Home News in Odia ଲାଗୁ ହେଲା ନୂତନ ସନ୍ତରଣ ଫି

ଲାଗୁ ହେଲା ନୂତନ ସନ୍ତରଣ ଫି

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ ପରିସରରେଥିବା ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ସନ୍ତରଣ ଫି ଧାର୍ଯ୍ୟ ହୋଇଛି । ପୂର୍ବ ତୁଳନାରେ ବୃଦ୍ଧି ପାଇ ଏହା ମାସକୁ ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଫନି ବାତ୍ୟାରେ ଭାଙ୍ଗିରୁଜି ଯାଇଥିବା ବିଜୁ ପଟ୍ଟନାୟକ ସନ୍ତରଣାଗାରର ପୁନଃରୁଦ୍ଧାର ପରେ ଏବେ ପୁଣିଥରେ ସେଠାରେ ତାଲିମ କାର୍ଯ୍ୟ ଆରମ୍ଭ ହୋଇଛି । ମାର୍ଚ୍ଚ ମାସରୁ ଛୋଟ ଛୋଟ ପିଲାଙ୍କ ନାମଲେଖା ଆରମ୍ଭ ହୋଇଥିବାବେଳେ ପ୍ରାୟ ମାସକ ଫରେ ପରିଚାଳନା କମିଟି ଫି ଧାର୍ଯ୍ୟ କରିଛନ୍ତି ।

ଧାର୍ଯ୍ୟ ନୂତନ ଫି ଅନୁଯାୟୀ ୫ରୁ ୧୨ବର୍ଷ ବୟସର ପିଲାଙ୍କ ପାଇଁ ମାସିକ ୧୦୦୦ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ୧୨ରୁ ୧୮ବର୍ଷ ବୟସର ପିଲାଙ୍କ ପାଇଁ ମାସିକ ୧୫୦୦ ଟଙ୍କା ଏବଂ ୧୮ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ମାସିକ ୨୦୦୦ ଟଙ୍କା ଧାର୍ଯ୍ୟ ହୋଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ଛୋଟ ଛୋଟ ପିଲାଙ୍କୁ ପହଁରିବାପାଇଁ ମାସକୁ ୭୦୦ ଟଙ୍କା ଦେବାକୁ ପଡୁଥିବାବେଳେ ସେମାନଙ୍କୁ ସପ୍ତାହରେ ୬ଦିନ ପହଁରିବାର ସୁଯୋଗ ମିଳୁଥିଲା । ହେଲେ ଏବେ ମାସକୁ ୧୦୦୦ ଟଙ୍କାରେ ତିନି ଦିନ ସୁଯୋଗ ପ୍ରଦାନ କରାଯାଉଛି । ଏଭଳି ବୃଦ୍ଧିକୁ ଅନେକ ଗ୍ରହଣ କରିପାରୁନଥିଲେ ମଧ୍ୟ ଅନିଚ୍ଛା ସତ୍ୱେ ଅର୍ଥ ପଇଠ କରୁଛନ୍ତି ।

ଉଲ୍ଲେଖ କରାଯାଇପାରେ ଯେ ଇତି ମଧ୍ୟରେ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ପହଁରିବା ତାଲିମ ଦାୟିତ୍ୱ ଶିଳ୍ପ ସଂସ୍ଥା ଜେଏସ୍‍ଡବ୍ଲ୍ୟୁକୁ ପ୍ରଦାନ କରାଯାଇଛି । ସମ୍ପୃକ୍ତ ସଂସ୍ଥା ଏଠାରେ ପିଲାଙ୍କ ନାମଲେଖା ସହିତ ସେମାନଙ୍କ ସହ ଯୋଗାଯୋଗରେ ରହିଛି । ତେବେ ଏଭଳି ଦୈନିଦିନ ପରିଚାଳନା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏହି ଦର ଧାର୍ଯ୍ୟ କରାଯାଇଥିବା ସନ୍ତରଣାଗାର ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ସନ୍ତରଣାଗାରରେ ପୂର୍ବରୁ ପହଁରୁଥିବା ଆଜୀବନ ସଦସ୍ୟ ଓ କର୍ପୋରେଟ ସଦସ୍ୟଙ୍କ ଫି ଅପରିବର୍ତ୍ତିତ ରହିଥିବାବେଳେ ଅନ୍ୟ ସବୁବର୍ଗଙ୍କ ପାଇଁ ନୂତନ ଫି ଧାର୍ଯ୍ୟ ହୋଇଛି । ଏହି ନୂଆ ଦର ଏପ୍ରିଲ ପହିଲାରୁ ଲାଗୁ ହୋଇଥିବାବେଳେ ବହୁ ବିଳମ୍ବରେ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ପିଲାଙ୍କ ଠାରୁ ଏକକାଳୀନ ଦୁଇ ମାସର ଫି ଆଦାୟ କରାଯାଉଛି । (ତଥ୍ୟ)