Home General ଶିଶୁ ଶୋଷଣର ମୂଳୋତ୍ପାଟନ ପାଇଁ ମିଳିତ ଉଦ୍ୟମ ଲୋଡ଼ା

ଶିଶୁ ଶୋଷଣର ମୂଳୋତ୍ପାଟନ ପାଇଁ ମିଳିତ ଉଦ୍ୟମ ଲୋଡ଼ା

ଭୁବନେଶ୍ୱର : ଶିଶୁଙ୍କୁ ଯୌନ ଶୋଷଣ ଓ ନିର୍ଯାତନା ଏକ ସ୍ପର୍ଶକାତର ଏବଂ ଜଘନ୍ୟ ଅପରାଧ। ଏହା ଆମର ସାମାଜିକ ବାତାବରଣକୁ କଳୁଷିତ କରୁଛି। ଗଣମାଧ୍ୟମ, ଅଦାଲତ, ପୁଲିସ ପ୍ରଶାସନ ଓ ନାଗରିକ ସମାଜର ମିଳିତ ସହଯୋଗରେ ଏହାର ମୂଳୋତ୍ପାଟନ ସମ୍ଭବ ବୋଲି ଏଠାରେ ଆୟୋଜିତ ଏକ କର୍ମଶାଳାରେ ମତପ୍ରକାଶ ପାଇଛି।

ପିପୁଲ୍ସ କଲଚରାଲ ସେଣ୍ଟର(ପିକକ) ପକ୍ଷରୁ ଆୟୋଜିତ ଶିଶୁ ଯୌନ ନିର୍ଯାତନା ଓ ଶୋଷଣର ନିରାକରଣ ସମ୍ବନ୍ଧୀୟ ଗଣମାଧ୍ୟମ କର୍ମଶାଳାରେ ଯୋଗଦେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଥିଲେ ଯେ ଯୌନ ଶୋଷଣ ନିହାତି ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ଏ ସଂକ୍ରାନ୍ତ ଖବର ପରିବେଷଣ ସମୟରେ ଶିଶୁର ପରିଚୟ ଯେପରି ପ୍ରଘଟ ନହେବ ଏବଂ ପକ୍ସୋ ନିୟମାମଳିକୁ ଯେପରି ଠିକଣା ଭାବେ ପାଳନ କରାଯିବ ସେ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଅଧିକାଂଶ କ୍ଷେତ୍ରରେ ପୀଡ଼ିତ ଓ ଅଭିଯୁକ୍ତଙ୍କୁ ଗୋଟିଏ ଗାଡ଼ିରେ ନିଆଯାଉଛି, ପୁଲିସ ସିଭିଲ ପୋଷାକରେ ରହୁନାହିଁ-ଏଭଳି ଅଭିଯୋଗ ହେଉଥିବାରୁ ଏହାର ସତ୍ୟତା ଗଣମାଧ୍ୟମ ପଦାକୁ ଆଣିବା ଆବଶ୍ୟକ। ୨୦୧୨ର ପ୍ନକ୍ସୋ ଆଇନ ଠିକଣା ଭାବେ କାର୍ଯ୍ୟକାରୀ ହେବା ଦରକାର । ବୟାନ ରେକର୍ଡ଼ିଂ ସମୟରେ ପୀଡ଼ିତଙ୍କୁ ଉତ୍ତମ ବାତାବରଣ ଯୋଗାଇଦେବା ଦରକାର । ପୀଡ଼ିତ କ୍ଷତିପୂରଣ ପାଉଛନ୍ତି କି ନା ସେ ଖବର ମଧ୍ୟ ଗଣମାଧ୍ୟମ ଲୋକଲୋଚନକୁ ଆଣିବା ଦରକାର। ଯୌନ ଶୋଷଣ ରୋକିବା ଓ ଶିଶୁଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଗଣମାଧ୍ୟମ , ପୁଲିସ ,ଅଦାଲତ, ନାଗରିକ ସମାଜ ମିଳିତ ଉଦ୍ୟମ କରିବା ଆବଶ୍ୟକ।

ପିକକର ସମ୍ପାଦକ ତଥା ଏନଏସିଜି ଇଭାକର ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ତଥ୍ୟ ରଖି କହିଥିଲେ ଯେ ଶିଶୁଙ୍କୁ ଯୌନ ଶୋଷଣ ସଂକ୍ରାନ୍ତୀୟ ବହୁ ଘଟଣା ପଞ୍ଜିକୃତ ହେଉନାହିଁ । ଜାତୀୟସ୍ତରର ସର୍ବେକ୍ଷଣ ତଥ୍ୟ ଅନୁସାରେ ଅଧିକାଂଶ ଯୌନ ନିର୍ଯାତନା ମାମଲାରେ ଶିଶୁଙ୍କ ଆତ୍ମୀୟ, ତଥା ନିକଟ ସମ୍ପର୍କୀୟଙ୍କ ସମ୍ପୃକ୍ତି ରହୁଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ୨୦୨୦ ତଥ୍ୟ ଅନୁସାରେ ପକ୍ସୋ ଆଇନରେ ୨୦୧୮ ଓ ୨୦୧୯ ମଧ୍ୟରେ ପଞ୍ଜୀକରଣ ହାର ୪.୫% ବୃଦ୍ଧି ପାଇଛି ା ବିଶେଷ କରି କରୋନା ସମୟରେ ଅନଲାଇନ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବାରୁ ଏହି ସମୟରେ ହିଁ ଶିଶୁ ଯୌନ ଶୋଷଣ ମାତ୍ରା ବଢ଼ିଛି। ଏହାର ନିରାକରଣ ଦିଗରେ ମିଳିତ ପ୍ରୟାସ ଆବଶ୍ୟକ ବୋଲି ସେ ମତ ରଖିଥିଲେ।

ପ୍ରେସ କାଉନସିଲର ସଦସ୍ୟ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଥିଲେ ଯେ ଶିଶୁ ଯୌନଶୋଷଣ ଏକ ଜଘନ୍ୟ ଅପରାଧ ଏବଂ ଏହାକୁ ରୋକିବା କ୍ଷେତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ ଭୂମିକା ରହିଛି। ଶିଶୁ ଯୌନ ଶୋଷଣ ଖବର ପ୍ରସାରଣବେଳେ ସାମ୍ବାଦିକ କି ପ୍ରକାର ସତର୍କତା ଅଲମ୍ବନ କରିବା ଦରକାର ସେ ବିଷୟରେ ତଥ୍ୟ ରଖିଥିଲେ। ବିଶେଷ କରି ଅଭିଯୁକ୍ତଙ୍କ ଦଣ୍ଡବିଧାନ ଖବର ଭଲ ଭାବେ ପରିବେଷଣ ଦ୍ୱାରା ଅନ୍ୟମାନେ ଏଭଳି ଆଚରଣର ପୁନରାବୃତ୍ତି କରିବାକୁ ସାହସ କରିବେ ନାହିଁ।

ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଗଣମାଧ୍ୟମ ପ୍ରତିନିଧିମାନେ ଖବର ପରିବେଷଣ ସମୟରେ ଏନସିପିସିଆର ନିୟମାବଳି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପିକକର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ଶିଶୁ ଯୌନ ଶୋଷଣର ପ୍ରତିକାର ଦିଗରେ କି ପ୍ରକାର ନିୟମାବଳି ରହିଛି ଓ ତାହା କେତେଦୂର ପାଳନ କରାଯାଉଛି ସେ ପ୍ରସଙ୍ଗର ଅବତାରଣା କରିଥିଲେ।

ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ସଦସ୍ୟ ହରିହର ନାୟକ ପକ୍ସୋ ଆଇନର ବିଭିନ୍ନ ଧାରା, ଦଣ୍ଡବିଧାନ ବ୍ୟବସ୍ଥା , ଏହାର କାର୍ଯ୍ୟକାରିତା ମାମଲା ପଞ୍ଜୀକରଣ ଓ ଫଇସଲା ହାର ଭିତରେ ଥିବା ତାରତମ୍ୟ ବିଷୟରେ ତଥ୍ୟ ରଖିଥିଲେ। ଖୋର୍ଦ୍ଧା ଜିଲାର ବହୁ ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ଧର୍ମାନନ୍ଦ ସୁନ୍ଦରାୟ, ଅଳ୍ପନା ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କର୍ମଶାଳା ଏନ୍ଏସିଜି-ଇଭିଏସ୍ସି ଇଣ୍ଡିଆ ଏବଂ ୱାର୍ଲଡ ଭିଜନ ଇଣ୍ଡିଆ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।