Home Education ଶିକ୍ଷକ ଅଭାବରୁ ଏନଏସଏସ୍‍ ଅଚଳ

ଶିକ୍ଷକ ଅଭାବରୁ ଏନଏସଏସ୍‍ ଅଚଳ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ଲାଗି ରହିଥିବା ଉତ୍କଟ ଶିକ୍ଷକ ମରୁଡି ପରିସ୍ଥିତି ଯୋଗୁଁ କେବଳ ଶିକ୍ଷାଦାନ, ଗବେଷଣ । ଓ ପ୍ରଶାସନିକ କାର୍ଯ୍ୟ ବ୍ୟାହତ ହେଉନାହିଁ, ଏହି ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ କଲେଜଗୁଡିକରେ ଥିବା ଅନେକ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‍ ଅଚଳ ହୋଇପଡୁଛି ।

ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାୟରେ ସର୍ବାଧିକ ଏନଏସଏସ୍‍ ୟୁନିଟ୍‍ ଓ ପଞ୍ଜିକୃତ ସ୍ୱେଚ୍ଛାସେବକ ରହିଛନ୍ତି । କିନ୍ତୁ ଏହି ୟୁନିଟ୍‍ଗୁଡିକର ପରିଚାଳନା ପାଇଁ ବର୍ଷ ବର୍ଷ ଧରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜଣେ ସ୍ଥାୟୀ କାର୍ଯ୍ୟକ୍ରମ ସଂଯୋଜକ ନିଯୁକ୍ତ କରିପାରୁ ନାହାନ୍ତି । ଏହାଛଡା ଏନଏସଏସ ବ୍ୟୁରୋ ଲାଗି ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି କିମ୍ବା ଗାଡିଘୋଡା ନାହିଁ । ବିଶ୍ୱବିଦ୍ୟାଳୟର ସ୍ନାତକତ୍ତୋର ବିଭାଗର ଜଣେ ଅଧ୍ୟାପକଙ୍କୁ ଏନଏସଏସ୍‍ କାର୍ଯ୍ୟକ୍ରମ ସଂଯୋଜକ ଭାବେ ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ୪୭ଟି ପ୍ରଫେସର ସମେତ ୨୫୭ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ଏଥିରୁ ୩୭ଟି ପ୍ରଫେସର ପଦବୀ ସମେତ ୧୨୯ଟି ପଦବୀ ଖାଲିପଡିଛି । ଅର୍ଥାତ୍‍ ବିଶ୍ୱବିଦ୍ୟାଳୟରେ ଅଧାରୁ ଅଧିକ ଶିକ୍ଷକ ପଦବୀ ଖାଲି ରହିଛି । ଏହାଛଡା ଏଠାରେ ୯୮୦ଟି ଅଣଶିକ୍ଷକ ପଦବୀ ମଧ୍ୟରୁ ୬୬୭ଟି ମଧ୍ୟ ଖାଲି ପଡିଛି । ଅଣଶିକ୍ଷକ ପଦବୀ ବ୍ୟାପକ ସଂଖ୍ୟାରେ ଖାଲି ପଡିଥିବାବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ପରିଚାଳନା ଓ ପ୍ରଶାସନିକ କାର୍ଯ୍ୟ ତୁଲାଇବାପାଇଁ ନାକେଦମ ହେଉଥିବାବେଳେ ଏନଏସଏସ୍‍ ବ୍ୟୁରୋ ଲାଗି ଆବଶ୍ୟକ ସଂଖ୍ୟକ କର୍ମଚାରୀ ଯୋଗାଇବା ସମ୍ଭବପର ହେଉନାହିଁ ।

ଗୋଟିଏ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏନଏସଏସ ବ୍ୟୁରୋର ଏକ ଛୋଟ ବସ୍‍ ସମେତ ତିନିଟି ମୋଟରଯାନ ଥିଲା । ଏବେ ନିୟମିତ କାର୍ଯ୍ୟକ୍ରମ ସଂଯୋଜକ ନଥିବାବେଳେ କର୍ମଚାରୀ କି ଯାନବାହାନ ନାହିଁ । ବିଶ୍ୱବିଦ୍ୟାଳୟରେ ଅଧାରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ଯେତିକି ବି ଶିକ୍ଷକ ରହିଛନ୍ତି ସେମାନେ ଅଧିକ ପରିଶ୍ରମ କରି ପାଠପଢା, ଗବେଷଣା ଓ ପରୀକ୍ଷା ଆଦି କାମ ଚଳାଉଛନ୍ତି । ଏହାଛଡା ନାକ୍‍ ସମେତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବି ସେମାନଙ୍କୁ ସମୟ ଦେବାକୁ ପଡୁଛି । ଏ ପରିପ୍ରେକ୍ଷିରେ ଏନଏସଏସ ଯୋଜନା ସଂଯୋଜକ ପଦବୀରେ ଅତରିକ୍ତ ଭାବେ ଦାୟିତ୍ୱରେ ଥିବା ବିଶ୍ୱବିଦ୍ୟାଳୟର ଶିକ୍ଷକ ଏନଏସଏସ ପାଇଁ ପୂରା ସମୟ ଦେବା ସମ୍ଭବପର ହେଉନାହିଁ ।

ସାରା ରାଜ୍ୟରେ ଏନଏସଏସର ୧୨୪୧ଟି ୟୁନିଟ୍‍ରେ ଏକ ଲକ୍ଷ ୨୪ହଜାରରୁ ଅଧିକ ସ୍ୱେଚ୍ଛାସେବକ ଅଛନ୍ତି ଏବଂ ଏବର୍ଷ ସ୍ୱେଚ୍ଛାସେବକଙ୍କ ସଂଖ୍ୟା ୨ଲକ୍ଷକୁ ବଢାଇବାପାଇଁ ଚିନ୍ତା କରାଯାଉଛି । ଏଥି ମଧ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକତର ବିଭାଗ ସମେତ ଏହାର ଅନୁବନ୍ଧିତ କଲେଜଗୁଡିକରେ ୨୩୯ଟି ଏନଏସଏସ୍‍ ୟୁନିଟ୍‍ରେ ପାଖାପାଖି ୨୪ହଜାର ସ୍ୱେଚ୍ଛାସେବକ ଅଛନ୍ତି ଓ ଚଳିତବର୍ଷ ଏହି ସଂଖ୍ୟା ୨୫ହଜାରକୁ ବୃଦ୍ଧି ପାଇପାରେ । ନିୟମିତ କାର୍ଯ୍ୟକ୍ରମ ସଂଯୋଜକ ନଥିବାରୁ କ୍ରମଶଃ ବିଶ୍ୱବିଦ୍ୟାଳୟର ଏନଏସଏସ୍‍ ୟୁନିଟ୍‍ଗୁଡିକ ଦୁର୍ବଳ ହୋଇପଡୁଛି । ଏମିତିକି ଶତାଧିକ ଏନଏସଏସ ଅଧିକାରୀଙ୍କୁ ତାଲିମ ବି ଦିଆଯାଇ ପାରୁନାହିଁ ।

ଏନଏସଏସ୍‍ କାର୍ଯ୍ୟକ୍ରମ ପାଇଁ ସରକାର ଦେଇଥିବା ଅର୍ଥ ମଧ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ପ୍ରାୟ ୨କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡି ରହିଛି । ବାରମ୍ବାର କର୍ତ୍ତୃପକ୍ଷ ଏହି ଅର୍ଥର ହିସାବ ମାଗୁଥିଲେ ବି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଉଦାସୀନ ରହୁଛନ୍ତି । ଅର୍ଥ ବିନିଯୋଗ ପ୍ରମାଣପତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦେଇପାରୁନଥିବାବେଳେ ତାହା ବିଶ୍ୱବିଦ୍ୟାଳୟର ଛବିକୁ ମଳିନ କରୁଛି । ଏଠାରେ ଉଲ୍ଲେଖନୀୟ ଯେ ରାମକୃଷ୍ଣ ପଣ୍ଡା, ରାଧାମୋହନ ଓ ଭଗବାନ ପ୍ରକାଶଙ୍କ ଭଳି ପୂର୍ଣ୍ଣକାଳୀନ କାର୍ଯ୍ୟକ୍ରମ ସଂଯୋଜକମାନେ ଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ ଏନଏସଏସ ୟୁନିଟ୍‍ ସାରା ଦେଶରେ ସୁନାମ ଅର୍ଜନ କରିଥିଲା । (ତଥ୍ୟ)