Home Health ଶହେ ତଳକୁ ଖସିଲା ଖୋରଧା

ଶହେ ତଳକୁ ଖସିଲା ଖୋରଧା

ଖୋରଧା ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ୧୦୦ ତଳକୁ ଖସିଛି । ଗତ ୨୪ଘଣ୍ଟା ମଧ୍ୟରେ ଖୋରଧା ଜିଲ୍ଲାରେ ୯୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଦୀର୍ଘ ଦିନ ପରେ ଖୋରଧାରେ କରୋନା ପ୍ରକୋପ କମିଥିବାବେଳେ ବାଲେଶ୍ୱର, ସୁନ୍ଦରଗଡ ଓ କଟକ ଏବେ କରୋନା ସଂକ୍ରମଣ କ୍ଷେତ୍ରରେ ଖୋରଧା ଉପରେ ରହିଛନ୍ତି ।

ରାଜ୍ୟରୁ ଆଉ ୧୨୧୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୭୯୩ରେ ପହଞ୍ଚିଛି । ତେବେ ଏଥି ମଧ୍ୟରେ ବାଲେଶ୍ୱର ଓ ସୁନ୍ଦରଗଡରୁ ସର୍ବାଧିକ ୧୦୭ କରି ଥିବାବେଳେ କଟକରୁ ୧୦୬, ଖୋରଧାରୁ ୯୨, ମୟୁରଭଞ୍ଜରୁ ୮୩ ଓ ଅନୁଗୁଳରୁ ୭୮ ଚିହ୍ନଟ ହୋଇଛନ୍ତି ।

ପାଞ୍ଚଟି ଜିଲ୍ଲାରେ କରୋନା ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି । ସେହିସବୁ ଜିଲ୍ଲା ମଧ୍ୟରେ ଗଜପତି ଓ ଦେବଗଡରୁ ୯ କରି, ରାୟଗଡାରୁ ୭, ବୌଦ ଓ ମାଲକାନଗିରିରୁ ୫କରି ରହିଛନ୍ତି ।

ରାଜ୍ୟରେ ଆଜି ସୁଦ୍ଧା ମୋଟ୍‍ କରୋନା ରୋଗୀଙ୍କ ମଧ୍ୟରୁ ୨,୮୮,୧୬୮ଜଣ ସୁସ୍ଥ ହୋଇଥିବାବେଳେ ୧୩,୧୩୧ ଜଣ ରୋଗୀ ସକ୍ରିୟ ରହିଛନ୍ତି । ତେବେ ୨୪ଘଣ୍ଟାରେ ୪୫,୧୬୦ ନୂଆ ନମୂନା ପରୀକ୍ଷା ସହିତ ରାଜ୍ୟରେ ମୋଟ୍‍ କରୋନା ପରୀକ୍ଷା ସଂଖ୍ୟା ୪୯,୮୮,୫୫୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୬.୦୭ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିଭଳି ରାଜ୍ୟରେ ଆଉ ୧୬ ଜଣ କରୋନାରେ ମରିବା ସହିତ ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁ ସଂଖ୍ୟା ୧୪୪୧ରେ ପହଞ୍ଚିଛି । ମୃତ୍ୟୁ ବରଣ କରିଥିବା ୧୬ଜଣଙ୍କ ମଧ୍ୟରେ ଖୋରଧା ଓ କେନ୍ଦୁଝରରୁ ୩ଜଣ କରି ଥିବାବେଳେ ସମ୍ବଲପୁରରୁ ୨ଜଣ ଏବଂ ବାଲେଶ୍ୱର, ବରଗଡ, ବୌଦ, କଟକ, ଯାଜପୁର, ମୟୁରଭଞ୍ଜ, ନୟାଗଡ ଓ ସୁନ୍ଦରଗଡରୁ ଜଣେ କରି ରହିଛନ୍ତି ।