Home News in Odia ଲେନ୍‍ ଡ୍ରାଇଭିଂକୁ କେହି ମାନୁନାହାନ୍ତି

ଲେନ୍‍ ଡ୍ରାଇଭିଂକୁ କେହି ମାନୁନାହାନ୍ତି

ଭୁବନେଶ୍ୱର : ବାରମ୍ବାର ଘୋଷଣା ଓ ତୁହାକୁ ତୁହା ସଚେତନତା କାର୍ଯ୍ୟକ୍ରମ ସତ୍ୱେ ଭୁବନେଶ୍ୱର ଓ କଟକ କମିଶନରେଟ ପୁଲିସ୍‍ ଅଞ୍ଚଳରେ ‘ଲେନ୍‍ ଡ୍ରାଇଭିଂ’ ବ୍ୟବସ୍ଥା କଡାକଡି ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଫଳରେ ଆଇନ୍‍ ମାନି ନିର୍ଦ୍ଧାରିତ ଲେନ୍‍ରେ ଗାଡି ଚଳାଉଥିବା ଚାଳକଙ୍କ ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ଇତ୍ୟାଦି ଅଟକିବାକୁ ବାଧ୍ୟ ହେଉଛନ୍ତି ।

ଟ୍ରାଫିକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବାପାଇଁ କମିଶନରେଟ ପୁଲିସ୍‍ ଦ୍ୱେିତନଗରୀରେ ଅନେକଗୁଡିଏ ଟ୍ରାଫିକ ଥାନା ଖୋଲିଛି । ଟ୍ରାଫିକ ନିୟନ୍ତ୍ରଣକୁ ସୁବ୍ୟବସ୍ଥିତ କରିବାପାଇଁ ବି ସ୍ୱତନ୍ତ୍ର ଭାବେ ଏସିପି ଓ ଡିସିପି ଆଦି ନିଯୁକ୍ତ ହୋଇଛନ୍ତି । ବିଭିନ୍ନ ଛକରେ ଲେନ୍‍ ଡ୍ରାଇଭିଂ ପାଇଁ କିଛିମାସ ଧରି ଡାକବାଜି ଯନ୍ତ୍ରରେ ପ୍ରଚାର କରାଗଲା । ଉଦ୍ଦେଶ୍ୟ ରହିଥିଲା ବିଭିନ୍ନ ଟ୍ରାଫିକ ଛକର ବାମପଟ ଲେନ୍‍ ରାସ୍ତାଗୁଡିକୁ ଫାଙ୍କା ରଖିବା । ଫଳରେ ଆମ୍ବୁଲାନ୍ସ, ଅଗ୍ନିଶମ, ପୁଲିସ୍‍ ପିସିଆର ଓ ଅନ୍ୟାନ୍ୟ ଜରୁରୀ ସେବାର ଯାନଗୁଡିକ ସହଜରେ ଯାତାୟତ କରିପାରିବ । ଏହାଛଡା ଯେଉଁ ଚାଳକମାନେ ଟ୍ରାଫିକ ଛକରୁ ବାମ ଦିଗକୁ ଯିବାର ଥିବ ସେମାନେ ଅନ୍ୟ ଲେନ୍‍ରେ ନଅଟକି ବାମ ଲେନ୍‍ରେ ଅନ୍ୟାୟସରେ ଯାଇପାରିବେ ।

ଟ୍ରାଫିକ ପୁଲିସ୍‍ ପକ୍ଷରୁ ବାରମ୍ବାର ଚେତାବନୀ ଦିଆଯାଇଥିଲା ଯେ ଯେଉଁମାନେ ଲେନ୍‍ ଡ୍ରାଇଭିଂ ବ୍ୟବସ୍ଥାର ଅନୁପାଳନ ନକରି ବାମଲେନ୍‍ ରାସ୍ତାକୁ ଅଯଥାରେ ଅବରୋଧ କରି ରଖିବେ ସେମାନଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲାଗିବ । କିଛିମାସ ଧରି ଏଭଳି ପ୍ରଚାର ଚାଲିବାପରେ ଆଉ ସତର୍କ ସୂଚନା ଦିଆଯାଉନାହିଁ । ଫଳରେ ରାଜଧାନୀ ସମେତ କମିଶନରେଟ ପୁଲିସ୍‍ର ବିଭିନ୍ନ ଟ୍ରାଫିକଛକରେ ଲେନ୍‍ ଡ୍ରାଇଭିଂକୁ ଆଉ ବିଶେଷ ଗୁରୁତ୍ୱ ଦିଆଯାଉନାହିଁ । ଏଥିଯୋଗୁଁ ବହୁ ଟ୍ରାଫିକ ଛକରେ ବାମପଟ ଲେନ୍‍ ରାସ୍ତା ଦୀର୍ଘ ସମୟ ଧରି ଅବରୋଧ ହୋଇ ରହିବା ଫଳରେ ଗାଡି ଚଳାଚଳ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହେଉଛି ।

ସେହିପରି ଭୁବନେଶ୍ୱର ଓ କଟକ ମଧ୍ୟଦେଇ ଯାଇଥିବା ଜାତୀୟ ରାଜପଥରେ ଭାରିଯାନଗୁଡିକ ନିର୍ଦ୍ଦିଷ୍ଟ ଲେନ୍‍ରେ ଯାତାୟତ କରିବା ଏବଂ ସମସ୍ତ ମୋଟରଯାନ ନିର୍ଦ୍ଧାରିତ ଗତି ସୀମା ମଧ୍ୟରେ ଗାଡି ଚଳାଇବାକୁ ବ୍ୟବସ୍ଥା ଅଛି । କିନ୍ତୁ ଜାତୀୟ ରାଜପଥରେ ପ୍ରାୟତଃ ଏହି ଟ୍ରାଫିକ ଶୃଙ୍ଖଳାକୁ ଅଧିକାଂଶ ଚାଳକ ମାନୁନାହାନ୍ତି । ଭାରିଯାନଗୁଡିକ ନିର୍ଦ୍ଦିଷ୍ଟ ଲେନ୍‍ରେ ଯିବା ପରିବର୍ତ୍ତେ ମନଇଚ୍ଛା ସବୁ ଲେନ୍‍ରେ ଯାଉଥିବାରୁ ଅନ୍ୟ ଗାଡିଗୁଡିକ ଯିବାଆସିବା କରିବାରେ ସମସ୍ୟା ସୃଷ୍ଟି ହେଉଛି । କେବଳ ସେତିକି ନୁହେଁ, ଗତି ସୀମା କଟକଣା ନମାନି ଦ୍ରୁତ ଗାଡିଚାଳନା କରାଯିବା ଫଳରେ ଅନେକ ଦୁର୍ଘଟଣା ବି ଘଟୁଛି ।

ସହରାଞ୍ଚଳର ବିଭିନ୍ନ ସ୍ଥାନରେ ହେଲମେଟ୍‍ ଓ ସିଟ୍‍ବେଲ୍ଟ ଚେକିଂ ଚାଲୁଥିବାବେଳେ ଜାତୀୟ ରାଜପଥରେ ଅଧିକାଂଶ ଗାଡିଚାଳକ ହେଲମେଟ୍‍ କି ସିଟ୍‍ବେଲ୍ଟ ବ୍ୟବହାର କରୁନାହାନ୍ତି । ଦ୍ରୁତ ଗାଡିଚାଳନାକୁ ରୋକିବାପାଇଁ ଇଣ୍ଟରସେପ୍ଟରମାନ କିଣାଯାଉଛି । ଅଥଚ ତାହାର ପୂର୍ଣ୍ଣ ବିନିଯୋଗ ହେଉନାହିଁ । ସେହିଭଳି ଚତୁର୍ଥ ଲହର ଲାଗି କରୋନା ଏବେ ଭୟ ସୃଷ୍ଟି କରୁଥିବାବେଳେ ମାସ୍କ ପରିଧାନକୁ କମିଶନରେଟ ପୁଲିସ୍‍ ଅଞ୍ଚଳରେ ଅଧିକାଂଶ ଲୋକ ଏକ ପ୍ରକାର ଭୁଲିଗଲେଣି । ଆଇନାନୁଯାୟୀ ମାସ୍କ ପରିଧାନ ନକଲେ ଦଣ୍ଡ ବିଧାନର ବ୍ୟବସ୍ଥା ଥିଲେ ମଧ୍ୟ ତାହାର ପୂର୍ଣ୍ଣ ଅନୁପାଳନ କରାଯାଉନାହିଁ ।

ନିଶାସକ୍ତ ଅବସ୍ଥାରେ ଗାଡିଚାଳନା କରିବା ଏବଂ ବାର୍‍ ଓ ନିଜ ଘର ସମେତ ନିର୍ଦ୍ଧାରିତ ସ୍ଥାନ ଛଡା ଅନ୍ୟ କୌଣସି ସର୍ବସାଧାରଣ ସ୍ଥାନରେ ମଦ ଓ ଅନ୍ରାନ୍ୟ ନିଶାଦ୍ରବ୍ୟ ସେବନ କରାଯାଇ ପାରିବନାହିଁ ବୋଲି କଡା ଆଇନ୍‍ ଥିବା ସତ୍ୱେ ଏହାକୁ ବି ନିଶାଡିମାନେ ମାନୁନାହାନ୍ତି । (ତଥ୍ୟ)