Home Covid ଶୀଘ୍ର ଖୋଲିବ ପ୍ଲାଜମା ସଂଗ୍ରହ କେନ୍ଦ୍ର

ଶୀଘ୍ର ଖୋଲିବ ପ୍ଲାଜମା ସଂଗ୍ରହ କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ପ୍ଲାଜମା ଚାହିବା ବୃଦ୍ଧି ପାଉଥିବାରୁ ୬ଟି ପ୍ଲାଜମା ବ୍ୟାଙ୍କ୍‍କୁ ପୁନଃ ଚାଲୁ କରିବା ସହିତ କରୋନାମୁକ୍ତ ଲୋକଙ୍କ ଠାରୁ ପ୍ଲାଜମା ସଂଗ୍ରହ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଏବେ ମାତ୍ର ୭୫୦ ପ୍ଳାଜମା ମହଜୁଦ ରହିଛି ।

ଏଥି ମଧ୍ୟରୁ କଟକରେ ୩୪୧, ଭୁବନେଶ୍ୱରରେ ୧୧୨, ବ୍ରହ୍ମପୁରରେ ୭୯, କୋରାପୁଟରେ ୧୪୧, ବୁର୍ଲାରେ ୪୬ ଓ ରାଉରକେଲାରେ ୩୧ଟି ମହଜୁଦ ଅଛି । ପ୍ଲାଜମା ଚାହିଦା ବୃଦ୍ଧି ପାଉଥିବାରୁ ପୁଲିସ ଡିଜି ଓ ଅଗ୍ନିଶମ ଡିଜିଙ୍କୁ ପ୍ଲାଜମା ଦାତାଙ୍କ ଠାରୁ ଏହା ସଂଗ୍ରହ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ଗତବର୍ଷ ଭଳି ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ସମନ୍ୱୟ ରକ୍ଷାକରି ପ୍ଲାଜମାଦାନ ପାଇଁ ଆହ୍ୱାନ କରିବେ । ବହୁ ସଂଖ୍ୟାରେ ଲୋକେ ଯେଭଳି ପ୍ଲାଜମା ଦାନ କରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।

ଅକ୍ସିଜେନ୍‍ ସହାୟତା ସଂକ୍ରାନ୍ତରେ ଜଣାଯାଇଛି ଯେ ଅକ୍ସିଜେନ୍‍ ସିଲିଣ୍ଡର ମହଜୁଦକୁ ଦୃଷ୍ଟିରେ ରଖି ଶଯ୍ୟା ସଂଖ୍ୟା ଚୂଡାନ୍ତ ନେଇ ପୁଲମୋନରୀ ମେଡିସିନ୍‍ ବିଭାଗୀୟ ମୁଖ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ବୈଷୟିକ କମିଟି ନିଷ୍ପତ୍ତି ନେବ । ଏସ୍‍ସିବି ମେଡିକାଲ କଲେଜ ହସ୍ପିଟାଲରେ ୩୨,୮୭୬ ଶଯ୍ୟା ଥିବାବେଳେ ଏଥିରୁ ୧୬,୦୭୭ଟି ସାଧାରଣ ଏବଂ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଏବଂ ୧୬,୭୯୯ ଟି ସିସିସି ଶଯ୍ୟା ରହିଛି ।

ତେବେ ସଦ୍ୟ ଜାରି ହୋଇଥିବା ଏସ୍‍ଓପି ଅନୁଯାୟୀ ଠିକଣା ସମୟରେ ସିଲିଣ୍ଡର ଭର୍ତ୍ତି ନିଶ୍ଚିତ କରିବାକୁ ଦୃଢଭାବେ କୁହାଯାଇଛି । ରାଜ୍ୟରେ ଏବେ ଦୈନିକ ୪୨,୧୦ ମେଟ୍ରିକ ଟନ୍‍ ଅକ୍ସିଜେନ୍‍ ବ୍ୟବହାର ହେଉଥିବାବେଳେ ଉତ୍ପାଦନ କ୍ଷମତା ରହିଛି ୧୨୯.୬୮ ମେଟ୍ରିକ ଟନ୍‍ । ବର୍ତ୍ତମାନ ରାଜ୍ୟରେ ୩୭୫ ଟନ୍‍ ତରଳ ଡାକ୍ତରୀ ଅକ୍ସିଜେନ୍‍ ମହଜୁଦ ଥିବା ଜଣାଯାଇଛି । ଚିକିତ୍ସା ଆବଶ୍ୟକତା ମେଣ୍ଟାଇବାପାଇଁ ବରାଦ ମୁତାବକ ଅକ୍ସିଜେନ୍‍ ଉତ୍ପାଦନ ହୋଇଥାଏ ।

ଜରୁରୀ ଔଷଧ ମଧ୍ୟରେ ସରକାରଙ୍କ ନିକଟରେ ଏବେ ୧୦୦ ମିଲିଗ୍ରାମ ବିଶିଷ୍ଟ ୪୪,୧୫୧ ଭାଏଲ ରାମଡେସିଭିର ଇଞ୍ଜେକସନ ଥିବାବେଳେ ଦୈନିକ ୧୫୦୦ ଭାଏଲ ଖର୍ଚ୍ଚ ହେଉଛି । ଆଉ ୩ଲକ୍ଷ ଭାଏଲ ରାମଡେସିଭିର ଓ ୨୦୦ଏମ୍‍ଜିର ୬,୦୩,୩୦୨ ଫାବିପିରାଭର ବଟିକା ପାଇଁ ଟେଣ୍ଡର ଜାରି ହୋଇଛି । ଏବେ ଦୈନିକ ୪୫୦୦ ରୁ ୫୦୦୦ ବଟିକା ଆବଶ୍ୟକ ହେଉଛି । ଏଥି ସହିତ ଡାକ୍ତରଖାନାରେ ବ୍ୟବହାର ଲାଗି ଅତିରିକ୍ତଭାବେ ଆଉ ୨୦ଲକ୍ଷ ଫାବିପିରାଭର ବଟିକା, ଗ୍ଲୋବସ ଆଦି ପାଇଁ ଟେଣ୍ଡର ହୋଇଥିବାର ସୂଚନା ମିଳିଛି । (ତଥ୍ୟ)