Home General ଲେଉଟିପାରେ ଲକ୍‍ଡାଉନ୍‍

ଲେଉଟିପାରେ ଲକ୍‍ଡାଉନ୍‍

ଭୁବନେଶ୍ୱର : ଲକ୍‍ଡାଉନ୍‍ର ବର୍ଷପୂର୍ତ୍ତି ହେବାକୁ ଯାଉଥିବା ବେଳେ କରୋନା ମହାମାରୀର ଲେଉଟାଣି ଏବେ ଯେମିତି ଫଁ ଦେଖାଉଛି ତାହା ଅବ୍ୟାହତ ରହିଲେ ପୁଣି ଓଡ଼ିଶାରେ ଲକ୍‍ଡାଉନ୍‍, ସଟ୍‍ଡାଉନ୍‍, କଣ୍ଟେନ୍‍ମେଣ୍ଟ ଆଦି କଟକଣା ଲାଗୁ ହୋଇପାରେ । ସରକାର ଓ ବିଶେଷଜ୍ଞମାନେ ଏହି ଆଶଙ୍କାକୁ ଆଖି ଆଗରେ ରଖି ଲୋକେ ସତର୍କ ହେବା ଲାଗି ବାରମ୍ବାର ଚେତାଉଥିଲେ ମଧ୍ୟ ହାଟ ବଜାରରୁ ଆରମ୍ଭ କରି ବାହାଘର ଓ ରାଜନୈତିକ ସଭାସମିତି ପର୍ଯ୍ୟନ୍ତ ଯେମିତି ଜନଗହଳି ଦେଖାଦେଉଛି ତାହା ଉଦ୍‍ବେଗର କାରଣ ହୋଇଛି ।

ଆମ ରାଜ୍ୟ ତଥା ଦେଶରେ ପ୍ରଥମ ଲକ୍‍ଡାଉନ୍‍ ୨୦୨୦ ମାର୍ଚ୍ଚ ୨୪ରେ ଘୋଷଣା କରାଯାଇଥିଲା । ସେତେବେଳେ ଭାରତରେ ମୋଟ୍‍ ଚିହ୍ନିତ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୬ ଥିବା ବେଳେ ମୃତ୍ୟୁସଂଖ୍ୟା ୧୦ରେ ସୀମିତ ଥିଲା । ପ୍ରଥମ ଲକ୍‍ଡାଉନ୍‍ ଘୋଷଣା ବେଳକୁ ଓଡ଼ିଶାରେ ଚିହ୍ନିତ କରୋନା ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୨ ରହିଥିଲା । ଏ ଦୁଇଜଣ ସଂକ୍ରମିତ ଯୁବକଙ୍କ ଭିତରୁ ଜଣେ ଇଟାଲୀ ଓ ଅନ୍ୟଜଣେ ଲଣ୍ଡନ ଫେରନ୍ତା ଛାତ୍ର ଥିଲେ ।

ସରକାରୀ ହିସାବ ମୁତାବକ ଆଦିସୁଦ୍ଧା ଦେଶରେ ଚିହ୍ନିତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୧୫,୫୫,୨୮୪ରୁ ଅଧିକ ହୋଇଥିବା ବେଳେ ଏଥିରେ ମୃତ୍ୟୁସଂଖ୍ୟା ପାଖାପାଖି ଲକ୍ଷେ ୬୦ହଜାର ରେକର୍ଡ କରାଗଲାଣି । ଏଯାବତ୍‍ ଓଡ଼ିଶାରେ ୩,୩୮,୭୨୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୃତ୍ୟୁସଂଖ୍ୟା ୧୯୧୮ରେ ପହଞ୍ଚିଛି । ଏବେ ରାଜ୍ୟରେ ପାଖାପାଖି ୮୦୦ କରୋନା ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ଦେଶରେ ଲକ୍‍ଡାଉନ୍‍, ସଟ୍‍ଡାଉନ୍‍ ଆଦି ଯୋଗୁ ଦୀର୍ଘଦିନ ଧରି ବିମାନ ଓ ରେଳ ଚଳାଚଳ ବନ୍ଦ ରହିଥିଲା । ଏହି ସମୟରେ ଗୁଜରାଟ, ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟକୁ କାମଧନ୍ଦା ପାଇଁ ଯାଇଥିବା ଓଡ଼ିଆ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । କିଏ ସମୁଦ୍ର ପଥରେ ତ ଆଉ କିଏ ଅନୁମତି ନେଇ ସଡ଼କ ପଥରେ ଭିଟାମାଟିକୁ ଫେରିଥିଲେ । ଏମାନଙ୍କୁ ଫେରାଇ ଆଣିବା ଲାଗି ସ୍ୱତନ୍ତ୍ର ରେଳ ବ୍ୟବସ୍ଥା ହୋଇଥିଲା । ଅନ୍ୟ ରାଜ୍ୟରେ ଭୋକ ଉପାସରେ ରହିଥିବା ସଂକ୍ରମିତ ଲୋକ ଓଡ଼ିଶା ଫେରିବା ପରେ ଏଠି ସେମାନଙ୍କୁ କ୍ୱାରେଣ୍ଟାଇନ୍‍ କେନ୍ଦ୍ରମାନଙ୍କରେ ରଖାଯାଇଥିଲା ଏବଂ ଏମାନଙ୍କ ଯୋଗୁ ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ଅଧିକ ଦେଖାଦେଇଥିଲା ।

ଏବେ ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, କେରଳ ଆଦି ଅନେକ ରାଜ୍ୟରେ ପୁଣି କରୋନା ତାହାର କରାଳ କାୟା ମେଲାଇବାରେ ଲାଗିଛି । ଏଥିଯୋଗୁ କେତେକ ରାଜ୍ୟରେ ପୁଣି ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ଆଦି ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ପୁଣି ଓଡ଼ିଶାକୁ ଫେରନ୍ତା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ କିଛି ଶିକ୍ଷାନୁଷ୍ଠାନର ସୀମିତ ସଂଖ୍ୟକ ଶ୍ରେଣୀ ଖୋଲା ଯାଇଥିବା ବେଳେ କେତେକ ସ୍ଥଳରେ କରୋନା ସଂକ୍ରମଣ ବ୍ୟାପୁଛି । ଏହାକୁ ଆଖିଆଗରେ ରଖି ସରକାର ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଆଉ ଶ୍ରେଣୀ ଖୋଲୁନାହାନ୍ତି । ବସ୍ତୁତଃ ଆସନ୍ତା ଶିକ୍ଷାବର୍ଷରେ ଏହି ଶ୍ରେଣୀ ସବୁ ଖୋଲିପାରେ ।

ଗତବର୍ଷ ଏପ୍ରିଲ୍‍ରୁ ଜୁନ୍‍ ପର୍ଯ୍ୟନ୍ତ ଆମ ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ କଡ଼ା କଟକଣା ଲାଗୁକରି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ । ଏବେଠାରୁ ପୁଣି କଟକଣା ନ ଲାଗିଲେ ସ୍ଥିତି ବିଗିଡ଼ିପାରେ ବୋଲି ବୈଜ୍ଞାନିକ ଓ ଚିକିତ୍ସିକମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here