Home General ଶିଶୁଙ୍କ ପ୍ରତି ଅପରାଧରେ ଦଣ୍ଡ ବିଧାନ ନଗଣ୍ୟ

ଶିଶୁଙ୍କ ପ୍ରତି ଅପରାଧରେ ଦଣ୍ଡ ବିଧାନ ନଗଣ୍ୟ

ଭୁବନେଶ୍ୱର : ଶିଶୁମାନଙ୍କ ସୁରକ୍ଷା ସଂକ୍ରାନ୍ତରେ କେନ୍ଦ୍ର ସମେତ ରାଜ୍ୟ ସରକାରମାନେ ବ୍ୟାପକ ଯୋଜନା ରୂପାୟନ କରୁଥିବାବେଳେ ବାସ୍ତବରେ କିନ୍ତୁ ଶିଶୁମାନଙ୍କ ପ୍ରତି ଅପରାଧର ସଂଖ୍ୟା ବର୍ଷକୁ ବର୍ଷ ବଢିଚାଲିଛି ଏବଂ ଏଭଳି ସମ୍ବେଦନଶୀଳ ମାମଲାଗୁଡିକର ଫଏସଲା ବିଳମ୍ବିତ ହେବା ସଂଗେ ସଂଗେ ଦଣ୍ଡବିଧାନ ହାର ଢେର କମ୍‍ ରହୁଛି ।

କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ କ୍ରାଇମ୍‍ ଇନ୍‍ ଇଣ୍ଡିଆ ରିପୋର୍ଟର ପରିସଂଖ୍ୟାନ ବିଶ୍ଲେଷଣରୁ ଏହି ଉଦବେଗଜନକ ତଥ୍ୟ ଜଣାପଡୁଛି । ସାରା ଦେଶରେ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ ମାମଲାର ଫଏସଲା ହାର ମାତ୍ର ୭.୯ ପ୍ରତିଶତ ରହୁଥିବାବେଳେ ଓଡିଶାରେ ଏହା ୪.୪ ପ୍ରତିଶତ ରହିଛି । ତେବେ ଏଭଳି ମାମଲାରେ ଫଏସଲା ହାର ଅରୁଣାଚଳ, ବିହାର, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ପୁଡୁଚେରୀ ଆଦି ରାଜ୍ୟରେ ଓଡିଶା ଅପେକ୍ଷା ଆହୁରି କମ୍‍ ରହିଛି ।

ଗତବର୍ଷ ସାରା ଦେଶରେ ଏ କିସମର ୧୪,୮୯୦ଟି ମାମଲାରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ କରାଯାଇଥିବାବେଳେ ୨୭,୩୭୪ ମାମଲାରେ କିନ୍ତୁ ଅଭିଯୁକ୍ତମାନେ ଖସି ଯାଇଛନ୍ତି । ମୋଟାମୋଟି ଭାବେ ଜାତୀୟ ସ୍ତରରେ ଏଭଳି ମାମଲାରେ ଦଣ୍ଡବିଧାନ ହାର ୩୩.୬ ପ୍ରତିଶତ ରହିଛି । ୨୦୨୨ ଆରମ୍ଭ ବେଳକୁ ସାରା ଦେଶରେ ଶିଶୁମାନଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲାରୁ ୪,୮୪,୬୫୭ ବିଚାର ପ୍ରତୀକ୍ଷାରେ ଥିବାବେଳେ ୨୦୨୩ ଆରମ୍ଭ ବେଳକୁ ଏହି ସଂଖ୍ୟା କମିବା ପରିବର୍ତ୍ତେ ବୃଦ୍ଧିପାଇ ୫,୪୧,୮୦୦ରେ ପହଞ୍ଚିଛି ।

ଓଡିଶାରେ ୨୦୨୨ ଶେଷ ବେଳକୁ ଏ କିସମର ୧୮,୭୪୯ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ୨୦୨୩ ଆରମ୍ଭ ବେଳକୁ ଏହି ମାମଲା କମିବା ପରିବର୍ତ୍ତେ ୨୧,୪୨୪କୁ ବୃଦ୍ଧି ପାଇଛି । ଏଭଳି ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ମାତ୍ର ୧୨.୬ ପ୍ରତିଶତ ରହିଛି ।

ଶିଶୁଙ୍କ ପ୍ରତି ବଢି ଚାଲୁଥିବା ଅପରାଧ ଚିନ୍ତାର କାରଣ ହୋଇଥିବାବେଳେ ଗତବର୍ଷ ଆମ ରାଜ୍ୟରେ ଏ କିସମର ମାତ୍ର ୧୨୫ଟି ମାମଲାରେ ଦଣ୍ଡବିଧାନ ହୋଇଥିବାବେଳେ ୮୬୯ଟିରେ ଅଭିଯୁକ୍ତମାନେ ଖସିଯାଇଛନ୍ତି । ଦଣ୍ଡବିଧାନ କ୍ଷେତ୍ରରେ ଓଡିଶା ପଛକୁ ଆନ୍ଧ୍ର, ଆସାମ, ଗୁଜୁରାଟ, ଜାମ୍ମୁକାଶ୍ମୀର ଭଳି ରାଜ୍ୟମାନେ ରହିଛନ୍ତି । ତେବେ ଏଭଳି ମାମଲାରେ ଲକ୍ଷାଦ୍ୱୀପ ଭଳି କେନ୍ଦ୍ରଶାସିତ ଅଞ୍ଚଳରେ ଦଣ୍ଡବିଧାନ ହାର ଶତ ପ୍ରତିଶତ ରହିଛି । ଅରୁଣାଚଳପ୍ରଦେଶ ଭଳି ରାଜ୍ୟରେ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ୭୭.୮ ପ୍ରତିଶତ ଥିବାବେଳେ ମଣିପୁରରେ ୬୫.୨, ମିଜୋରାମରେ ୭୫.୯, ନାଗାଲ୍ୟାଣ୍ଡରେ ୬୬.୭, ବିହାରରେ ୬୯.୨ ଓ ଉତ୍ତରପ୍ରଦେଶରେ ୬୮.୩ ପ୍ରତିଶତ ରହିଛି ।

ଉତ୍ତରପ୍ରଦେଶରେ ଏହି କିସମର ୮୪,୪୮୨ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ମହାରାଷ୍ଟ୍ରରେ ୬୯,୮୨୦, ମଧ୍ୟପ୍ରଦେଶରେ ୬୦,୫୦୬, ପଶ୍ଚିମବଙ୍ଗରେ ୪୭,୨୨୯ଟି ମାମଲା ପଡି ରହିଛି । ଏଠାରେ ଉଲ୍ଲେଖନୀୟ ଯେ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧର ତ୍ୱରିତ ଫଏସଲା ଲାଗି ସାରା ଦେଶରେ ପସ୍‍କୋ ଆଇନ୍‍ ଲାଗୁହେବା ସହିତ ସ୍ୱତନ୍ତ୍ର ଅଦାଲତ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଏହା ସତ୍ୱେ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାଗୁଡିକର ତ୍ୱରିତ ଫଏସଲା ହୋଇପାରୁ ନାହିଁ । ବର୍ଷ ବର୍ଷ ଧରି ମାମଲା ଗଡିବା ଫଳରେ ଅଭିଯୁକ୍ତମାନେ ସାକ୍ଷ୍ୟ ପ୍ରମାଣ ଆଦିକୁ ପ୍ରଭାବିତ କରି ଖସିଯିବାରେ ସକ୍ଷମ ହେଉଛନ୍ତି । ଶିଶୁମାନଙ୍କ ସୁରକ୍ଷାପାଇଁ ଓଡିଶା ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରରେ ଶିଶୁ ଅଧିକ ସୁରକ୍ଷା କମିଶନ ରହିଥିବାବେଳେ ଏଭଳି କିସମର ମାମଲା ବୃଦ୍ଧି ଶିଶୁମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । (ତଥ୍ୟ)