Home News in Odia ଶନିବାର ୪ ଜିଲ୍ଲାରେ ବନ୍ୟା

ଶନିବାର ୪ ଜିଲ୍ଲାରେ ବନ୍ୟା

ଭୁବନେଶ୍ୱର : ହୀରାକୁଦରୁ ଆସୁଥିବା ଜଳ ଆସନ୍ତା ଶନିବାର ଦିନ ରାଜ୍ୟର ୪ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି କରିବ । ସେହିଦିନ ମୁଣ୍ଡୁଳିରେ ପ୍ରାୟ ୮ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ଏବଂ ଏହାଦ୍ୱାରା କଟକ, କେନ୍ଦ୍ରାପଡା, ଜଗତ୍‍ସିଂହପୁର ଓ ପୁରୀ ଜିଲ୍ଲାର ତଳିଆ ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆସି ସୂଚନା ଦେଇଛନ୍ତି ।

ହୀରାକୁଦର ଉପର ମୁଣ୍ଡରେ ବର୍ଷା ଲାଗି ରହିବା ଫଳରେ ହ୍ରଦ ମଧ୍ୟକୁ ଏବେ ପ୍ରତି ସେକେଣ୍ଡରେ ପ୍ରାୟ ୫ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି ଓ ହୀରାକୁଦରୁ ପାଖପାଖି ସେତିକି ପରିମାଣର ଜଳ ନିଷ୍କାସନ ହେଉଛି । ଆଜି ସଂଧ୍ୟାସୁଦ୍ଧା ମୁଣ୍ଡୁଳି ଠାରେ ୫ଲକ୍ଷ ୭୨ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ଖଇରମାଳ ଠାରେ ୬ଲକ୍ଷ ୧୪ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ତେବେ ମହାନଦୀର ୨୮ ଫାଟକ ଖୋଲା ଥିବାରୁ ଏଠାରୁ ପ୍ରବାହିତ ଜଳର ସିଂହଭାଗ ଆସନ୍ତା ଶନିବାର ଦିନ ମୁଣ୍ଡୁଳି ଅତିକ୍ରମ କରିବ । ସେହି ସମୟରେ ପ୍ରାୟ ୮ଲକ୍ଷ କୁସେକ ଜଳ ପ୍ରବାହିତ ହେବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ଆକଳନ କରାଯାଉଛି ।

ଏଥି ଯୋଗୁଁ ମହାନଦୀ ଅବବାହିକାରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳକୁ ୩୦ଟି ଓଡ୍ରାଫ, ୧୨ଟି ଏନ୍‍ଡିଆରଏଫ ଓ ୧୦ଟି ଅଗ୍ନିଶମ ଟିମ୍‍ ପଠାଇଛନ୍ତି । ଏଥି ସହିତ ଜିଲ୍ଲା ପ୍ରଶାସନକୁ ସତର୍କ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟ ପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ଆଉ ଗୋଟିଏ ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ବୋଲି ଭାରତୀୟ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ଆସନ୍ତା ୨୦ ତାରିଖରେ ପୂର୍ଣ୍ଣମି ତିଥି ଥିବାରୁ ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହିତ ନଦୀ ଜଳ ସମୁଦ୍ରକୁ ନିଷ୍କାସନ ନେଇ ସମସ୍ୟା ଦେଖାଯିବ ବୋଲି ଆଶଙ୍କା ପ୍ରକାଶ କରାଯାଉଛି ।