Home General ଶତବାର୍ଷିକୀ ପାଳନ ପ୍ରସ୍ତୁତି

ଶତବାର୍ଷିକୀ ପାଳନ ପ୍ରସ୍ତୁତି

297
0

ଭୁବନେଶ୍ୱର, : ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତର ଶତବାର୍ଷିକୀ ପାଳନ ପାଇଁ ଏବେ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ସରକାରୀ ଭାବେ ଏହି କାର୍ଯ୍ୟକ୍ରମ କଟକ କାଠଯୋଡ଼ି ନଦୀ କୂଳରେ ଉଦ୍‍ଘାଟିତ ହେବ ।

୧୯୨୧ ମାର୍ଚ୍ଚ ୨୩ ତାରିଖରେ ପତ୍ନୀ କସ୍ତୁରବା ଓ ପୁଅ ଦେବଦାସଙ୍କ ସହ ଗାନ୍ଧୀଜୀ ପୁରୀ ଏକ୍ସପ୍ରେସ୍‍ ଯୋଗେ ଆସି କଟକରେ ପହଞ୍ଚିଥିଲେ । କଟକ କାଠଯୋଡ଼ି ବାଲିରେ ଏକ ବିରାଟ ସାଧାରଣ ସଭା ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ଗାନ୍ଧୀଜୀ ଅସହଯୋଗ ଆନ୍ଦୋଳନ ସମେତ ବିଭିନ୍ନ ପ୍ରସଙ୍ଗରେ ମତ ରଖିଥିଲେ ।

ଏହି ଅବସରରେ ବିନୋଦ ବିହାରୀଠାରେ ଏକ ମହିଳା ସଭା, କଦମରସୁଲରେ ଇସଲାମ ଧର୍ମାବଲମ୍ବୀ ସଭା, ଜୈନ ଧର୍ମଶାଳାରେ ଗୁଜରାଟୀ ଓ ମାରୱାଡ଼ିମାନଙ୍କ ସହ ଆଲୋଚନା କରିବା ସଙ୍ଗେ ସଙ୍ଗେ ଛାତ୍ର, ଯୁବକ ଓ ବୁଦ୍ଧିଜୀବିମାନଙ୍କୁ ମଧ୍ୟ ସେ ଭେଟିଥିଲେ । ତେଣୁ ଶତବାର୍ଷିକୀର ପ୍ରଥମ କାର୍ଯ୍ୟକ୍ରମ କଟକ ସହରରେ ରାଜ୍ୟ ସରକାର କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଇତିମଧ୍ୟରେ ଏହି ଶତବାର୍ଷିକୀ ପାଳନ ପାଇଁ ରାଜ୍ୟ କ୍ୟାବିନେଟ୍‍ରେ ବିଧିବଦ୍ଧ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି ।

ପ୍ରଥମ ଗସ୍ତ ବେଳେ ଗାନ୍ଧୀଜୀ ଭଦ୍ରକ, ସତ୍ୟବାଦୀ, ପୁରୀ ଓ ବ୍ରହ୍ମପୁରରେ ଅନେକଗୁଡ଼ିଏ ଆକର୍ଷଣୀୟ କାର୍ଯ୍ୟକ୍ରମରେ ଯୋଗଦେବା ସଙ୍ଗେ ସଙ୍ଗେ ଉକ୍ରଳମଣିଙ୍କ ସହ ସପତ୍ନିକ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ସେ ଓଡ଼ିଶାର ଦୁର୍ଭିକ୍ଷ ଓ ଦାରିଦ୍ର୍ୟ ସ୍ଥିତି ଏତେ ବିଚଳିତ ହୋଇଥିଲେ ଯେ ୬ ମାସ ମଧ୍ୟରେ ତାଙ୍କ ପରିଧାନ ବଦଳାଇ ଦେଇଥିଲେ ।

ଗାନ୍ଧୀଜୀ ୮ଟି ପର୍ଯ୍ୟାୟରେ ଓଡ଼ିଶା ଗସ୍ତରେ ଆସି ବର୍ତ୍ତମାନର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିଥିଲେ । କେବଳ ସେତିକି ନୁହେଁ ୧୯୩୪ ମସିହା ମଇ-ଜୁନ୍‍ ମାସର ଖରା ଓ କାଳବୈଶାଖୀର ଝଡ଼ତୋଫାନ ଭିତରେ ୬୫ ବର୍ଷ ବୟସ୍କ ଗାନ୍ଧୀଜୀ ଦୁଇଟି ପର୍ଯ୍ୟାୟରେ ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ପଦଯାତ୍ରା ମଧ୍ୟ କରିଥିଲେ ।

ଏହାଛଡ଼ା ଡେଲାଙ୍ଗ ନିକଟବର୍ତ୍ତୀ ବେରବୋଇ ଗାଁ ଗହିରରେ ନିର୍ମିତ ପତ୍ର କୁଡ଼ିଆରେ ସର୍ଦ୍ଦାର ପଟେଲ, ରାଜେନ୍ଦ୍ର ପ୍ରସାଦ, ଜେ.ବି କୃପାଳିନୀ, ମୌଲାନା ଅଜାଦଙ୍କ ଭଳି ବହୁ ତୁଙ୍ଗ ନେତାଙ୍କ ସହ ୭ ଦିନ ଅବସ୍ଥାନ କରିଥିଲେ । ଯେଉଁସବୁ ସ୍ଥାନକୁ ଗାନ୍ଧୀଜୀ ଗସ୍ତ କରିଥିଲେ ସେଥିରୁ ଅନେକ ସ୍ଥାନର ଲୋକେ ନିଜ ଉଦ୍ୟମରେ ଶତବାର୍ଷିକୀ ସ୍ମାରକୀ ପାଳନ ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କରିଛନ୍ତି ।

ଗାନ୍ଧୀଜୀଙ୍କ ଆନ୍ଦୋଳନର ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ଲୋକେ ବ୍ରିଟିଶ୍‍ ପୁଲିସ ଗୁଳିରେ ସହିଦ ହୋଇଛନ୍ତି । ଏହିସବୁ ସହିଦ ସ୍ମାରକୀ ସହିତ ଲବଣ ସତ୍ୟାଗ୍ରହ, ଅସହଯୋଗ ଆନ୍ଦୋଳନ ଓ ବାଣୀ ସତ୍ୟାଗ୍ରହ ସହ ଜଡ଼ିତ ପୀଠଗୁଡ଼ିକୁ କେନ୍ଦ୍ରକରି ରାଜ୍ୟର ୩୦ଟି ଜିଲ୍ଲାରେ ଶତବାର୍ଷିକୀ କାର୍ଯ୍ୟକ୍ରମ ପାଳନ ହେବାକୁ ଯାଉଛି ।

ଆସନ୍ତାବର୍ଷ ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ହେଉଥିବା ଏବଂ ଚଳିତବର୍ଷ ଅସଯୋଗ ଆନ୍ଦୋଳନର ୧୦୦ ବର୍ଷ ଦୃଷ୍ଟିରୁ ଗାନ୍ଧୀ ବିଚାରର ପ୍ରଚାର ପ୍ରସାର ବେଶ୍‍ ପ୍ରାସଙ୍ଗିକ ହୋଇଛି ବୋଲି ଗାନ୍ଧୀବାଦୀ ଚିନ୍ତକମାନେ ମତବ୍ୟକ୍ତ କରୁଛନ୍ତି । ଖୁବ୍‍ଶୀଘ୍ର ଏ ସବୁର ପ୍ରତିପାଳନ ପାଇଁ ରାଜ୍ୟ ସରକାର ବିଧିବଦ୍ଧ ସମିତି ମଧ୍ୟ ଗଠନ କରିବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here