Home Infrastructure ଶତ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପାଇଁ ନାବାର୍ଡର ପ୍ରଶଂସା

ଶତ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପାଇଁ ନାବାର୍ଡର ପ୍ରଶଂସା

ଭୁବନେଶ୍ୱର :ଶତ ପ୍ରତିଶତ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ୱୟନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ନାବାର୍ଡର ଅଧ୍ୟକ୍ଷ ଡଃ ଜି. ଆର୍‌. ଚିନ୍ତଲା କହିଛନ୍ତି । ଆଜି ରାଜ୍ୟ ସରକାର ଏବଂ ନାବାର୍ଡଙ୍କ ମିଳିତ ବୈଠକରେ ଡଃ ଚିନ୍ତଲା ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ ସରକାରଙ୍କ ଦୁରଦର୍ଶୀ କାର୍ଯ୍ୟ ଯୋଗୁ ଓଡ଼ିଶା ବିଗତ ଦଶନ୍ଧି ମଧ୍ୟରେ ଏକ ବଡ ଶିଳ୍ପ ଓ ବ୍ୟବସାୟିକ ରାଜ୍ୟରେ ପରିଣତ ହୋଇଛି ।

ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବିଭିନ୍ନ ବିଭାଗଙ୍କର ଅଭିନବ ପ୍ରଚେଷ୍ଟା ଏବଂ ତ୍ୱରିତ କାର୍ଯ୍ୟାନ୍ୱୟନ ଯୋଗୁ ରାଜ୍ୟରେ ଗତ ଦଶନ୍ଧି ମଧ୍ୟରେ ୨୪% ଭାଗ ଦାରିଦ୍ର୍ୟ ହାର କମିଛି, ଯାହାକି ସମଗ୍ର ଦେଶରେ ସର୍ବାଧିକ । ଏହା ଫଳରେ ପ୍ରାୟ ୮ ନିୟୁତରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ-ଶୃଙ୍ଖଳରୁ ମୁକ୍ତ କରାଯାଇ ପାରିଛି । ଆସୋଚାମ୍‌ ରିପୋର୍ଟ ୨୦୧୭ ଅନୁସାରେ ପୁଞ୍ଜିନିବେଶ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ହାରରେ ରାଜ୍ୟ ପ୍ରଥମ ସ୍ଥାନ ପାଇଛି । ବର୍ତ୍ତମାନ ଦେଶର ସର୍ବଶ୍ରେଷ୍ଠ ତିନି ପୁଞ୍ଜିନିବେଶ ରାଜ୍ୟ ମଧ୍ୟରୁ ଓଡ଼ିଶା ଗୋଟିଏ ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେଯେ ଇତି ମଧ୍ୟରେ ରାଜ୍ୟର ଶତ ପ୍ରତିଶତ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯାଇଛି । ଗ୍ରାମୀଣ ରାସ୍ତା, ଆବାସ, କୃଷକ ସଶକ୍ତିକରଣ, ମହିଳା ସଶକ୍ତିକରଣ ଏବଂ କୌଶଳ ବିକାଶ ଆଦିକ୍ଷେତ୍ରରେ ଓଡ଼ିଶା ବର୍ତ୍ତମାନ ଏକ ଆଗୁଆ ରାଜ୍ୟ ।

କୋଭିଡ୍‌ ପରବର୍ତ୍ତୀ ସ୍ଥିତିରେ ଗ୍ରାମାଞ୍ଚଳରେ ନୂତନ ରୋଜଗାର ସୁବିଧା ସୃଷ୍ଟି, ବ୍ୟବସାୟ ଭିତ୍ତିକ କୃଷି, ସାମାଜିକ ଭିତ୍ତିଭୂମି, କୃଷି-ବ୍ୟବସାୟ, ଜଳ ସେଚନ, ଖାଦ୍ୟ ପ୍ରକ୍ରିୟାକରଣ, ଗମନାଗମନ ବିକାଶ ଆଦି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି । ଏଥିପାଇଁ ନାବାର୍ଡ଼ ସହାୟତା ଓ ଋଣ ବଢ଼ାଇବା ଉପରେ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ ବିଗତ ବର୍ଷମାନଙ୍କରେ ରାଜ୍ୟ ନାବାର୍ଡ ଋଣପ୍ରାପ୍ତ ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟଯୋଜନା ଅନ୍ତର୍ଗତ ପ୍ରକଳ୍ପଗୁଡିକୁ ସଫଳତାର ସହ କାର୍ଯ୍ୟକାରୀ କରିଛି । ଭୌଗଳିକ ସ୍ଥିତି ଦୃଷ୍ଟିରୁ ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ।

ଏଥିପାଇଁ ବିପର୍ଯ୍ୟୟ ନିରୋଧ ଭିତ୍ତିଭୂମି ରାଜ୍ୟର ଏକ ଜରୁରୀ ଆବଶ୍ୟକତା । ବନ୍ୟା ଓ ସମୁଦ୍ର ଜୁଆର ଆଦି ପ୍ରାକୃତିକ ବିପର୍ଯ୍ୟୟକୁ ରୋକିପାରିଲେ ରାଜ୍ୟର କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ପ୍ରଭୁତ ବିକାଶ ହେବ ବୋଲି ଶ୍ରୀ ଜେନା କହିଥିଲେ । ଏଥିପାଇଁ ନାବାର୍ଡର ଅଧିକ ସହାୟତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ରାଜ୍ୟରେ ବ୍ୟାଙ୍କ୍‌ ମାନଙ୍କର କମ୍‌ ଋଣ ଯୋଗାଣ ହାର, ସମସ୍ତ ଗ୍ରାମ ପଂଚାୟତରେ ବ୍ୟାଙ୍କ ଶାଖା ବା ବ୍ୟାଙ୍କ୍‌ ପ୍ରତିନିଧି ନିୟୋଜନ ଆଦି ଉପରେ ଗୁରୁତ୍ୱରୋପ କରି ନାବାର୍ଡ ଆର୍ଥିକ-ସଂପୃକ୍ତିକରଣ ପାଣ୍ଠି ବିନିଯୋଗ ବଢାଇବା ପାଇଁ କହିଥିଲେ ।

ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବ ମାନେ କୃଷି, ଅର୍ଥକାରୀ ଫସଲଚାଷ, ମତ୍ସ୍ୟଚାଷ, ପଶୁପାଳନ, କୃଷି ଉଦ୍ୟୋଗ, କୃଷି ବିପଣନ ନିମନ୍ତେ ଗ୍ରାମୀଣ ଭିତ୍ତିଭୂମି, ମହିଳା ସଶକ୍ତିକରଣ, ସମବାୟ, କୃଷିଜାତ ଦ୍ରବ୍ୟର ଏକତ୍ରୀକରଣ ଓ ବିପଣୀ, ସମନ୍ୱିତ ଫାର୍ମିଂ, ଜଳସେଚନ, ନଦୀବନ୍ଧ ଓ ଲୁଣା ଘେରି ଆଦିର ଦୃଢିକରଣ କ୍ଷେତ୍ରରେ ନାବାର୍ଡ ପାଣ୍ଠି ବିନିଯୋଗ ପାଇଁ ପ୍ରକୃଷ୍ଟ ପ୍ରକଳ୍ପଗୁଡ଼ିକ ଉପରେ ଆଲୋକପାତ କରିଥିଲେ । 

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ନାବାର୍ଡର ଗ୍ରାମୀଣ ଭିତ୍ତିଭୂମି ପାଣ୍ଠି, ଦୀର୍ଘ ମିଆଦି ଜଳସେଚନ ପାଣ୍ଠି, ଗ୍ରାମାଞ୍ଚଳ ଭିତ୍ତିଭୂମି ନିମନ୍ତେ ରାଜ୍ୟଙ୍କୁ ସହଯୋଗ ଆଦି ପାଣ୍ଠିରେ ପ୍ରାୟ ୧୦,୦୦୦ କୋଟି ଟଙ୍କାର ପ୍ରକଳ୍ପ ତ୍ୱରିତ ଗତିରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ପୂର୍ଣ୍ଣ ପ୍ରସ୍ତୁତ ଅଛି । ନାବାର୍ଡ ଋଣ ସହାୟତା ୧୦ ହଜାର କୋଟିକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନାବାର୍ଡ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଥିଲା ।

ଅର୍ଥ, କୃଷି, ପଶୁପାଳନ, ମହିଳା ସଶକ୍ତିକରଣ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ, ପର୍ଯ୍ୟଟନ, ଜଳସଂପଦ, ଗ୍ରାମ୍ୟ ଉନ୍ନୟନ ଆଦି ସହ ସଂଯୁକ୍ତ ବିଭାଗ ଗୁଡ଼ିକର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।