେ କେନ୍ଦ୍ର ସରକାର ପ୍ରଣୟନ କରୁଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାମାନ ସହଜରେ ପହଞ୍ଚପାରିବ ।

ସରକାରୀ ଯୋଜନା କେବେ ପହଞ୍ଚିବ ଜଣାନଥିଲେ ମଧ୍ୟ ଲୋକେ ଏବେ ହାତରୁ ପଇସା ଖର୍ଚ୍ଚକରି ଯେଭଳି ରାତି ଅନିଦ୍ରା ହୋଇ କାର୍ଡ ତିଆରି କରୁଛନ୍ତି ସେଥିରୁ ଲୋକେ ସରକାରୀ ଯୋଜନାରୁ ଲାଭ ଉଠାଇବା ପାଇଁ କେତେ ବ୍ୟଗ୍ର ତାହା ଜଳ ଜଳ ହୋଇ ଦିଶୁଛି । ତେବେ ଏହି କାର୍ଡରୁ ଲୋକେ କିଭଳି ଓ କେବେ ଲାଭ ପାଉଛନ୍ତି ତାହା ଆଗାମୀ ଦିନରେ ହିଁ ଜଣାପଡିବ । (ତଥ୍ୟ)