Home Banking ଶାଖା ଖୋଲିବାକୁ ବ୍ୟାଙ୍କ୍‍ ଅରାଜି

ଶାଖା ଖୋଲିବାକୁ ବ୍ୟାଙ୍କ୍‍ ଅରାଜି

ରାଜ୍ୟର ଗାଁ ଗହଳରେ ଶାଖା ଖୋଲିବାପାଇଁ ବ୍ୟାଙ୍କ୍‍ମାନେ ରାଜି ହେଉ ନାହାନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ଅନୁରୋଧ ଓ ତାଗିଦା ସତ୍ୱେ ଗତ ଅଢେଇ ବର୍ଷ ମଧ୍ୟରେ ମାତ୍ର ୩୬୭ଟି ଶାଖା ଖେଲାଯାଇ ପାରିଛି । 

ରାଜ୍ୟର ଦୁଇ ହଜାରରୁ ଅଧିକ ପଞ୍ଚାୟତରେ ବ୍ୟାଙ୍କ୍‍ଶାଖା ନଥିବାବେଳେ ଏଠାରେ ଶାଖା ଖୋଲିବାପାଇଁ ସରକାର ବାରମ୍ବାର ରାଜ୍ୟରେ କାରବାର କରୁଥିବା ବ୍ୟାଙ୍କ୍‍ଗୁଡିକୁ କହି ଆସୁଛନ୍ତି । ପ୍ରତି ଥର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ସରକାର ଶାଖା ଖୋଲିବା ପାଇଁ କହୁଥିବାବେଳେ ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ସମ୍ମତି ସୂଚକ ମୁଣ୍ଡ ଟୁଙ୍ଗାରୁଛନ୍ତି । ହେଲେ ପରେ ଶାଖା ଖୋଲିବା ଦିଗରେ ଆଉ ଆଗ୍ରହ ଦେଖାଉ ନଥିବା ଲକ୍ଷ୍ୟ କରାଯାଇଛି ।

୨୦୧୮ ମାର୍ଚ୍ଚମାସରେ ରାଜ୍ୟରେ ୫୧୦୮ଟି ବ୍ୟାଙ୍କ୍‍ ଶାଖା ଥିବାବେଳେ ଚଳିତବର୍ଷ ଜୁନ୍‍ ଶେଷ ସୁଦ୍ଧା ଏହା ୫୪୭୫ରେ ପହଞ୍ଚିଛି । ଅର୍ଥାତ୍‍ ଏହି ସମୟ ମଧ୍ୟରେ ସମସ୍ତ ବ୍ୟାଙ୍କ୍‍ ମାତ୍ର ୩୬୭ଟି ଶାଖା ଖୋଲିଛନ୍ତି । ଏହି ହାରରେ ରାଜ୍ୟରେ ବ୍ୟାଙ୍କ୍‍ ଶାଖା ଖୋଲିଲେ ସମସ୍ତ ପଞ୍ଚାୟତରେ ଲୋକଙ୍କୁ ବ୍ୟାଙ୍କ୍‍ସେବା ଯୋଗାଇବାପାଇଁ କେତେ ବର୍ଷ ଲାଗିବ ତାହା ହିସାବ କରିବା ମୁସ୍କିଲ ହୋଇପଡିଲାଣି । ସେହିଭଳି ଏହି ସମୟ ମଧ୍ୟରେ ରାଜ୍ୟରେ ମାତ୍ର ୭୫ଟି ନୂଆ ଏଟିଏମ୍‍ ଖୋଲାଯାଇ ପାରିଛି । ୨୦୧୮ ମାର୍ଚ୍ଚରେ ରାଜ୍ୟରେ ବିଭିନ୍ନ ବ୍ୟାଙ୍କ୍‍ର ୬୬୯୩ଟି ଏଟିଏମ୍‍ ଥିବାବେଳେ ଚଳିତବର୍ଷ ଜୁନ୍‍ ସୁଦ୍ଧା ସେହି ସଂଖ୍ୟା ୬୭୬୮ରେ ପହଞ୍ଚିଛି ।

ଗୋଟିଏ ପଟେ ବ୍ୟାଙ୍କ୍‍ଗୁଡିକ ଗାଁ ଗହଳରେ ଶାଖା ଖୋଲିବାକୁ ପଛଘୁଞ୍ଚା ଦେଉଥିବାବେଳେ ଅନ୍ୟ ପଟେ କେନ୍ଦ୍ର ଠାରୁ ଆରମ୍ଭ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଲୋକଙ୍କୁ ବ୍ୟାଙ୍କ୍‍ରେ ନିଜ ନିଜ ଆକାଉଣ୍ଟ ଖୋଲିବାପାଇଁ କହୁଛନ୍ତି । ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ୍‍ ଖାତାକୁ ପଠାଯାଉଥିବାରୁ ସରକାର ଆକାଉଣ୍ଟ ଖୋଲିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହାଦ୍ୱାରା ଯୋଜନା ଅର୍ଥ ବାଟମାରଣାକୁ ରୋକାଯାଇ ପାରୁଛି । ମମତା ଯୋଜନା ଠାରୁ ଆରମ୍ଭକରି ପିଏମ୍‍କିଷାନ, ଏମ୍‍ଜିନରେଗା ସହିତ ଅଧିକାଂଶ ସରକାରୀ ଯୋଜନାର ସବ୍‍ସିଡ୍‍ ଅର୍ଥ ଏବେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ୍‍ ଖାତାକୁ ଯୋଗାଇ ଦିଆଯାଉଛି ।

ଗାଁ ଗହଳରେ ବ୍ୟାଙ୍କ୍‍ ଶାଖା ଖୋଲୁନଥିବାରୁ ଦୁର୍ଗମ ଅଞ୍ଚଳରେ ଲୋକେ ସେମାନଙ୍କ ମୂଲ ଟିକକ ପାଇବାପାଇଁ ଦିନେ ଦୁଇ ଦିନ କାମ ବନ୍ଦକରି ଦୂର ଦୂରାନ୍ତରେ ଥିବା ବ୍ୟାଙ୍କ୍‍କୁ ଯାଉଛନ୍ତି । ସେହିଭଳି ବ୍ୟାଙ୍କ୍‍ଶାଖା ସଙ୍କଟ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଛାତ୍ରଛାତ୍ରୀମାନେ ସେମାନଙ୍କୁ ମିଳୁଥିବା ସରକାରୀ ଅର୍ଥ ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ବ୍ୟାଙ୍କ୍‍ମାନେ କିନ୍ତୁ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ରାଜ୍ୟରୁ ହଜାର ହଜାର କୋଟି ଟଙ୍କାର ଜମା ସଂଗ୍ରହ କରୁଥିବା ବ୍ୟାଙ୍କ୍‍ମାନଙ୍କ ଏଭଳି ମନୋଭାବ ଯୋଗୁଁ ଲୋକେ ବ୍ୟାଙ୍କ୍‍ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ।