Home Education ଶିକ୍ଷକ ଅଭାବ ଜନିତ ଅବସ୍ଥା ଉତ୍କଟ

ଶିକ୍ଷକ ଅଭାବ ଜନିତ ଅବସ୍ଥା ଉତ୍କଟ

ଭୁବନେଶ୍ୱର : ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିଲେ ମଧ୍ୟ ଓଡ଼ିଶାରେ ଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ଶିକ୍ଷାନୁଷ୍ଠାନଗୁଡିକରେ ଖାଲି ପଡିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ସବୁ ପୂରଣ ହୋଇପାରି ନାହିଁ । ଦୀର୍ଘଦିନ ଧରି ଏଥିଲାଗି ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ଖୁବଶୀଘ୍ର ନୂତନ ନିଯୁକ୍ତି ମିଳିବ ବୋଲି କର୍ତ୍ତୃପକ୍ଷ କେବଳ ସୂଚାଉଛନ୍ତି ।

ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ଥିବା ବିଶ୍ୱବିଦ୍ୟାଳୟ ଗୁଡିକରେ ଶିକ୍ଷକ ଅଭାବ ଅବସ୍ଥା ସାଂଘାତିକ ଥିବାବେଳେ ଅଣଶିକ୍ଷକ ପଦବୀରେ ବି ବ୍ୟାପକ ସଂଖ୍ୟାରେ ପଦବୀ ଖାଲି ପଡିଛି । ଫଳରେ ବିଶ୍ୱବିଦ୍ୟାଳୟ ଗୁଡିକର ଅଧ୍ୟାପନା, ପ୍ରଶାସନ, ପରୀକ୍ଷା ପରିଚାଳନା ଓ ଗବେଷଣା କାର୍ଯ୍ୟଗୁଡିକ ମୁଖ୍ୟତଃ ଅତିଥି ଅଧ୍ୟାପକ ଓ ଠିକାରେ ନିଯୁକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ସମାହିତ ହେଉଛି । ଇତିମଧ୍ୟରେ ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ଆଣି ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ଦାୟିତ୍ୱ ବିଶ୍ୱବିଦ୍ୟାଳୟ ଗୁଡିକଠାରୁ କାଢ଼ି ନେଇ ଓଡ଼ିଶା ଲୋକସେବା ଆୟୋଗ ହାତରେ ନ୍ୟସ୍ତ କରିଛନ୍ତି ଏବଂ ଆୟୋଗ କେତେକ ପଦବୀ ପାଇଁ ବିଜ୍ଞାପନ ଦେଇ ପ୍ରାର୍ଥୀ ଚୟନ ପ୍ରକ୍ରିୟା ମଧ୍ୟ ଜାରି ରଖିଛନ୍ତି ।

ସରକାରୀ କଲେଜ ଓ ସ୍କୁଲଗୁଡିକରେ ଯେତେ ସଂଖ୍ୟକ ନିଯୁକ୍ତି ମିଳୁଛି ପାଖାପାଖି ସେତିକି ସଂଖ୍ୟକ ଶିକ୍ଷକ ଅବସର ଗ୍ରହଣ କରୁଥିବାରୁ ଖାଲି ପଡିଥିବା ଆସନ ସଂଖ୍ୟା ବିଶେଷ ହ୍ରାସ ପାଉନଥିବା ବିଭିନ୍ନ ଶିକ୍ଷକ ଓ ଛାତ୍ର ସଂଗଠନମାନେ କହୁଛନ୍ତି । ପ୍ରାୟ ସମସ୍ତ ବିଶ୍ୱବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଖାଲି ପଡିଥିବା ଅଣଶିକ୍ଷକ ପଦବୀଗୁଡିକ ପୂରଣ କରିବା ଦିଗରେ ବିଶେଷ ଧ୍ୟାନ ଦିଆଯିବା ଭଳି ମନେ ହେଉନାହିଁ ।

ଓଡ଼ିଶାରେ ଥିବା ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଶିକ୍ଷା ଓ ଗବେଷଣା ସଂସ୍ଥାଗୁଡିକରେ ମଧ୍ୟ ଅଧ୍ୟାପକ, ଗବେଷକ, ଚିକିତ୍ସକ ଓ ଅନ୍ୟାନ୍ୟ ପଦବୀ ବ୍ୟାପକ ସଂଖ୍ୟାରେ ଖାଲି ପଡିଛି । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଗତବର୍ଷ ସେପ୍ଟେମ୍ବର ମାସରେ ତାଙ୍କ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଦେଶର ୪୬ଟି ଯାକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୬ ହଜାର ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଥିବା ସୂଚାଇଥିଲେ ।

ସେତେବେଳେ ଜଣାପଡିଥିଲା ଯେ କୋରାପୁଟ ଜିଲ୍ଲାରେ ଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଲାଗି ଅନୁମୋଦିତ ୧୫୪ଟି ନିୟମିତ ଶିକ୍ଷକ ପଦବୀ ମଧ୍ୟରୁ ୧୩୭ଟି ଖାଲି ପଡିଥିଲା ଏବଂ ମାତ୍ର ୧୧ ପ୍ରତିଶତ ଶିକ୍ଷକରେ ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଚାଲୁଛି । ଏହାର ୧୪ଟି ବିଭାଗରେ ମାତ୍ର ୧୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସେତେବେଳେ କାର୍ଯ୍ୟରତ ଥିଲେ ।

ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ବି ଶିକ୍ଷକ ମରୁଡି ଅବସ୍ଥା ସାଂଘାତିକ ଥିବାରୁ ବହୁ କ୍ଷେତ୍ରରେ ଗୋଟିଏ ସ୍କୁଲରୁ ଶିକ୍ଷକ ଯାଇ ଅନ୍ୟ ସ୍କୁଲରେ ସପ୍ତାହରେ ଦିନେ ଦୁଇଦିନ କାମ ଚଳାଉଛନ୍ତି ଏବଂ ଆଉ କେତେକ କ୍ଷେତ୍ରରେ ଠିକା ନିଯୁକ୍ତି ଦେଇ ପାଠ ପଢ଼ାଯାଉଛି । ଚଳିତ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଓଡ଼ିଶାରେ ଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଖାଲିଥିବା ପଦବୀ ସବୁ ପୂରଣ ହୋଇଯିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏଯାବତ ଏହା ଆଶାରେ ରହିଯାଇଛି ।

ତେବେ କୋଭିଡ ସମୟରେ ଅନଲାଇନ କ୍ଲାସ କରାଯାଉଥିବା ପରିପ୍ରେକ୍ଷୀରେ କମ୍‍ ଶିକ୍ଷକରେ ବିଶେଷ କିଛି ଅସୁବିଧା ହୋଇନଥିବା କେତେକ ମହଲ ପାଲଟା ଯୁକ୍ତି କରୁଛନ୍ତି । ଏ ପରିପ୍ରେକ୍ଷୀରେ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଖାଲି ପଡିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ କରାଯିବା ଏବଂ କେଉଁ ବର୍ଷ କେତେ ଶିକ୍ଷକ ଅବସର ନେବେ ତାହାକୁ ଆଖିଆଗରେ ରଖି ଆଗୁଆ ନିଯୁକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବରିଷ୍ଠ ଶିକ୍ଷାବିତମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)