Home General ନିଖୋଜ ଶିଶୁଙ୍କ ପାଇଁ ଖୋଲୁ ସ୍ୱତନ୍ତ୍ର ସଂସ୍ଥା

ନିଖୋଜ ଶିଶୁଙ୍କ ପାଇଁ ଖୋଲୁ ସ୍ୱତନ୍ତ୍ର ସଂସ୍ଥା


ଭୁବନେଶ୍ୱର : ନିଖୋଜ ଶିଶୁ ଓ ମହିଳାଙ୍କୁ ଖୋଜି ଉଦ୍ଧାର କରିବା ଏବଂ ଶିଶୁ ଓ ମହିଳାଙ୍କ ପ୍ରତି ଘଟୁଥିବା ମାମଲାଗୁଡ଼ିକର ସ୍ୱତନ୍ତ୍ର ତଦନ୍ତ ଲାଗି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିନରେ ସ୍ୱତନ୍ତ୍ର ସଂସ୍ଥା ଗଠନ ପାଇଁ ପୂର୍ବତନ ପୁଲିସ ଡିଜି ଗୋପାଳ ଚନ୍ଦ୍ର ନନ୍ଦ ମତବ୍ୟକ୍ତ କରିଛନ୍ତି । କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଏହି ସମସ୍ୟା ଦିନକୁ ଦିନ ଗୁରୁତର ହେଉଥିବାରୁ ଜଙ୍ଗଲ ଓ ଅବକାରୀ ବିଭାଗ ଆଦିରେ ଯେମିତି ସ୍ୱତନ୍ତ୍ର ପୁଲିସ ରହିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ଅନୁରୂପ ବ୍ୟବସ୍ଥା ଲାଗି ସେ ମତବ୍ୟକ୍ତ କରିଛନ୍ତି

ରାଜ୍ୟରେ ଯେତେ ଅପରାଧ ଘଟୁଛି ସେ ସବୁର ନିୟନ୍ତ୍ରଣ, ତଦନ୍ତ ଓ ମାମଲା ପରିଚାଳନା ସୀମିତ ସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ନେଇ କରିବା ସମ୍ଭବପର ହେଉନାହିଁ । ଏହି ସମସ୍ୟାକୁ ଆଖିଆଗରେ ରଖି ଆଇନ୍‍ ଶୃଙ୍ଖଳା ରକ୍ଷା, ବିଶିଷ୍ଟ ବ୍ୟକ୍ତିଙ୍କ ନିରାପତ୍ତା ଓ ଅପରାଧ ନିୟନ୍ତ୍ରଣ ତଥା ମାମଲାର ତଦନ୍ତ ଓ ପରିଚାଳନା ବ୍ୟବସ୍ଥାକୁ ପ୍ରତି ଥାନାରେ ପୃଥକ କରିବା ଉପରେ ଶ୍ରୀ ନନ୍ଦ ଗୁରୁତ୍ୱାରୋପ କରିବା ସଙ୍ଗେ ସଙ୍ଗେ ପ୍ରଥମ ପର୍ଯ୍ୟାୟରେ ତଳୁ ଉପର ପର୍ଯ୍ୟନ୍ତ ଖାଲିଥିବା ସମସ୍ତ ପୁଲିସ ପଦବୀ ପୂରଣ କରିବା ଏବଂ ଜନସାଧାରଣ ତଥା ରାଷ୍ଟ୍ରର ହିତ ଦୃଷ୍ଟିରୁ ଅପରାଧ ଓ ମାମଲା ସଂଖ୍ୟାକୁ ଆଖି ଆଗରେ ରଖି ବିଭିନ୍ନ ପାହ୍ୟାରେ ପୁଲିସର ସଂଖ୍ୟା ବୃଦ୍ଧି ଏବଂ ପେଶାଦାରୀ ଦକ୍ଷତାର ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ଓଡ଼ିଶାରେ ବର୍ଷକୁ ବର୍ଷ ନିଖୋଜ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଘେନି ଏକ ଘରୋଇ ଟେଲିଭିଜନ୍‍ ଚ୍ୟାନେଲ୍‍ରେ ନିଜ ବକ୍ତବ୍ୟ ରଖି ଶ୍ରୀ ନନ୍ଦ କହିଛନ୍ତି ଯେ ଅବକାରୀ ଓ ଜଙ୍ଗଲ ବିଭାଗର କାର୍ଯ୍ୟ ପରିଚାଳନା ପାଇଁ ଯଥାକ୍ରମେ ଅବକାରୀ ପୁଲିସ ଓ ଜଙ୍ଗଲ ବିଭାଗର ସ୍ୱତନ୍ତ୍ର ସଂସ୍ଥା ରହିଛି । ଏମାନେ ପୁଲିସଙ୍କ ଭଳି ସ୍ୱତନ୍ତ୍ର କ୍ଷମତା ପାଇଛନ୍ତି । ଚୋରା ନିଶା କାରବାରଠାରୁ ଆରମ୍ଭ କରି ଜଙ୍ଗଲ ଆଇନ୍‍ ଉଲ୍ଲଙ୍ଘନ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଅପରାଧୀଙ୍କୁ ଧରିବା ଏବଂ ସେମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଏମାନଙ୍କର କ୍ଷମତା ରହିଛି ।

ଏହା ବାଦ୍‍ ଅନେକ କ୍ଷେତ୍ରରେ ଏଭଳି ଅପରାଧିକ ମାମଲା ନଜରକୁ ଆସିଲେ ପୁଲିସ ମଧ୍ୟ ହସ୍ତକ୍ଷେପ କରିଥାଏ । ଏହି ଢାଞ୍ଚାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ସ୍ୱତନ୍ତ୍ର ବାହିନୀ ପ୍ରତି ବ୍ଲକ୍‍ରେ ମୁତୟନ କରିବା ଏବଂ ମହିଳା ଓ ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟମାନ ଖୋଲି ତାହାର ତୁରନ୍ତ ଫଇସଲା କରାଯିବା ଲାଗି ମଧ୍ୟ ସେ ମତ ଦେଇଛନ୍ତି ।

ପୁଲିସ ବିଭାଗରେ ବ୍ୟାପକ ପଦବୀ ଖାଲି ପଡ଼ିଥିବା ଘଟଣାକୁ ସେ ସ୍ୱକାର କରିବା ସହ ଲୋକଙ୍କ ଧନଜୀବନର ସୁରକ୍ଷା ଏବଂ ରାଜ୍ୟ ତଥା ରାଷ୍ଟ୍ରର ହିତ ଦୃଷ୍ଟିରୁ ଏହି ପଦବୀଗୁଡ଼ିକ ତୁରନ୍ତ ପୂରଣ କରିବା ଏବଂ ପ୍ରତିବର୍ଷ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ପୁଲିସ ନିଯୁକ୍ତି ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି । ଥାନା ଫାଣ୍ଡିଗୁଡ଼ିକରେ ପୁଲିସ ଉପରରେ ବିଭିନ୍ନ ମାମଲାର ଯେତେ ଚାପ ରହୁଛି ସେସବୁର ସମାଧାନ କରିବା ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ପକ୍ଷରେ ସମ୍ଭବପର ନୁହେଁ ।

ଓଡ଼ିଶାରେ ବର୍ଷକୁ ବର୍ଷ ନିଖୋଜ ମହିଳା ଓ ଶିଶୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶର ବହୁ ରାଜ୍ୟରେ ସ୍ଥିତି ଓଡ଼ିଶାଠରୁ ସାଙ୍ଘାତିକ ରହିଛି । ସାରା ଦେଶରେ ଏବେ ପ୍ରାୟ ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ପାଖାପାଖି ସାଢେ ୩ ଲକ୍ଷ ଥିବା ବେଳେ ନିଖୋଜ ଶିଶୁଙ୍କ ୧ଲକ୍ଷ ୨୦ ହଜାରରୁ ଅଧିକ । ତେଣୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିନରେ ପ୍ରତି ରାଜ୍ୟରେ ପୁଲିସ କ୍ଷମତା ଥିବା ସ୍ୱତନ୍ତ୍ର ସଂସ୍ଥା ଗଠନ ପାଇଁ ଜାତୀୟ ସ୍ତରରେ ନୀତିଗତ ନିଷ୍ପତ୍ତି ନେବା ଲାଗି ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । (ତଥ୍ୟ)