Home News in Odia ଲୋକଙ୍କ ସେବାରେ ସମର୍ପିତ ବିଜେଡି

ଲୋକଙ୍କ ସେବାରେ ସମର୍ପିତ ବିଜେଡି

186
0


ଭୁବନେଶ୍ୱର : ବିଜେଡି ହେଉଛି ଲୋକଙ୍କ ଦଳ ଓ ଲୋକଙ୍କ ସେବାରେ ସମର୍ପିତ । ପ୍ରତିଦିନ ଲୋକଙ୍କ ପାଇଁ କାମ କରିବାକୁ କାର୍ଯ୍ୟକାରିଣୀରେ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା

ତୃଣମୂଳସ୍ତରରେ ବିଜେଡିକୁ ଅଧିକ ସଂଗଠିତ କରାଯିବା ସହ ଦଳର ସଦସ୍ୟଙ୍କ ସଂଖ୍ୟା ୧ କୋଟିରୁ ଅଧିକରେ ପହଞ୍ଚିଛି । ଦଳ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରତିଦିନ ସାଧାରଣ ଲୋକଙ୍କ ଆସ୍ଥା ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦଳ ଆଜି ମୁଣ୍ଡ ଟେକି ଠିଆ ହୋଇଛି । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଛବିକୁ କଦାପି ମଳିନ କରିବାକୁ ଦିଆଯିବ ନାହିଁ ଏବଂ ସାରା ରାଜ୍ୟରେ ବିଜେଡି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ଘରେ ଘରେ ପହଞ୍ଚାଇବାକୁ ପ୍ରଣବ ପ୍ରକାଶ ଦାସ କହିଥିଲେ ।

ଏହି କାର୍ଯ୍ୟକାରିଣୀ ବୈଠକରେ ଦଳର ବରିଷ୍ଠ ନେତା ୯ଟି ପ୍ରସ୍ତାବ ଆଗତ କରିଥିଲେ । କେନ୍ଦ୍ରର ଅବହେଳା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ବୋଲି ବରିଷ୍ଠ ନେତାମାନେ ମତ ଦେଇଥିଲେ । ଏସବୁ ସତ୍ତେ୍ୱ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ଦିଗଦର୍ଶନ ପାଇଁ ରାଜ୍ୟର ସମସ୍ତ ଲୋକାଭିମୁଖୀ କାର୍ଯ୍ୟ ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ । କେବଳ ଏତିକି ନୁହେଁ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ରାଜ୍ୟକୁ ବାରମ୍ବାର ଆଘାତ ଦେଇଚାଲିଛି ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଏହାକୁ ସଠିକ ଭାବେ ମୁକାବିଲା କରିପାରିଛନ୍ତି । ସେହିପରି କୃଷି ଓ କୃଷକଙ୍କୁ ଅଗ୍ରାଧିକାର ତଥା ସାମଗ୍ରିକ ବିକାଶ ପାଇଁ ବିଜେଡି ସଦାସର୍ବଦା କାର୍ଯ୍ୟ କରିଆସିଛି । ସ୍ୱାମୀନାଥନ କମିଟି ସୁପାରିସ ଅନୁସାରେ ଏମ୍ଏସ୍ପି ପାଇଁ ଲଢେଇ ଜାରି ରହିବ । ଓଡିଶା ସ୍ୱତନ୍ତ୍ର ରାଜ୍ୟ ପାଇଁ ସଂପୂର୍ଣ୍ଣ ହକଦାର । କିନ୍ତୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବା ସତ୍ତେ୍ୱ ବାରମ୍ବାର ପ୍ରତାରଣା କରୁଛି । ତେଣୁ ଆଗକୁ କିଭଳି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବ ସେଥିପାଇଁ ଦଳ ଦାବି ଉପସ୍ଥାପନ ଜାରି ରଖିବ ।

ମହିଳା ସଶକ୍ତିକରଣ ପାଇଁ ରାଜନୈତିକ ପ୍ରସ୍ତାବ ମଧ୍ୟ ଅନୁମୋଦିତ ହୋଇଛି । ରାଜ୍ୟରେ ପଞ୍ଚାୟତ ବ୍ୟବସ୍ଥାରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଇଛି । ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଦାବି ହୋଇଛି । ଏହି ବୈଠକରେ ମଧ୍ୟ ଓଡିଶାର ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ପ୍ରସ୍ତାବ ଅନୁମୋଦିତ ହୋଇଛି । ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପାଇଁ ଦାବି ହୋଇଛି । କେବଳ ସେତିକି ନୁହେଁ ଓଡିଶାର ବରପୁତ୍ରଙ୍କ ଗାଁକୁ ଆଦର୍ଶ ଗ୍ରାମ ହିସାବରେ ଗ୍ରହଣ କରାଯିବାକୁ ପ୍ରସ୍ତାବ କରାଯାଇଛି । ବରପୁତ୍ର ମାନଙ୍କର ଜୀବନୀକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବାକୁ ପ୍ରସ୍ତାବ ଦିଆଯାଇଛି ।

ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପୂର୍ଣ୍ଣ ସଶକ୍ତିକରଣ ପାଇଁ ପ୍ରସ୍ତାବ ହୋଇଛି । ଦଳର ବିଭିନ୍ନ ସାମୁଖ୍ୟ ତରଫରୁ ମଧ୍ୟ ସେମାନଙ୍କୁ ସଶକ୍ତ କରିବା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟରେ କିଭଳି ପଛୁଆ ବର୍ଗଙ୍କ ବିକାଶ ହୋଇପାରିବ ସେଥିପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟକାରିଣୀ ବୈଠକରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରି ସଭାକୁ ଆନୁଷ୍ଠାନିକ ଭାବେ ସମାପନ କରିଥିଲେ ଶ୍ରୀ ଦାସ ।

କାର୍ଯ୍ୟକାରିଣୀ ବୈଠକରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ପ୍ରମିଳା ମଲ୍ଲିକ, କିଶୋର କୁମାର ମହାନ୍ତି, କଳିକେଶ ନାରାୟଣ ସିଂହଦେଓ, ରମେଶ ଚନ୍ଦ୍ର ମାଝୀ, ଚନ୍ଦ୍ରଶେଖର ସାହୁ, ସାଧାରଣ ସମ୍ପାଦକ(ଗଣମାଧ୍ୟମ ଓ ଯୋଗାଯୋଗ) ମାନସ ରଞ୍ଜନ ମଙ୍ଗରାଜ ଓ ଡଃ.ସସ୍ମିତ ପାତ୍ର ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here