Home Administration ଶୀତ ଅଧିବେଶନ ପାଇଁ କରୋନା ପରୀକ୍ଷା

ଶୀତ ଅଧିବେଶନ ପାଇଁ କରୋନା ପରୀକ୍ଷା

ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭାର ସମସ୍ତ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ପୁଲିସ୍‍ ଅଧିକାରୀମାନଙ୍କର କରୋନା ପରୀକ୍ଷା ହେବ । ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ ତରଫରୁ ଆଗାମୀ ୧୭, ୧୮ ଓ ୧୯ ତାରିଖରେ ବିଧାନସଭା ପରିସରରେ ଆରଟିପିସିଆର ପରୀକ୍ଷା କରଯିବ ।

ବ୍ୟବସ୍ଥିତ ଢଙ୍ଗରେ ଏହି ପରୀକ୍ଷା କରିବାପାଇଁ ଏବଂ ବିଧାନସଭାର ସଭ୍ୟ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଅଲଗା ଅଲଗା କ୍ୟାବିନ୍‍ ବ୍ୟବସ୍ଥା କରାଯିବ । ଆସେମ୍ଲି ହଲ୍‍ ଏବଂ ତତ୍‍ ସଂଲଗ୍ନ ପରିସରକୁ ବିଧାନସଭା ଅଧିବେଶନ ପୂର୍ବରୁ ଏବଂ ପ୍ରତିଦିନ ସାନିଟାଇଜ କରାଯିବ ।

ବିଧାନସଭା ଅଧିବେଶନ କାଳରେ ଯଦି କୌଣସି ବିଧାୟକ କିମ୍ବା କର୍ମଚାରୀଙ୍କର କରୋନା ଲକ୍ଷଣ ପ୍ରକାଶ ପାଏ ତେବେ ତାଙ୍କର ଆଣ୍ଟିଜେନ୍‍ ଟେଷ୍ଟ କରାଯିବ । ବିଧାନସଭା ଅଧିବେଶନ କାଳରେ ଯେଉଁ ସରକାରୀ ପଦାଧିକାରୀ ବିଧାନସଭାରେ ପ୍ରବେଶ କରିବେ ସେମାନଙ୍କର ମଧ୍ୟ ପୂର୍ବରୁ ଆରଟିପିସିଆର ଟେଷ୍ଟ କରାଯିବ ।

ସମସ୍ତ ବିଧାୟକ, ସମ୍ପୃକ୍ତ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରୋନା ପ୍ରତିଷେଧକ କିଟ୍‍ ପ୍ରଦାନ କରାଯିବ । କରୋନା ପ୍ରତିଷେଧକ ସମ୍ପର୍କିତ ସମସ୍ତ ଗାଇଡ୍‍ଲାଇନ୍‍କୁ ଶତ ପ୍ରତିଶତ ପାଳନ କରିବାକୁ ମଧ୍ୟ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ବିଏମ୍‍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।