Home Administration ଶ୍ରମ ଅଧିକାରୀ ପଦବୀ ଖାଲି

ଶ୍ରମ ଅଧିକାରୀ ପଦବୀ ଖାଲି

ଭୁବନେଶ୍ୱର : ରାଜ୍ୟ ଶ୍ରମ ବିଭାଗରେ ଶହ ଶହ ପଦବୀ ଖାଲି ପଡିଛି । ବିଶେଷକରି କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଥିବା ସହକାରୀ ଶ୍ରମ ଅଧିକାରୀ ପଦବୀରେ ପ୍ରାୟ ୮୦ ପ୍ରତିଶତ ପଦବୀ ଫାଙ୍କା ।

ରାଜ୍ୟରେ ଶ୍ରମିକଙ୍କ ସ୍ୱାର୍ଥର ସୁରକ୍ଷା ଠାରୁ ଆରମ୍ଭ କରି ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଶ୍ରମ ଅଧିକାରୀଙ୍କର ପ୍ରମୁଖ କାର୍ଯ୍ୟ । ଜିଲ୍ଲା ସ୍ତରରେ ସାଧାରଣତଃ ସହକାରୀ ଶ୍ରମ ଅଧିକାରୀମାନେ ଏହି କାର୍ଯ୍ୟର ମଙ୍ଗ ଧରିଥାନ୍ତି । ତେବେ ଏହି କ୍ୟାଡରରେ ଥିବା ୪୧୩ଟି ପଦବୀ ମଧ୍ୟରୁ ୩୨୬ଟି ଖାଲି ପଡିଛି । ରାଜ୍ୟରେ ମାତ୍ର ୮୭ଜଣ ସହକାରୀ ଶ୍ରମ ଅଧିକାରୀ କ୍ଷେତ୍ର ସମ୍ଭାଳି ଛନ୍ତି ।

କେବଳ ସହକାରୀ ଶ୍ରମ ଅଧିକାରୀ ପଦବୀ ନୁହେଁ, ଉପ ଶ୍ରମ କମିଶନର କ୍ୟାଡରରେ ଥିବା ୪୫ଟି ପଦବୀ ମଧ୍ୟରୁ ୨୮ଟି ଖାଲି ପଡିଥିବାବେଳେ ଜିଲ୍ଲା ଶ୍ରମ ଅଧିକାରୀ କ୍ୟାଡରରେ ଥିବା ୬୩ଟି ପଦବୀରୁ ୪୦ଟି ଖାଲି ପଡିଛି । ତେବେ ଯୁଗ୍ମ ଶ୍ରମ କମିଶନର ପଦବୀରେ ୧୦ଟି ପଦବୀ ଥିବାବେଳେ ଏଥିରେ ୯ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି ।

କ୍ଷେତ୍ର ସ୍ତରରେ ଶ୍ରମ ଅଧିକାରୀମାନେ ନଥିବାରୁ ଏହାଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେଉଛି ଏନଫୋର୍ସମେଣ୍ଟ କାର୍ଯ୍ୟ । ବିଶେଷକରି ଶିଶୁ ଶ୍ରମ ବ୍ୟବସ୍ଥାକୁ ରୋକିବାପାଇଁ ଜିଲ୍ଲା ସ୍ତରରେ ଟାସ୍କଫୋର୍ସ ଥିବାବେଳେ ଶ୍ରମ ଅଧିକାରୀ ନଥିବାରୁ ତାହା ବହୁ ସ୍ଥାନରେ ସଠିକ ଭାବେ କାର୍ଯ୍ୟ କରି ପାରୁନାହିଁ । କ୍ଷେତ୍ର ସ୍ତରରେ ଶ୍ରମ ଅଧିକାରୀ ନଥିବାରୁ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଶିଶୁଶ୍ରମିକମାନଙ୍କୁ ଉଦ୍ଧାର ସହିତ ସେମାନଙ୍କୁ ଯେଭଳି ଭାବେ ଥଇଥାନ କରାଯିବା କଥା ତାହା ବି ହୋଇପାରୁ ନଥିବା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି ।

ସେହିଭଳି ସହକାରୀ ଶ୍ରମ ଅଧିକାରୀଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଶ୍ରମ ଅଧିକାରୀଙ୍କ ପଦବୀ ଫାଙ୍କା ଯୋଗୁଁ ଶିଳ୍ପ ସଂସ୍ଥାଗୁଡିକର ଯେଭଳି ତଦାରଖ କରାଯିବା କଥା ତାହା ବି ହୋଇପାରୁ ନାହିଁ । ରାଜ୍ୟର ଶତାଧିକ ଶିଳ୍ପସଂସ୍ଥାରେ ଲକ୍ଷ ଲକ୍ଷ ଶ୍ରମିକ କାର୍ଯ୍ୟ କରୁଥିବାବେଳେ ସେମାନଙ୍କ କାର୍ଯ୍ୟ ଓ ପାଉଣାର ତଦାରଖ କରିବା ହେଉଛି ଶ୍ରମ ବିଭାଗର ।

ସେହିଭଳି ରାଜ୍ୟରେ ଦାଦନ ସମସ୍ୟା ଲାଗି ରହିଥିବାବେଳେ ଏହାକୁ ରୋକିବା ସହିତ ଦାଦନ ଶ୍ରମିକଙ୍କ ସ୍ୱାର୍ଥର ସୁରକ୍ଷାର ଦାୟିତ୍ୱ ମଧ୍ୟ ଶ୍ରମ ବିଭାଗର । ବିଶେଷକରି ଦାଦନ ଶ୍ରମିକ ପଞ୍ଜିକରଣ ସହିତ ବିଭିନ୍ନ ରାଜ୍ୟରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଶ୍ରମ ଅଧିକାରୀମାନେ କରିଥାନ୍ତି । ହେଲେ ରାଜ୍ୟରେ ଶତାଧିକ ଶ୍ରମ ଅଧିକାରୀ ପଦବୀ ଖାଲି ପଡିଥିବାରୁ ଦାଦନ ଶ୍ରମିକଙ୍କ ପ୍ରତି ଯେଭଳି ଦୃଷ୍ଟି ଦିଆଯିବାକଥା ତାହା ହୋଇପାରୁ ନାହିଁ ବୋଲି ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି ।

କେବଳ ଶ୍ରମିକ କିମ୍ବା ପାଉଣା ନୁହେଁ, ଶ୍ରମ ଅଧିକାରୀଙ୍କ ସଙ୍କଟ ଯୋଗୁଁ ଶହ ଶହ ଶ୍ରମ ମାମଲା ମଧ୍ୟ ଫଏସଲା ନହୋଇ ଗଡୁଛି । ଏ ସଂକ୍ରାନ୍ତୀୟ ମାମଲା ପରିଚାଳନା ସହିତ ତଥ୍ୟ ପ୍ରଦାନ କରିବାର ଦାୟିତ୍ୱ ହେଉଛି ଶ୍ରମ ଅଧିକାରୀମାନଙ୍କର । ହେଲେ କ୍ଷେତ୍ରରେ ସ୍ତରରେ ଆବଶ୍ୟକ ସଂଖ୍ୟକ ଶ୍ରମ ଅଧିକାରୀ ନଥିବାରୁ ବହୁ ମାମଲା ବିଚାର ବିଳମ୍ବିତ ହେବାରେ ଲାଗିଛି । (ତଥ୍ୟ)