Home General ଲୋଗୋ ବିବାଦ ଯୋଗୁଁ ଘର ମିଳୁନି

ଲୋଗୋ ବିବାଦ ଯୋଗୁଁ ଘର ମିଳୁନି

ଭୁବନେଶ୍ୱର : ଗରିବ ଲୋକଙ୍କୁ ଘର ଯୋଗାଇବାପାଇଁ ଏବେ ‘ଲୋଗୋ’ ଅନ୍ତରାୟ ସାଜିଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀଙ୍କ ଲୋଗୋ ପାଇଁ ଜିଦ୍‍ କରୁଥିବାବେଳେ ରାଜ୍ୟ ବିଜୁ ବାବୁଙ୍କ ଲୋଗୋ ପାଇଁ ଅଡିବସିଛି ।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ କେନ୍ଦ୍ରୀୟ ମଞ୍ଜୁରୀ ମିଳିବାକୁ ଗୁରୁତର ଅନ୍ତରାୟ ଉପୁଜିଛି । ଓଡିଶାରେ ଗରିବ ଲୋକଙ୍କ ପାଇଁ ଅଧିକରୁ ଅଧିକ ଗ୍ରାମାଞ୍ଚଳରେ ଘର ଆବଶ୍ୟକ ପଡୁଥିବାବେଳେ ଏଥିଲାଗି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଣାଳୟ ମଞ୍ଜୁରୀ ଦେବା କ୍ଷେତ୍ରରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ଏହି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିବାବେଳେ ଏହାର ସମାଧାନର ବାଟ ଫିଟୁନାହିଁ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବରେ କାର୍ଯ୍ୟକାରୀ କରିଥାନ୍ତି । ଏହି ଘର ପାଇଁ ଯେହେତୁ କେନ୍ଦ୍ର ସରକାର ଅର୍ଥ ଯୋଗାଉଛନ୍ତି ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଲୋଗୋ ଏଥିରେ ଲଗାଇବାକୁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ବାଧ୍ୟ କରୁଛନ୍ତି । ଅନୁରୂପ ଭାବେ ରାଜ୍ୟ ସରକାର ଏଥିପାଇଁ ଅବଶିଷ୍ଟ ଅର୍ଥ ବିଜୁ ପକ୍କାଘର ଯୋଜନାରୁ ବ୍ୟୟ କରୁଥିବା ଜଣାଯାଏ । ତେଣୁ ଏହି ଘରେ ବିଜୁ ବାବୁଙ୍କ ଲୋଗୋ ଲଗାଯାଉଛି ।

ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବାଦାନୁବାଦ ଉପୁଜୁଛି । ଏହାକୁ ଆଳ କରି କେନ୍ଦ୍ରୀୟ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଏହି ଯୋଜନାରେ ଘର ମଞ୍ଜୁରୀ ଦେବା କ୍ଷେତ୍ରରେ ଅହେତୁକ ବିଳମ୍ବ ଉପୁଜାଉଥିବା ଅଭିଯୋଗ ହେଉଛି । ଏଭଳି ଅନ୍ତରାୟ ଦୂର କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ତେବେ ଏ କ୍ଷେତ୍ରରେ କେନ୍ଦ୍ର କୌଣସି ନିଷ୍ପତ୍ତି ନେଉନଥିବା ଜଣାଯାଇଛି ।

ପରିସ୍ଥିତିକୁ ଅନୁଧ୍ୟାନ କରିବାପାଇଁ ଇତି ମଧ୍ୟରେ ଏକ କେନ୍ଦ୍ରୀୟ ଦଳ ରାଜ୍ୟ ଗସ୍ତରେ ଆସି ବିଭିନ୍ନ ଇଲାକା ପରିଦର୍ଶନ କରି କେନ୍ଦ୍ରକୁ ରିପୋର୍ଟ ଦେବାପରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ତାଙ୍କର ମତାମତ ଜଣାଇଥିବା ଅଧିକାରୀମାନେ କହୁଛନ୍ତି । ଏହି ବାଦ ବିବାଦକୁ ନେଇ କେବଳ କାଗଜଚାଷ ଚାଲିଛି । କିନ୍ତୁ କେନ୍ଦ୍ରୀୟ ମଞ୍ଜୁରୀ ମିଳୁନଥିବା ଯୋଗୁଁ ଗରିବ ବାସହୀନ ଲୋକେ ଏହି ଯୋଜନାରେ ଉପକୃତ ହେବାରୁ ବଞ୍ଚିତ ନେଇ ଅଭିଯୋଗ ହେଉଛି ।

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ମଞ୍ଜୁରୀ ଦେବା ପରିବର୍ତ୍ତେ ପୁଣି ଆହୁରି ଏକ କେନ୍ଦ୍ରୀୟ ଟିମ୍‍ ରାଜ୍ୟକୁ ପଠାଇବା ସକାଶେ ଯୋଜନା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏହାଦ୍ୱାରା ଗରିବ ଲୋକଙ୍କୁ ଗୃହ ମିଳିବା କ୍ଷେତ୍ରରେ ବିଳମ୍ବ ହେବାର ଆଶଙ୍କା ଉପୁଜିଛି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ଏ କ୍ଷେତ୍ରରେ ଲୋଗୋ ବିବାଦରୁ ଦୂରରେ ରହି ପ୍ରକୃତ ପକ୍ଷେ କିଭଳି ଗରିବ ଲୋକେ ପିଏମଜିୱାଇ ଯୋଜନାରେ ଘର ଖଣ୍ଡିଏ ପାଇବେ ସେଥିପାଇଁ ପଦକ୍ଷେପ ନେବା ଉପରେ ଜନପ୍ରତିନିଧିମାନେ ଗୁରୁତ୍ୱଆରୋପ କରୁଛନ୍ତି । (ତଥ୍ୟ)