Home Education ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଚିନ୍ତା….

ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଚିନ୍ତା….

ଶୀତ ବଢିବା ସହ କରୋନା ବଢିବାର ଅଧିକ ଆଶଙ୍କା ରହିଛି ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଦିଆଯାଉଥିବାବେଳେ ନଭେମ୍ବରରେ ରାଜ୍ୟର ସ୍କୁଲ କଲେଜଗୁଡିକ ଖୋଲିବ କି ନାହିଁ ସେଥିଘେନି ଉଭୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଭିଭାବକ ମହଲରେ ଆଶଙ୍କା ଓ ଆତଙ୍କ ସୃଷ୍ଟିହୋଇଛି ।

ୟୁରୋପ ଓ ଯୁକ୍ତରାଷ୍ଟ୍ର ଆମେରିକା ସମେତ ଚୀନ୍‍ରେ କରୋନା କମି ଆସୁଥିବାବେଳେ ଏବେ କିଛିଦିନ ଧରି ଏହା ପୁଣି ଓଲଟିବା ଯୋଗୁଁ ସେଠାରେ ଭୟଙ୍କର ପରିସ୍ଥିତି ସୃଷ୍ଟିହେବାକୁ ଯାଉଛି । ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତାମତ ଆଧାରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ନିକଟରେ ଦେଶବାସୀଙ୍କୁ ସତର୍କ କରାଇ କହିଛନ୍ତି ଯେ ଶୀତର ପ୍ରକୋପ ବଢିବା ସହିତ କମି ଆସୁଥିବା କରୋନା ପୁଣି ତାହାର କରାଳ ରୂପ ବଢାଇବାର ଆଶଙ୍କା ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବି ଏ ପ୍ରସଙ୍ଗରେ ଲୋକମାନଙ୍କୁ ଗଣମାଧ୍ୟମ ଜରିଆରେ ବାରମ୍ବାର ସତର୍କ କରାଯାଉଛି ।

ଅକ୍ଟୋବରର ଶେଷ ଲଘୁଚାପ ବର୍ଷାପରେ ରାଜ୍ୟରେ ଶୀତର ପ୍ରକୋପ ଧିରେ ଧିରେ ବଢିବାକୁ ଲାଗୁଛି । ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି ଯେ ଏବର୍ଷ ଭଲ ଥଣ୍ଡା ପଡିବ । ଯଦି ଏମାନଙ୍କ ପୂର୍ବାନୁମାନ ସତ ହୁଏ ତେବେ କରୋନା ପୁଣି ତାହାର କାୟା ଆମ ରାଜ୍ୟ ଓ ଦେଶରେ ବଢାଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ କହୁଛନ୍ତି ଯେ ଶୀତ ଦିନେ ଅଧିକ ସଂଖ୍ୟକ ଲୋକ ସର୍ଦ୍ଦି ଥଣ୍ଡା ଓ ଅନ୍ୟାନ୍ୟ ଫ୍ଲୁ ଆଦିରେ ପୀଡିତ ହୋଇଥାନ୍ତି । ଏଭଳି ପୀଡିତ ଲୋକଙ୍କୁ କରୋନା ସଂକ୍ରମଣର ଅଧିକ ଭୟ ଥାଏ ।

ସାମାଜିକ ଦୂରତା ଓ ଅନ୍ୟାନ୍ୟ ମାର୍ଗଦର୍ଶିକାର ଅନୁପାଳନ ଯୋଗୁଁ ଓଡିଶାରେ କରୋନା କମିବାରେ ଲାଗିଛି । ପରିସ୍ଥିତି ଦୃଷ୍ଟିରୁ ରାଜ୍ୟ ସରକାର ବି ଶିକ୍ଷାନୁଷ୍ଠାନ ଗୁଡିକରେ ଶ୍ରେଣୀକାର୍ଯ୍ୟ ବନ୍ଦ ରଖି ପିଲାମାନଙ୍କୁ ଅନ୍‍ଲାଇନ୍‍ରେ ପାଠପଢା ବ୍ୟବସ୍ଥା କରିଛନ୍ତି । ଅବସ୍ଥା ଦେଖି ନଭେମ୍ବର ମାସରେ ଶିକ୍ଷାନୁଷ୍ଠାନ ଖୋଲିବ କି ନାହିଁ ସେ ସଂକ୍ରାନ୍ତରେ ପୂର୍ବରୁ କୁହାଯାଇଥିବା ପରିପ୍ରେକ୍ଷୀରେ ଏବେ ବିଦ୍ୟାଳୟଗୁଡିକରେ ସଫେଇ କାମ ଚାଲିଛି ।

ଏ ପରିପ୍ରେକ୍ଷୀରେ ନଭେମ୍ବରରେ ଶିକ୍ଷାନୁଷ୍ଠାନ ଖୋଲିବା ଘେନି ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭକରି ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଆଶଙ୍କା କରୁଛନ୍ତି । ତେବେ ଅଧିକାଂଶ ଅଭିଭାବକ ଓ ଛାତ୍ରଛାତ୍ରୀ କରୋନା ଡରରେ ଏବେ ଶିକ୍ଷାନୁଷ୍ଠାନ ନଖୋଲି ପିଲାମାନଙ୍କୁ କରୋନା ପ୍ରତିରୋଧକ ଟୀକା ଦିଆଯିବାପରେ ଶ୍ରେଣୀକକ୍ଷରେ ପାଠପଢା ଆରମ୍ଭ କରିବାକୁ ମତ ଦେଉଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ କହୁଛନ୍ତି ଯେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଆଦି ଖୋଲିବା ନଖୋଲିବା ସଂକ୍ରାନ୍ତରେ ଏଯାବତ୍‍ ସରକାରୀ ସ୍ତରରେ କିଛି ସ୍ପଷ୍ଟ ନିଷ୍ପତ୍ତି ହୋଇନାହିଁ । ଅବସ୍ଥାକୁ ଦେଖି ସରକାର ଠିକଣା ସମୟରେ ଠିକଣା ପଦକ୍ଷେପ ନେବେ । କିନ୍ତୁ ଅନ୍ୟ ପକ୍ଷରେ ଅନେକ ଅଭିଭାବକ କହୁଛନ୍ତି ଯେ ଯଦି ନଭେମ୍ବରରେ ଶିକ୍ଷାନୁଷ୍ଠାନ ଖୋଲେ ତେବେ ସେମାନେ ପିଲାମାନଙ୍କ ନିରାପତ୍ତା ଦୃଷ୍ଟିରୁ ସେମାନଙ୍କୁ ଶିକ୍ଷାନୁଷ୍ଠାନ ଓ ଛାତ୍ରାବାସକୁ ପଠାଇବାପାଇଁ ଉଚିତ ମନେ କରିବେନାହିଁ ।