Home Administration ଲାଭକାରୀ ସଂସ୍ଥାରେ ପଦବୀ ପୂରଣ ହେଉନି

ଲାଭକାରୀ ସଂସ୍ଥାରେ ପଦବୀ ପୂରଣ ହେଉନି

ଭୁବନେଶ୍ୱର : ସରକାରଙ୍କ କର୍ମନିୟୋଜନ ସଂସ୍ଥାରେ ନାମ ପଞ୍ଜିକରଣ କରି ଚାକିରି ଅପେକ୍ଷାରେ ଥିବା ଯୁବକ ଯୁବତୀଙ୍କ ସଂଖ୍ୟା ୯ଲକ୍ଷରେ ପହଞ୍ଚି ଥିବାବେଳେ ଲାଭ କରୁଥିବା ସରକାରୀ ସଂସ୍ଥାରେ ଖାଲି ପଡିଥିବା ପଦବୀ ବି ପୂରଣ ହେଉନାହିଁ ।

ରାଜ୍ୟରେ ଥିବା ସରକାରୀ ଉଦ୍ୟୋଗଗୁଡିକ ଲାଭ କରୁଥିଲେ ମଧ୍ୟ ସେଠାରେ ଖାଲିଥିବା ପଦବୀ ପୂରଣ ହେଉନାହିଁ । ଏହା ମଧ୍ୟରେ ରହିଛି ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ । ଏହି ସରକାରୀ ସଂସ୍ଥା ଲଗାତାର ଭାବେ ଲାଭ କରୁଥିବାବେଳେ ଏଠାରେ ପାଖପାଖି ୫ଶହ ମଞ୍ଜୁରୀପ୍ରାପ୍ତ ପଦବୀ ଖାଲିପଡିଛି । ସେହିଭଳି ଲାଭ କରୁଥିବା ଓଡିଶା ରାଜ୍ୟ କାଜୁ ନିଗର୍ମରେ ୪୯ଟି, ବନ ଉନ୍ନୟନ ନିଗମରେ ୩୫୧ଟି, ଲାଭରେ ଥିବା ଖଣି ନିଗମରେ ପ୍ରାୟ ହଜାରେ, ଓଡିଶା ନିର୍ମାଣ ନିଗମରେ ୪୪୦, ଜଳ ବିଦ୍ୟୁତ ନିଗମରେ ୬ଶହରୁ ଅଧିକ, ଓଡିଶା ଶିଳ୍ପ ପ୍ରୋତ୍ସାହନ ଏବଂ ପୁଞ୍ଜିଲଗାଣ ନିଗମ ଲିମିଟେଡରେ ୫୨ଟି, କ୍ଷୁଦ୍ର ଶିଳ୍ପ ନିଗମରେ ୧୩୩, ରାଜ୍ୟ ଅର୍ଥ ନିଗମରେ ୧୫୭, ଓଡିଶା ରାଜ୍ୟ ପଣ୍ୟାଗାର ନିଗମରେ ୨୨୦ ଓ ଲାଭରେ ଚାଲିଥିବା ଓଡିଶା ରାଜ୍ୟ ଔଷଧ ନିଗମରେ ୫୦ରୁ ଅଧିକ ପଦବୀ ଖାଲିପଡିଛି ।

ଏହି ସରକାରୀ ସଂସ୍ଥାଗୁଡିକ ଲାଭ କରୁଥିବାବେଳେ ପଦବୀ ପୂରଣ ଲାଗି ସେମାନଙ୍କୁ ଅନୁମତି ମିଳୁନାହିଁ । ଅତି ଜରୁରୀ ପଡିଲେ ଆଉଟସୋର୍ସିଂ ସଂସ୍ଥାରୁ ଠିକାରେ କର୍ମଚାରୀ ଆଣୁଛନ୍ତି । ଏହି ଠିକା କର୍ମଚାରୀମାନେ ଅତି ସ୍ୱଳ୍ପ ଅର୍ଥରେ ଖଟୁଥିବାବେଳେ ସେମାନଙ୍କ ପଠାଇଥିବା ସଂସ୍ଥା ମାଲେମାଲ ହେଉଛନ୍ତି ।

କେବଳ ଲାଭ କରୁଥିବା ସରକାରୀ ସଂସ୍ଥା ନୁହେଁ, ସରକାରୀ ବିଭାଗ ଗୁଡିକରେ ବି ଅନୁରୂପ ଅବସ୍ଥା । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଲକ୍ଷାଧିକ ପଦବୀ ଖାଲି ପଡିଥିବାବେଳେ ଏଥିରେ ନିଯୁକ୍ତି ମିଳୁନାହିଁ । ଅତି ଜରୁରୀ ପଡିଲେ ଆଉଟିସୋର୍ସିଂ ସଂସ୍ଥାରୁ କର୍ମଚାରୀ ଆଣି ଚଳାଯାଉଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଗୋଟିଏ ଦପ୍ତରରେ ବିଭିନ୍ନ ସଂସ୍ଥାରୁ ଆସି ଠିକାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ଭିନ୍ନ ଭିନ୍ନ । ଖୋଦ ଲୋକସଭା ଭବନରେ ଦୀର୍ଘଦିନ ଧରି ଠିକାରେ ଖଟୁଥିବା କର୍ମଚାରୀମାନେ ସେମାନଙ୍କୁ ନିୟମିତ କରିବାପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଆଇନ୍‍ ଅଦାଲତ ପର୍ଯ୍ୟନ୍ତ ଧାଁ ଦଉଡ କରୁଛନ୍ତି ।

ସୂଚନା ଅନୁଯାୟୀ ରାଜ୍ୟରେ ନାମ ପଞ୍ଜିକୃତ କରି ବେକାର ଥିବା ଯୁବକ ଯୁବତୀଙ୍କ ମଧ୍ୟରେ ପାଖପାଖି ୨ଲକ୍ଷ କଳା, ବିଜ୍ଞାନ, ବାଣିଜ୍ୟ, କୃଷି, ପଶୁ ଚିକିତ୍ସା, ଡାକ୍ତରୀ, ଇଞ୍ଜିନିୟରିଂ, ଆଇନ୍‍, ପ୍ରବନ୍ଧନ ଆଦି ସ୍ନାତକ ଡିଗ୍ରୀଧାରୀ ରହିଛନ୍ତି । ୧୧ହଜାରରୁ ଅଧିକ ସ୍ନାତକୋତ୍ତର ଡିଗ୍ରୀଧାରୀ ଥିବାବେଳେ ୪୦ହଜାର ଆଇଟିଆଇ, ୨୮ହଜାର ବିଏଡ୍‍, ୧୨ହଜାର ସିଟି ତାଲିମଧାରୀ ରହିଛନ୍ତି ।