Home Agriculture ଲୁଣାପାଣି ମାଛ ଚାଷ କ୍ଷେତ୍ରରେ ୭୪୭% ବୃଦ୍ଧି

ଲୁଣାପାଣି ମାଛ ଚାଷ କ୍ଷେତ୍ରରେ ୭୪୭% ବୃଦ୍ଧି

ଭୁବନେଶ୍ୱର : ଲୁଣାପାଣି  ମାଛ ଚାଷ କ୍ଷେତ୍ରରେ  ଅଭୁତପୂର୍ବ ସଫଳତା ହାସଲ ହୋଇଛି ।  ଗତ ୧୦ ବର୍ଷ  ମଧ୍ୟରେ ଉତ୍ପାଦନ ୭୪୭ ପ୍ରତିଶତ  ବୃଦ୍ଧି ପାଇଛି ଏବଂ ଓଡ଼ିଶାରୁ ସାମୁଦ୍ରିକ ଖାଦ୍ୟ  ରପ୍ତାନୀ ମୂଲ୍ୟ  ୩ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ  ବୈଠକରୁ  ଏହା ଜଣାପଡିଛି ।

ଏହି  ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ  ପରିଚାଳନା ବିଭାଗ  ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଲୁଣାପାଣି ମାଛ ଚାଷ ନିମନ୍ତେ ଜମି ଲିଜ୍‌ ଦେବା ସମ୍ୱନ୍ଧିତ ବ୍ୟବସ୍ଥା ଆଲୋଚନା  ପାଇଁ ଉପସ୍ଥାପନ କରିଥିଲେ ।  

ପ୍ରଚଳିତ ନିୟମ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା  ଅଗ୍ରଗତି ସମୀକ୍ଷା କରି ଏହି ଅର୍ଥକାରୀ ​‌କ୍ଷେତ୍ରର ଅଧିକ ବିକାଶ ନିମନ୍ତେ  ଏକ ସରଳ, ସମନ୍ୱିତ  ଏବଂ ଦୁରଦର୍ଶୀ  ନିୟାମକ ପ୍ରସ୍ତୁତ କରିବା ପାଇଁ  ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର  ନିର୍ଦ୍ଦେଶ ଦେଇଥିଲେ । ମତ୍ସ୍ୟ ଓ ପଶୁ ସଂପଦ ବିଭାଗ, ଇଡ୍‌କୋ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ସମନ୍ୱିତ ଭାବେ ଏହି ନିୟାମକ ପ୍ରସ୍ତୁତ କରିବାକୁ  ନିର୍ଦ୍ଦେଶ ଦେଇଥିଲେ ।

ଚାଷୀ, ଉଦ୍ୟୋଗୀ ଏବଂ କ୍ଷେତ୍ରସହ ସଂପୃକ୍ତ ସମସ୍ତ ସଂସ୍ଥାମାନଙ୍କ ସହ ଆଲୋଚନା କରି  ସେମାନଙ୍କର  ପରାମର୍ଶ ନେବା ସହ  ନିୟାମକୁ  ସରଳ, ସୁଗମ ଏବଂ ଲକ୍ଷ୍ୟଭେଦୀ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ବିଭିନ୍ନ ଜିଲ୍ଲାରେ ଲୁଣାପାଣି ମାଛଚାଷ ପାଇଁ ଉପଯୁକ୍ତ ଜମି ଚିହ୍ନଟ କରିବା ନିମନ୍ତେ  ଇଡ୍‌କୋ, ମତ୍ସ୍ୟ ଅଧିକାରୀ ଏବଂ ସଂପୃକ୍ତ ଜିଲ୍ଲାପ୍ରଶାସନଙ୍କୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏଥି ପାଇଁ ଲ୍ୟାଣ୍ଡ ବ୍ୟାଙ୍କ୍ ସୃଷ୍ଟି କରିବା ଏବଂ ମାଛ ଚାଷ ନିମନ୍ତେ ଲୁଣାପାଣି ସଂଯୋଗ, ରାସ୍ତା ଓ ବିଦ୍ୟୁତ ଆଦି ଭିତ୍ତିଭୂମି ବିକାଶ କାର୍ଯ୍ୟ  ଇଡ୍‌କୋ ମାଧ୍ୟମରେ  କରାଇବା ନିମନ୍ତେ  ବୈଠକରେ ସ୍ଥିର  ହୋଇଥିଲା ।  

ଲୁଣା ପାଣି ମାଛ ଚାଷ ପାଇଁ  ଜାଗା ଚିହ୍ନଟ  କଲାବେଳେ ଉପକୂଳ ନିୟାମକ ଜୋନ୍ ଏବଂ  ଉପକୂଳ ମାଛ ଚାଷ କର୍ତ୍ତୁପକ୍ଷ ଆଇନ୍‌ରେ  ଥିବା  ନିୟମଗୁଡିକୁ ବିଚାରକୁ ନେବା ପାଇଁ  ଜଙ୍ଗଲ  ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା  ପରାମର୍ଶ ଦେଇଥିଲେ ।  ମାଛ ଚାଷୀ ବା ଉଦ୍ୟୋଗୀଙ୍କୁ ଭବିଷ୍ୟତର ସମ୍ଭାବ୍ୟ ଅସୁବିଧାରୁ ସୁରକ୍ଷା ଦେବା ପାଇଁ  ପ୍ରଥମରୁ ନିୟମଗୁଡିକର ଅନୁପାଳନ ପୂର୍ବକ ଜମି ଚିହ୍ନଟ କରିବା ପାଇଁ  ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ଶାସନ ସଚିବ ଆର୍.ରଘୁ ପ୍ରସାଦ ଜଣାଇଥିଲେ ଯେ ଗତ  ୧୦ ବର୍ଷ  ମଧ୍ୟରେ ରାଜ୍ୟରେ ଲୁଣା ପାଣି ମାଛ ଉତ୍ପାଦନ ୭୪୭ ଶତକଡା ବୃଦ୍ଧି ପାଇଛି । ୨୦୧୧-୧୨ ଆର୍ଥିକ ବର୍ଷରେ ସମୁଦାୟ ଉତ୍ପାଦନ ପ୍ରାୟ୧୧,୪୬୦ ମାଟ୍ରିକ୍ ଟନ୍ ଥିବାବେଳେ ୨୦୨୦-୨୧ ବର୍ଷ ବେଳକୁ ଏହା  ପ୍ରାୟ ୯୭,୧୨୫ ମାଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇଥିଲା ।  ଉତ୍ପାଦନ ବୃଦ୍ଧି ସହ  ରାଜ୍ୟରୁ ସାମୁଦ୍ରିକ ଖାଦ୍ୟ ରପ୍ତାନୀରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ।  

୨୦୧୦-୧୧  ବର୍ଷରେ ସମୁଦାୟ ରପ୍ତାନୀ ମୂଲ୍ୟ  ୩୧୦୭ କୋଟି ଟଙ୍କା ଥିଲା   ଲଗାତାର ଭାବେ ପ୍ରତି ବର୍ଷ ଏହା ବୃଦ୍ଧି ପାଇ କୋଭିଡ୍‌ ମାନ୍ଦାବସ୍ଥା ସତ୍ତେ ୨୦୨୦-୨୧ ମସିହାରେ  ୩୧୦୭ କୋଟି ଟଙ୍କାରେ ପହଞ୍ଚିଥିଲା । ​‌​କ୍ଷେତ୍ରସ୍ତରୀୟ  ଅଧିକାରୀମାନଙ୍କ ସହଯୋଗ ଏବଂ ରାଜ୍ୟରେ ବ୍ୟବସାୟ ଅନୁକୂଳ ବ୍ୟବସ୍ଥା ଯୋଗୁ  ଏହା ସମ୍ଭବ  ହୋଇ ପାରିଛି ବୋଲି ଶାସନ ସଚିବ ଶ୍ରୀ ପ୍ରସାଦ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶା ଉତ୍ପାଦିତ  ସାମୁଦ୍ରିକ ଖାଦ୍ୟ  ବିଦେଶ ବଜାରରେ ବେଶ୍ ଆଦୃତ ହୋଇଛି । ବିଶେଷତଃ ଜାପାନ୍, ଚୀନ୍, ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ର, ଦକ୍ଷିଣ-ପୂର୍ବ ଏସିଆ ରାଷ୍ଟ୍ର ଏବଂ ମଧ୍ୟ-ପ୍ରାଚ୍ୟ  ଆଦି ଦେଶମାନଙ୍କୁ ଓଡ଼ିଶା ଉତ୍ପାଦିତ  ସାମୁଦ୍ରିକ ଖାଦ୍ୟ ରପ୍ତାନୀ ହେଉଛି ।  ରାଜ୍ୟରେ ଉଭୟ ସରକାରୀ ଏବଂ ଘରୋଇ ଜମିରେ ଲୁଣାପାଣି ମାଛ ଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ମଧ୍ୟ ଶ୍ରୀ ପ୍ରସାଦ ଜଣାଇଥିଲେ ।

ସ୍ୱୟଂ ସହାୟକ ଗୋଷ୍ଠୀ, ମତ୍ସ୍ୟ ଚାଷୀ ପ୍ରାଥମିକ ସମବାୟ ସମିତି, ମହିଳା ସମବାୟ ସମିତି, ଶିକ୍ଷତ ଉଦ୍ୟୋଗୀ ଯୁବବର୍ଗ, ସହଭାଗୀ ଫାର୍ମ ଏବଂ ରାଜ୍ୟ ସରକାରଙ୍କ ସମବାୟ ସଂସ୍ଥା ଆଦି ମାଧ୍ୟମରେ ରାଜ୍ୟରେ ରହିଥିବା ପର୍ଯ୍ୟାପ୍ତ ସମ୍ଭାରର ବ୍ୟବସାୟିକ ବିକାଶ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।  ନୂଆ ନିୟାମକରେ ଏସବୁ ସଂସ୍ଥାର ସଂପୃକ୍ତି ନିମନ୍ତେ ବ୍ୟବସ୍ଥା  କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହାଛଡା ବର୍ତ୍ତମାନ ପର୍ଯ୍ୟନ୍ତ ଭଦ୍ରକ, ବାଲେଶ୍ୱର. କେନ୍ଦ୍ରାପଡା, ଜଗତ୍‌ସିଂହପୁର, ପୁରୀ ଓ ଗଂଜାମ ଆଦି  ଜିଲ୍ଲାରୁ ଲୁଣାପାଣି ମାଛ ଚାଷ ପାଇଁ ମିଳିଥିବା ପ୍ରାୟ ୨୦୦୦ ପ୍ରକଳ୍ପ ପ୍ରସ୍ତାବ ଉପରେ ଚଳିତ ନିୟମ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ସଂପୃକ୍ତ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ  ତଥା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ଜଙ୍ଗଲ ଓ  ପରିବଶ ବିଭାଗ  ଅତିରିକ୍ତ ମୁଖ୍ୟ  ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ  ଶ୍ରୀ ବିଷ୍ଣୁପଦ ସେଠୀ,  ଇଡ୍‌କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ  ଭୁପେନ୍ଦ୍ର ସିଂ ପୁନିଆଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ  ଓ ଯନ୍ତ୍ରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।