Home News in Odia ଲୁଣା ବନ୍ଧ ପାଇଁ ୧୯୪୪ କୋଟିର ଯୋଜନା

ଲୁଣା ବନ୍ଧ ପାଇଁ ୧୯୪୪ କୋଟିର ଯୋଜନା

ଭୁବନେଶ୍ୱର : ଓଡିଶା ଉପକୂଳରେ ୧୯୪୪ କୋଟି ଟଙ୍କା ବ୍ୟୟରେ ୩୮୦ କିଲୋମିଟର ଦୈର୍ଘ୍ୟର ଲୁଣା ବନ୍ଧ ନିର୍ମାଣ କରାଯିବ । ରାଜ୍ୟ ସରକାର ଏଥିପାଇଁ ଏନ୍‍ଆଇଓଟି ଚେନ୍ନାଇ , ଆଇଆଇଟି ମାଡ୍ରାସ ଓ ଆଇଏନ୍‍ସିଓଆଇଏସ୍‍ ହାଇଦ୍ରାବାଦ ଠାରୁ ବୈଷୟିକ ସହାୟତା ଲୋଡିଛନ୍ତି ।

ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଏହି ମର୍ମରେ ଚେନ୍ନାଇ ଏନ୍‍ଆଇଓଟି ଓ ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକଙ୍କ ସହିତ ଆଇଏନ୍‍ସିଓଆଇଏସ୍‍ ହାଇଦ୍ରାବାଦର ଅଧ୍ୟକ୍ଷକଙ୍କୁ ପତ୍ର ଲେଖିଛନ୍ତି । ରାଜ୍ୟରେ ଥିବା ଲୁଣା ବନ୍ଧଗୁଡିକୁ ଅଧିକ ମଜବୁତ କରିବାପାଇଁ ବୈଜ୍ଞୟିକ ଜ୍ଞାନକୌଶଳ ଯୋଗାଇବା ସହିତ ଏହାକୁ ଦିଗଦର୍ଶନ ଦେବାକୁ ପ୍ରମୁଖ ସଚିବ ଅନୁରୋଧ କରିଛନ୍ତି ।

ବାରମ୍ବାର ଉପକୂଳ ଅଞ୍ଚଳରେ ପ୍ରବଳ ବନ୍ୟା ଓ ବାତ୍ୟା ଯୋଗୁଁ ବ୍ୟାପକ ଧନଜୀବନ କ୍ଷତିଗ୍ରସ୍ତ ହେଉଛି । ଓଡିଶାର ୬ଟି ଜିଲ୍ଲାରେ ୪୮୦ କିଲୋମିଟର ବ୍ୟାପି ଉପକୂଳ ରହିଛି । ପ୍ରମୁଖ ସଚିବ ଦର୍ଶାଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରାୟ ବର୍ଷେ ଅନ୍ତରରେ ଓଡିଶା ସମ୍ମୁଖୀନ ହେଉଥିବା ଛୋଟ ଓ ବଡ ବାତ୍ୟା ରାଜ୍ୟରେ ଅନେକ ଧନଜୀବନ ସହିତ ଭିତ୍ତିଭୂମିକୁ କ୍ଷତିଗ୍ରସ୍ତ କରୁଛି । ଏହାବାଦ୍‍ ଉପକୂଳ ଅବକ୍ଷୟ ଓ ଉଚ୍ଚା ଜୁଆର ଉପକୂଳବାସୀଙ୍କ ପାଇଁ ଅନ୍ୟତମ ବିପଦ ହୋଇଛି ।

ରାଜ୍ୟ ସରକାର ଇତି ମଧ୍ୟରେ ଉପକୂଳ ଅଞ୍ଚଳରେ କେତେକ ଲୁଣାବନ୍ଧକୁ ଚିହ୍ନଟ କରିଥିବାବେଳେ ଏହାକୁ ମଜବୁତ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଆବଶ୍ୟକ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ ଆସନ୍ତା ମାସ ପ୍ରାରମ୍ଭରେ ଭୁବନେଶ୍ୱରରେ ଏକ ଆଲୋଚନାଚକ୍ର ଆୟୋଜିତ କରୁଛି । ଏଥିରେ ଏନଆଇଓଟି ଚେନ୍ନାଇ, ଆଇଆଇଟି ମାଡ୍ରାସ ଓ ଆଏନ୍‍ସିଓଆଇଏସ୍‍ ଭଳି ବୈଷୟିକ ସଂସ୍ଥାମାନେ ଯୋଗଦେବେ ।

ଉପକୂଳର ୩୮୦ କିଲୋମିଟର ଦୈର୍ଘ୍ୟ ଲୁଣାବନ୍ଧ ନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ତଦାରଖରେ ଡିପିଆର ପ୍ରସ୍ତୁତ କରାଯିବ । ପଥର ପ୍ୟାକିଂ ଦିଆଯାଇ ଏହି ଲୁଣାବନ୍ଧ ନିର୍ମାଣ ହେବ । ଜୁଆର ମାଡରୁ ଏହାକୁ ସୁରକ୍ଷା ଦେବାପାଇଁ ଏହି ପଥର ଚାରିପଟେ ଲୁହାଜାଲି ଲଗାଯିବ । ସେହିଭଳି ଉଚ୍ଚ ଜୁଆର ଏବଂ ପବନର ବେଗକୁ ରୋକିବାପାଇଁ ବନ୍ଧ ନିର୍ମାଣ ସହିତ ବ୍ୟାପକ ବୃକ୍ଷରୋପଣ ହେବ ।

୨୦୧୩ ରୁ ୨୦୧୬ ମଧ୍ୟରେ କେନ୍ଦ୍ରାପଡା, ଜଗତ୍‍ସିଂହପୁର, ପୁରୀ ଏବଂ ଗଞ୍ଜାମରେ ନିର୍ମାଣ ହୋଇଥିବା ୫୨କିଲୋମିଟରର ଲୁଣାବନ୍ଧ ଏବେ ବି ଉପକୂଳ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରୁଛି । ଗତ ମଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କରିଥିବା ବୈଠକରେ ରାଜ୍ୟର ସମ୍ବେଦନଶୀଳ ୪୮୦ କିଲୋମିଟର ବେଳାଭୂମି ପ୍ରସଙ୍ଗ ଉଠାଇଥିଲେ । ଉଲ୍ଲେଖନୀୟ ଯେ ବାତ୍ୟା ୟାସ ଭଦ୍ରକ ଜିଲ୍ଲାର ଧାମରା ନିକଟରେ ସ୍ଥଳଭାଗ ଛୁଇଁବା ସମୟରେ ପାଖାପାଖି ୧୨୫ଟି ଗ୍ରାମରେ ଲୁଣାପାଣି ମାଡି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । (ତଥ୍ୟ)