Home General ଶ୍ରମିକମାନେ ଅର୍ଥନୀତି ଏବଂ ପ୍ରଗତିର ମେରୁଦଣ୍ଡ

ଶ୍ରମିକମାନେ ଅର୍ଥନୀତି ଏବଂ ପ୍ରଗତିର ମେରୁଦଣ୍ଡ

ଭୁବନେଶ୍ୱର : ଶ୍ରମିକମାନେ ଦେଶର ଅର୍ଥନୀତି ଏବଂ ପ୍ରଗତିର ମେରୁଦଣ୍ଡ । ରାଜ୍ୟ ତଥା ଦେଶର ଶିଳ୍ପାୟନ ତଥା ସାମଗ୍ରିକ ବିକାଶ କ୍ଷେତ୍ରରେ ଶ୍ରମିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶ୍ରମିକମାନଙ୍କ ସାମଗ୍ରିକ ଉନ୍ନତି ପ୍ରତ୍ୟେକଙ୍କ ନୈତିକ ଦାୟିତ୍ୱ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ତଥା ହିନ୍ଦ୍ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ହିନ୍ଦ୍ ମଜଦୁର ସଭା ଆନୁକୂଲ୍ୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ଅବସରରେ ଆୟୋଜିତ ୱେବିନାରରେ ଯୋଗଦେଇ ଶ୍ରୀ ସ୍ୱାଇଁ କହିଲେ ଯେ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଗତ ଏକବର୍ଷରୁ ଉର୍ଦ୍ଧ୍ୱ ହେବ ଆମେ ସମସ୍ତେ ଏକ ଅସ୍ୱାଭାବିକ ପରିସ୍ଥିତି ଦେଇ ଗତି କରୁଛୁ । ଏଥିରେ ପ୍ରାୟ ସମସ୍ତେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶ୍ରମିକ ଓ ବିଶେଷ କରି ଅଣ-ସଂଗଠିତ କ୍ଷେତ୍ରର ଶ୍ରମିକମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ।

ତଥାପି ମହାମାରୀର ମୁକାବିଲା କରିବା ପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଶ୍ରମିକମାନେ ଦିନରାତି ଏକାକାର କରିଦେଇଛନ୍ତି । ଏପରି କ୍ଷେତ୍ରରେ ଶ୍ରମିକମାନଙ୍କ କଲ୍ୟାଣ ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରମିକ ମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ତଥା ଉନ୍ନତିମୂଳକ ଯୋଜନା ସମ୍ବନ୍ଧରେ ଆଲୋଚନା କରିବା ସହ ଏହା ସମଗ୍ର ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ ।

ଏଥି ସହିତ ଶ୍ରମିକମାନଙ୍କ ପାଇଁ ଥିବା ଶ୍ରମ ଆଇନକୁ କଡାକଡି ଭାବେ ପାଳନ କରାଯିବା ନିମନ୍ତେ ପଦକ୍ଷେପ ନେବା ଆବଶ୍ୟକ ବୋଲି ଶ୍ରୀ ସ୍ୱାଇଁ ମତ ପ୍ରକାଶ କରିଥିଲେ । ଏହି ଅବସରରେ କୋଭିଡ-୧୯ ମହାମାରୀ ସମୟରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ପ୍ରତି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗଭୀର ଶ୍ରଦ୍ଧାଞ୍ଜଳି ମଧ୍ୟ ଜ୍ଞାପନ କରିଥିଳେ ।

ୱେବିନାରରେ ଯୋଗଦେଇ ରାଜ୍ୟସଭା ସାଂସଦ ଶ୍ରୀ ସୁବାସ ସିଂହ କହିଲେ ଯେ ଶ୍ରମିକମାନଙ୍କର ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ଅଧିକ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ ହେବା ଦରକାର । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଓ ସୁରକ୍ଷା ବ୍ୟବସ୍ଥାରେ ଶ୍ରମିକ ମାନଙ୍କ ନିମନ୍ତେ ଘର, ଶ୍ରମ ଉପକରଣ, ସାଇକେଲ ସହ ଉପକରଣ, ପିଲାମାନଙ୍କ ପାଇଁ ଛାତ୍ରବୃତି ଆଦି ଉଲ୍ଲେଖନୀୟ ସହାୟତା ଫଳରେ ଶ୍ରମିକମାନଙ୍କ ଜୀବନ ଶୈଳୀରେ ନିଶ୍ଚିତ ଭାବେ ଉନ୍ନତି ଆଣିପାରିଛି ।

ଅନ୍ୟମାନଙ୍କ ମଧ୍ୟରେ ସୁଦୂର ବାହାରିନରୁ ଯୋଗଦେଇଥିବା ଡକ୍ଟର ଅରୁଣ କୁମାର ପ୍ରହରାଜ ମହାମାରୀ ସମୟରେ ପ୍ରବାସୀ ଓଡିଆମାନଙ୍କ ପାଇଁ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇଥିଲେ । କରୋନାର ପ୍ରଥମ ଲହର ସମୟରେ ବାହାରିନରୁ କିଭଳି ଓଡିଆମାନଙ୍କୁ ସିଧାସଳଖ ଓଡିଶା ପଠାଯାଇଥିଲା ଓ ଏଥିରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କିଭଳି ସହଯୋଗ କରିଥିଲେ ତାହା ବଖାଣିଥିଲେ । ଏଥି ସହିତ ପ୍ରବାସୀ ଓଡିଆଙ୍କ ଡାଟାବେସ୍‍ ପ୍ରସ୍ତୁତି, ପ୍ରତ୍ୟେକ ଦେଶରେ ଓଡିଆମାନଙ୍କ କଥା ବୁଝିବାପାଇଁ ପ୍ରତିନିଧି ନିଯୁକ୍ତ ସହିତ ସ୍ୱତନ୍ତ୍ର ମନ୍ତ୍ରାଣାଳୟ ଖୋଲିବାକୁ ସେ ପ୍ରସ୍ତାବ ଦେଇଥିଲେ ।

ୱେବିନାରରେ ଅନ୍ୟମାନଙ୍କ ମଧ୍ୟରେ ଆଇନ୍‍ଜୀବୀ ବିକାଶ ମହାପାତ୍ର, ଶ୍ରମିକ ନେତା ଦିବ୍ୟସିଂହ ନାୟକ, ରକ୍ଷାକର ଅନୁପମ, ବ୍ୟାଙ୍କ କର୍ମଚାରୀ ସଂଘ ନେତା ଅମିତ କୁମାର ମୋଟାଏଡ଼, ବରିଷ୍ଠ ବ୍ୟାଙ୍କ୍‍ ଅଧିକାରୀ ସତ୍ୟ ଭୂଷଣ ରାଉତ ଏବଂ ବରିଷ୍ଠ ସାମ୍ବାଦିକ ତଥା କୃଷକ ସଂଗଠନ ସହ ଜଡିତ ଅଶୋକ କୁମାର ବରାଳ ଆଦି ପ୍ରମୁଖ ବକ୍ତା ଭାଗନେଇ ଅଣ-ସଂଗଠିତ କ୍ଷେତ୍ର ତଥା କୃଷି ଶ୍ରମିକମାନଙ୍କ ସୁରକ୍ଷା ନିମନ୍ତେ ଅଧିକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକ ଓ ବିଭିନ୍ନ ଦିଗ ସଂପର୍କରେ ବିଧାନସଭାରେ ଆଲୋଚନା ହେଉବୋଲି ମତ ପ୍ରକାଶ କରିଥିଲେ । ଏହି ୱେବିନାରକୁ ହିମାଂଶୁ ପ୍ରସାଦ ସିଂହ ପରିଚାଳନା କରିଥିବା ବେଳେ ଇପ୍ସିତା ସାମନ୍ତରାଏ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ ।