Home Finance ଲକ୍ଷ୍ୟ ଠାରୁ ଅଧିକ ଖଣି ରାଜସ୍ୱ ଆଦାୟ

ଲକ୍ଷ୍ୟ ଠାରୁ ଅଧିକ ଖଣି ରାଜସ୍ୱ ଆଦାୟ

ଭୁବନେଶ୍ୱର : ଖଣିଜ ରାଜସ୍ୱ ଆୟ ଧାର୍ଯ୍ୟ ଲକ୍ଷ୍ୟଠାରୁ ଢେର ଅଧିକ ଟପିଗଲାଣି । କରୋନା ପରିପ୍ରେକ୍ଷୀରେ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡୁଥିବାବେଳେ ପରିସ୍ଥିତିର ମୁକାବିଲା ସହ ଉନ୍ନୟନକାର୍ଯ୍ୟ ଜାରି ରଖିବା କ୍ଷେତ୍ରରେ ଏବେ ଖଣିଜ ରାସ୍ୱ ପ୍ରମୁଖ ଭୂମିକା ନେଇଛି ।

ଚଳିତ ବର୍ଷର ବଜେଟ୍‍ରେ ଖଣିଜ ରାଜସ୍ୱ ବାବଦରେ ୧୩,୭୦୦ କୋଟି ଟଙ୍କା ସଂଗ୍ରହ ଲାଗି ଲକ୍ଷ୍ୟଧାର୍ଯ୍ୟ ରହିଥିବାବେଳେ ଅଗଷ୍ଟ ଶେଷସୁଦ୍ଧା ରାଜ୍ୟ ସରକାର ୧୫,୮୫୯ କୋଟି ଟଙ୍କାରୁ ଅଧିକ ଏ ବାବଦରେ ସଂଗ୍ରହ କରିସାରିଲେଣି । ପ୍ରଥମ ପାଞ୍ଚମାସରେ ଖଣିଜ ରାଜସ୍ୱ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ ଟପିଯାଇଥିବାବେଳେ ବର୍ଷ ଶେଷ ବେଳକୁ ଏହାର ପରିମାଣ ଦୁଇଗୁଣା ହୋଇପାରେ ବୋଲି ଆଶା କରାଯାଉଛି ।

୨୦୧୯ର ଏପ୍ରିଲ୍‍ରୁ ଅଗଷ୍ଟ ମଧ୍ୟରେ ଓଡିଶାରେ ଖଣିଜ ରାଜସ୍ୱ ପରିମାଣ ୪୪୭୩କୋଟି ଟଙ୍କାରେ ସୀମିତ ଥିବାବେଳେ ୨୦୨୦-୨୧ ବର୍ଷର ଏହି ସମୟ ସୁଦ୍ଧା ୫୦୯୪ କୋଟି ଟଙ୍କା ଆଦାୟ ହୋଇଥିଲା । ତେବେ ପୂର୍ବ ବର୍ଷ ମାନଙ୍କର ସମସ୍ତ ରେକର୍ଡ ଭାଙ୍ଗି କରୋନାର ଦ୍ୱିତୀୟ ଲହର ଭିତରେ ବି ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ଓଡିଶା ୧୫,୮୫୯ କୋଟି ଟଙ୍କାର ଖଣିଜ ରାଜସ୍ୱ ସଂଗ୍ରହ କରିପାରିଛି ।

୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ଯେତେ ଖଣିଜ ରାଜସ୍ୱ ସଂଗୃହୀତ ହୋଇଥିଲା ଚଳିତ ଆର୍ଥିକ ବର୍ଷର ସେହି ସମୟ ମଧ୍ୟରେ ତାହାର ୨୫୫ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଗତବର୍ଷର ଏହି ସମୟ ତୁଳନାରେ ଚଳିତବର୍ଷର ଖଣିଜ ରାଜସ୍ୱ ଅଭିବୃଦ୍ଧି ହାର ୨୧୧ ପ୍ରତିଶତ ଥିବା ବରିଷ୍ଠ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୧୯-୨୦ ବର୍ଷରେ ମୋଟ ଖଣିଜ ରାଜସ୍ୱ ସଂଗ୍ରହ ପରିମାଣ ୧୧ହଜାର କୋଟି ଟଙ୍କା ଥିବାବେଳେ ୨୦୨୦-୨୧ ବର୍ଷରେ ଏ ବାବଦରେ ରାଜ୍ୟ ସରକାର ୧୩,୭୯୦ କୋଟି ଟଙ୍କା ସଂଗ୍ରହ କରିଥିଲେ । କେବଳ ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ମାସରେ ଖଣିଜ କ୍ଷେତ୍ରରୁ ୩୦୦୪ କୋଟି ଟଙ୍କା ରାଜସ୍ୱ ମିଳିଥିବା ଜଣାପଡିଛି ।

ଓଡିଶା ସରକାରଙ୍କ ଖଣି ଓ ଇସ୍ପାତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ତତ୍ପରତା ଯୋଗୁଁ ଖଣିଜ ରାଜସ୍ୱ ସଂଗ୍ରହ ଆଶାତୀତ ଭାବେ ବଢୁଛି । କରୋନା ଯୋଗୁଁ ଦେଢବର୍ଷ ଧରି ଲୋକଙ୍କ ଆର୍ଥିକ ଅବସ୍ଥା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ତାହାର ପ୍ରଭାବ ବିଭିନ୍ନ କ୍ଷେତ୍ରରୁ ସଂଗ୍ରହ ହେବାକୁ ଥିବା ରାଜସ୍ୱ ଉପରେ ପଡୁଛି । ଏଥିଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜିଡିପି ମଧ୍ୟ ବହୁ ଭାବରେ ପ୍ରଭାବିତ ହେଉଛି ।

ଗୋଟିଏ ପଟେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବା ସହ ସମ୍ଭାବ୍ୟ ତୃତୀୟ ଲହରକୁ ପ୍ରତିରୋଧ କରିବାପାଇଁ ସରକାରଙ୍କୁ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିବାବେଳେ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ଅବ୍ୟାହତ ରହିଛି । ତେବେ ଅନ୍ୟ କ୍ଷେତ୍ରରୁ ରାଜସ୍ୱ ସଂଗ୍ରହ ତୁଳନାରେ ଖଣିଜ ରାଜସ୍ୱ ସଂଗ୍ରହ ଢେର ଅଧିକ ହେଉଥିବାରୁ ଏହା ପରିସ୍ଥିତି ନିୟନ୍ତ୍ରଣ ପାଇଁ ବେଶ୍‍ ସୁହାଇଛି । (ତଥ୍ୟ)