Home Agriculture ଲୁଣ ପାଇଁ ଏବେ ବି ନିର୍ଭରଶୀଳ

ଲୁଣ ପାଇଁ ଏବେ ବି ନିର୍ଭରଶୀଳ

ଭୁବନେଶ୍ୱର : ଲୁଣ ଉତ୍ପାଦନ ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ପ୍ରାକୃତିକ ଭିତ୍ତିଭୂମି ଥିବା ବେଳେ କେନ୍ଦ୍ର ସରକାରଙ୍କ ଲବଣ କମିଶନର ସହଯୋଗ ଅଭାବରୁ ଲୁଣ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛି ।

ସରକାରୀ ତଥ୍ୟ ମୁତାବକ ଓଡ଼ିଶା ପାଇଁ ବାର୍ଷିକ ପ୍ରାୟ ୭ ଲକ୍ଷ ମେଟ୍ରିକ୍‍ ଟନ୍‍ ଲୁଣ ଆବଶ୍ୟକ ଥିବା ବେଳେ ରାଜ୍ୟରେ ବାର୍ଷିକ ୫ହଜାର ମେଟ୍ରିକ୍‍ ଟନ୍‍ ଲୁଣ ମଧ୍ୟ ଉତ୍ପାଦିତ ହୋଇପାରୁନାହିଁ । ଫଳରେ ଗୁଜରାଟ, ରାଜସ୍ଥାନ, ତାମିଲନାଡ଼ୁ ଆଦି ରାଜ୍ୟରୁ ଓଡ଼ିଶାକୁ ଲୁଣ ଆମଦାନୀ କରିବାକୁ ପଡ଼ୁଛି ।

ଓଡ଼ିଶାରେ ୪୮୦ କିଲୋମିଟର ଦୈର୍ଘ୍ୟର ସାମୁଦ୍ରିକ ବେଳାଭୂମି ଥିବା ବେଳେ ପ୍ରାୟ ୧୧୦୦ ବର୍ଗକିଲୋମିଟର ପରିମିତ ଅଞ୍ଚଳରେ ଚିଲିକା ହ୍ରଦ ରହିଛି । ପୂର୍ବରୁ ଓଡ଼ିଶାରେ ବ୍ୟାପକ ଲୁଣ ଉତ୍ପାଦନ ହେଉଥିଲା ଏବଂ ଓଡ଼ିଶାର ଲୁଣ ଅନ୍ୟ ରାଜ୍ୟମାନଙ୍କରେ ବିକ୍ରି ହେଉଥିଲା । ତେବେ ବ୍ରିଟିଶ୍‍ ଶାସନ ସମୟରେ ଲୁଣ ଉପରେ କର ସହ ଅନ୍ୟାନ୍ୟ ଆକ୍ରୋଶମୂଳକ ବ୍ୟବସ୍ଥା ଯୋଗୁ ଲୁଣ ଉତ୍ପାଦନ ରାଜ୍ୟରେ ବାଧାପ୍ରାପ୍ତ ହୋଇଥିଲା । ଏ ପ୍ରସଙ୍ଗ ସେତେବେଳେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରମୁଖ ବାରମ୍ବାର ବିହାର-ଓଡ଼ିଶା ବିଧାନସଭାରେ ଉଠାଉଥିଲେ ।

ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ୧୯୩୦ ମସିହାରେ ହୋଇଥିବା ଲବଣ ସତ୍ୟାଗ୍ରହରେ ଗୁଜରାଟ ପଛକୁ ଓଡ଼ିଶାର ଯୋଗଦାନ ସର୍ବାଧିକ ଥିଲା । ଅବିଭକ୍ତ ବାଲେଶ୍ୱର, କଟକ, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଲବଣ ସମବାୟ ସମିତି ମାଧ୍ୟମରେ ଏବଂ ଆଉ କେତେକ ବ୍ୟକ୍ତିଗତ ଉଦ୍ୟମରେ ଲୁଣ ମାରୁଥିଲେ । ଏଥିରେ ଲକ୍ଷାଧିକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ପାଉଥିଲେ ଏବଂ ତାହା ଗ୍ରାମ୍ୟ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରୁଥିଲା ।

ଚେନ୍ନାଇର ଡେପୁଟୀ ଲବଣ କମିଶନରଙ୍କ ଦପ୍ତରର ପ୍ରଦତ୍ତ ତଥ୍ୟ ମୁତାବକ ପୁରୀ ଜିଲ୍ଲାରେ ଅସ୍ତରଙ୍ଗ ଲବଣ ଉତ୍ପାଦନ ଓ ବିକ୍ରୟ ସମବାୟ ସମିତି, ଗଞ୍ଜାମ ଜିଲ୍ଲାରେ ହୁମା ଓ ବିଞ୍ଚଣାପାଲ୍ଲୀ ଏବଂ ବାହୁଦା ଲବଣ ଉତ୍ପାଦନ ଓ ବିକ୍ରୟ ସମିତି ଏବଂ ବାଲେଶ୍ୱର ଜିଲ୍ଲାର ବୋଳଙ୍ଗ ଲବଣ ଉତ୍ପାଦନ ଓ ବିକ୍ରିୟ ସମିତି ମଧ୍ୟରୁ ଏବେ କେବଳ ବୋଳଙ୍ଗ ସମବାୟ ସମିତିଟି କଷ୍ଟେ ମଷ୍ଟେ ବଞ୍ଚିଛି ।

ସରକାରୀ ତଥ୍ୟ ମୁତାବକ ୨୦୧୭-୧୮ ବର୍ଷରେ ଓଡ଼ିଶାରେ ମାତ୍ର ୩୧୩୫ ମେଟ୍ରିକ୍‍ ଟନ୍‍ ଲୁଣ ଉତ୍ପାଦିତ ହୋଇଥିବା ବେଳେ ପରବର୍ତ୍ତୀ କୌଣସି ବର୍ଷରେ ଏହାର ପରିମାଣ ୫ହଜାର ମେଟ୍ରିକ୍‍ ଟନ୍‍କୁ ଟପୁନାହିଁ । ଓଡ଼ିଶା ପାଇଁ ବାର୍ଷିକ ୬.୭୦ ଲକ୍ଷ ମେଟ୍ରିକ୍‍ ଟନ୍‍ ଲୁଣର ଆବଶ୍ୟକତା ଥିବା ବେଳେ ସେଥିମଧ୍ୟରୁ ଖାଦ୍ୟ ପାଇଁ ୨.୨୦ ଲକ୍ଷ ମେଟ୍ରିକ୍‍ ଟନ୍‍ ଓ ଶିଳ୍ପ ପାଇଁ ୪.୫୦ ଲକ୍ଷ ଟନ୍‍ ଲୁଣ ଦରକାର ହେଉଛି ।

ଏବେ ଗେଡ଼ା ଲୁଣ ପରିବର୍ତ୍ତେ ଆୟୋଡିନ୍‍ଯୁକ୍ତ ଲୁଣର ବ୍ୟାପକ ବ୍ୟବହାର ଚାଲିଛି । ଓଡ଼ିଶାରେ ଉତ୍ପାଦିତ ହେଉଥିବା ଗେଡ଼ା ଲୁଣକୁ ଅଳ୍ପ ଖର୍ଚ୍ଚରେ ଆୟୋଡିନ୍‍ଯୁକ୍ତ କରାଯାଇପାରିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଲବଣ କମିଶନର ଓ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସାମାନ୍ୟ ସହାୟତା ପ୍ରଦାନ କଲେ ଲୁଣ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସ୍ୱାବଲମ୍ବୀ ହେବା ସହ ଅନେକ ଲୁଣଭିତ୍ତିକ କାରଖାନା ପ୍ରତିଷ୍ଠା କରାଯାଇପାରିବ । ଓଡ଼ିଶାରେ ଉତ୍ପାଦିତ ଲୁଣକୁ ଆୟୋଡିନ୍‍ ମିଶ୍ରିତ କରି କିଲୋ ୮ରୁ ୧୦ ଟଙ୍କାରେ ଲୋକଙ୍କୁ ଯୋଗାଇ ହେବ । ଓଡ଼ିଶାର ଯେତିକି ଭିତ୍ତିଭୂମି ରହିଛି ସେଥିରେ ବାର୍ଷିକ ୬୦ହଜାର ମେଟ୍ରିକ୍‍ ଟନ୍‍ରୁ ଅଧିକ ଲୁଣ ସହଜରେ ଉତ୍ପାଦିତ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି ।