Home General ଶିଶୁ ସୁରକ୍ଷା କମିଶନରେ ସଦସ୍ୟ ସଙ୍କଟ

ଶିଶୁ ସୁରକ୍ଷା କମିଶନରେ ସଦସ୍ୟ ସଙ୍କଟ

ଭୁବନେଶ୍ୱର : ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନରେ ଏବେ ସଦସ୍ୟ ସଙ୍କଟ । ଏଠାରେ କମିଶନଙ୍କ ସହିତ ଆଉ ୫ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଥିବାବେଳେ ଅଛନ୍ତି ମାତ୍ର ଜଣେ ସଦସ୍ୟ । ସମଗ୍ର ରାଜ୍ୟର ଶିଶୁଙ୍କ ସୁରକ୍ଷା ଉପରେ ଜଣେ କମିଶନ ଓ ଜଣେ ସଦସ୍ୟ ନଜର ରଖିଥିବାବେଳେ କମିଶନଙ୍କ କାର୍ଯ୍ୟକାଳ ସରିଥିବାରୁ ତାଙ୍କୁ ବି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେହି ପଦରେ ରଖାଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ୪୩ହଜାରରୁ ଅଧିକ ପିଲା ମାଟ୍ରିକ ପରୀକ୍ଷା ଦେଇନଥିବା ଓ ନବମ ଶ୍ରେଣୀ ପରୀକ୍ଷାରେ ୧୩ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଉଦ୍‍ବେଗ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପତ୍ର ଲେଖଛନ୍ତି । ଅଧାରୁ ପାଠ ଛାଡୁଥିବା ଏହି ଛୋଟ ପିଲାଙ୍କ ମଧ୍ୟରେ ଥିବା କେତେକ ଝିଅ ବି ବାହା ହୋଇଯାଇଥିବା ଖବର ପ୍ରକାଶିତ ହେବାରେ ଲାଗିଛି । ଏହା ଏବେ ରାଜ୍ୟ ଶିଶୁ ସୁରକ୍ଷା କମିଶନଙ୍କ ପାଇଁ ବଡ ଆହ୍ୱାନ ହୋଇଛି ।

ଏହାକୁ ପ୍ରତିହତ କରିବାରେ ଶିଶୁ ସୁରକ୍ଷା ଆୟୋଗଙ୍କର ବଡ ଭୂମିକା ଥିବାବେଳେ ସେଠାରେ ଏବେ ସଦସ୍ୟଙ୍କ ଅଭାବ ବଡ ସମସ୍ୟା ସୃଷ୍ଟି କରିଛି । ଏହି ସାମ୍ବିଧାନିକ ସଂସ୍ଥାରେ କମିଶନଙ୍କ ସହିତ ୫ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଥିବାବେଳେ ଅଛନ୍ତି ମୋଟ୍‍ ୨ଜଣ । ଜଣେ ଅଧ୍ୟକ୍ଷ ଓ ଆଉ ଜଣେ ସଦସ୍ୟ ।

ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିନରେ ଥିବା ଏହି ସଂସ୍ଥାରେ ଦୀର୍ଘ ଦିନ ହେଲା ସଦସ୍ୟ ନିଯୁକ୍ତ କରାଯାଉ ନାହିଁ । ଏପରିକି ନୂତନ କମିଶନ ମଧ୍ୟ ନିଯୁକ୍ତ ହେଉ ନାହାନ୍ତି । ବର୍ତ୍ତମାନର କମିଶନଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରଖାଯାଇଛି ।

କମିଶନରେ ଥିବା ବିଧି ବ୍ୟବସ୍ଥା ଅନୁଯାୟୀ ଯଦି କୌଣସି ଠାରୁ ଅସୁରକ୍ଷିତ ଶିଶୁଙ୍କ ଖବର ଆସିବ କିମ୍ବା ଗଣମାଧ୍ୟମରେ ସମ୍ବାଦ ପ୍ରକାଶିତ ହେବ ତେବେ କମିଶନ ନିଜ ଆଡୁ ଏହାର ତଦନ୍ତ କରି ପଦେକ୍ଷପ ନେବେ । ଏପରିକି କମିଶନ କିମ୍ବା ତାଙ୍କର ସଦସ୍ୟ ବିଭିନ୍ନ ସ୍ଥାନକୁ ଯାଇ କ୍ଷେତ୍ର ଉପରେ ଘଟଣାର ତଦନ୍ତ କରିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇପାରିବେ । ଶିଶୁଙ୍କ ସୁରକ୍ଷା ପାଇଁ କମିଶନ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭକରି ପୁଲିସ୍‍ ମୁଖ୍ୟଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିର୍ଦ୍ଦେଶ ଦେବାର କ୍ଷମତା ରହିଛି ।

ହେଲେ ଏହି କମିଶନରେ ସଦସ୍ୟ ନିଯୁକ୍ତ ହେଉନଥିବାରୁ ଏହା ଏବେ ଏକ ପ୍ରକାର ପଙ୍ଗୁ ପାଲଟିଲାଣି । କମିଶନ କିଛି ବଡ ବଡ ଅଘଟଣ ମାମଲାରେ କ୍ଷେତ୍ର ସ୍ତରକୁ ଯାଇ ନିଜେ ତଦନ୍ତ କରୁଥିବାବେଳେ ସବୁଠାରୁ ଯିବା ସମ୍ଭବପର ହୋଇପାରୁ ନାହିଁ । କରୋନା ସମୟରେ ରାଜ୍ୟରେ ଏକାଧିକ ଶିଶୁ ପିତାମାତାଙ୍କୁ ହରାଇ ଅସହାୟ ହୋଇ ପଡିଥିବାବେଳେ ଅନେକ ବି ଅଧାରୁ ପାଠପଢା ଛାଡି ଦାଦନ ପଳାଇଛନ୍ତି ।

ଏଥି ସହିତ ରାଜ୍ୟରେ ଶିଶୁ ଶ୍ରମିକ ସମସ୍ୟା ଠାରୁ ଆରମ୍ଭକରି ମଧ୍ୟାହ୍ନଭୋଜନରେ ବିଭ୍ରାଟ ଭଳି ଅଭିଯୋଗ ବି କମିଶନଙ୍କ ନିକଟକୁ ଆସୁଛି । ତେଣୁ ଏଭଳି ସ୍ଥିତିରେ ସରକାର କାଳ ବିଳମ୍ବ ନକରି କମିଶନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାପାଇଁ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷ ଓ ସଂଗଠନମାନେ ମତ ଦେଉଛନ୍ତି । (ତଥ୍ୟ)