Home General ଲୋକସେବା ଭବନ କମ୍ପ୍ୟୁଟର ଅସୁରକ୍ଷିତ

ଲୋକସେବା ଭବନ କମ୍ପ୍ୟୁଟର ଅସୁରକ୍ଷିତ

ଭୁବନେଶ୍ୱର : ରାଜ୍ୟ ଲୋକସେବା ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ ଏବେ ପାଖାପାଖି ହଜାରେ କମ୍ପ୍ୟୁଟର ଅସୁରକ୍ଷିତ । କମ୍ପ୍ୟୁଟରକୁ ସୁରକ୍ଷା ଦେବାପାଇଁ ଆବଶ୍ୟକ ଆଣ୍ଟିଭାଇରସ୍‍ ଏଥିରେ ଅପଲୋଡ୍‍ କରାଯାଇ ପାରୁନାହିଁ । ବିଭାଗଗୁଡିକ ବର୍ଷ ବର୍ଷ ନିଜ ନିଜର କମ୍ପ୍ୟୁଟରକୁ ଅପଡେଟ୍‍ ନକରିବା ଫଳରେ ଏଭଳି ସ୍ଥିତି ଉପୁଜିଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ଲୋକସେବା ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ ଏବେ ବି ଶହ ଶହ କମ୍ପ୍ୟୁଟର ପୁରୁଣାକାଳିଆ ‘ୱିଣ୍ଡୋ-୭’ ଭର୍ସନରେ ଚାଲୁଛି । ବାରମ୍ବାର ତାଗିଦ ସତ୍ୱେ ବିଭାଗଗୁଡିକ ଏହାର ଅପଡେଟ୍‍ କରୁନାହାନ୍ତି । ବର୍ତ୍ତମାନେ ଅଧିକାଂଶ କମ୍ପ୍ୟୁଟର ୱିଣ୍ଡୋ-୧୦ ଓ ୱିଣ୍ଡୋ-୧୧ ଭର୍ସନରେ ଚାଲୁଛି । ତେଣୁ ସେମାନେ ନିଜ ନିଜ କମ୍ପ୍ୟୁଟରକୁ ଏହି ଭର୍ସନକୁ ଅପଡେଟ୍‍ ପାଇଁ କୁହାଯାଉଛି ।

ପୁରୁଣା ଭର୍ସନରେ ଚାଲୁଥିବା ପାଖାପାଖି ହଜାରେ କମ୍ପ୍ୟୁଟରରେ ଆଣ୍ଟିଭାଇରସ୍‍ ଅପଲୋଡ୍‍ ହୋଇପାରୁ ନାହିଁ । କାରଣ ଆଇଟି ବିଭାଗ ଯେଉଁ ନୂତନ ପୀଢିର ଆଣ୍ଟିଭାଇରସ ଖରିଦ କରିଛି ତାହାକୁ ଏହି ପୁରୁଣା ଭର୍ସନ ଗ୍ରହଣ କରୁନାହିଁ । ଫଳରେ ଏହିସବୁ କମ୍ପ୍ୟୁଟର ଏବେ ଅସୁରକ୍ଷିତ ହୋଇପଡିଛି । ସେହିଭଳି ଏହି ସଫ୍ଟୱରର ନିର୍ମାତା ମାଇକ୍ରୋସଫ୍ଟ ପୁରୁଣାକାଳିଆ ଭର୍ସନ ଅର୍ଥାତ୍‍ ୱଣ୍ଡୋ-୭ କୁ ଆଉ କୌଣସି ସହାୟତା ପ୍ରଦାନ କରୁନାହିଁ । ତେଣୁ ଯେ କୌଣସି ମୂହୂର୍ତ୍ତରେ ବିଭିନ୍ନ ବିଭାଗର ଏହି କମ୍ପ୍ୟୁଟରଗୁଡିକ ହଠାତ୍‍ ଅଚଳ ହୋଇଯିବାର ସମ୍ଭାବନା ରହିଛି ।

ବିଦେଶୀ ହ୍ୟାକରମାନଙ୍କ ନଜରରେ ଏବେ ସରକାରୀ ବିଭାଗଗୁଡିକ ରହିବା ଓ ସେମାନେ ବାରମ୍ବାର ବିଭିନ୍ନ ବିଭାଗର କମ୍ପ୍ୟୁଟରରୁ ତଥ୍ୟ ଚୋରାଇବାର ଉଦ୍ୟମ କରୁଥିବା ଜଣାପଡିବା ପରେ ସାଇବର ସୁରକ୍ଷା ସେଲ୍‍ ପକ୍ଷରୁ ଏହା ଉପରେ ତୀକ୍ଷ୍ଣ ନଜର ଯାଇଥିଲା । ଏହାପରେ ଲୋକସେବା ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ ଥିବା ଏହି ପୁରୁଣାକାଳିଆ ଓ ଆଣ୍ଟିଭାଇରସ ନଥିବା କମ୍ପ୍ୟୁଟରଗୁଡିକୁ ଅଧିକ ସାଇବର ଆକ୍ରମଣ ହେଉଥିବା ନଜରକୁ ଆସିଥିଲା ।

ଏହା ଜଣାପଡିବା ପରେ ତୁରନ୍ତ ନିଜ ନିଜର କମ୍ପ୍ୟୁଟରଗୁଡିକୁ ଅପଡେଟ୍‍ କରିବାପାଇଁ ବିଭାଗଗୁଡିକୁ କୁହାଯାଉଛି । ତେବେ କେତେକ ବିଭାଗ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନଥିବା ଏବେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି । କମ୍ପ୍ୟୁଟରଗୁଡିକୁ ସୁରକ୍ଷା ଦେବାପାଇଁ ସରକାର ଦୁଇ ହଜାରରୁ ଅଧିକ ଆଣ୍ଟିଭାଇରସ୍‍ କିଣି ନିଜ ପାଖରେ ରଖିଥିବାବେଳେ ସରକାରୀ ତଥ୍ୟ ଥିବା ଏହି ପୁରୁଣା ଭର୍ସନର କମ୍ପ୍ୟୁଟରକୁ କିନ୍ତୁ ସୁରକ୍ଷା ଯୋଗାଇ ପାରୁନାହାନ୍ତି । ବିଭାଗ ଗୁଡିକ ଯଦି ଯୁଦ୍ଧକାଳୀନ ଭିତ୍ତିରେ ଏ ଦିଗରେ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ କୌଣସି ମୂହୂର୍ତ୍ତରେ ସରକାରୀ ତଥ୍ୟକୁ ହ୍ୟାକରମାନେ ସହଜରେ ଚୋରାଇ ନେଇଯିବେ ଓ ସରକାରୀ କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)