Home Finance ଲକ୍ଷେ କୋଟି ଟପିଲାଣି ଋଣଭାର

ଲକ୍ଷେ କୋଟି ଟପିଲାଣି ଋଣଭାର

ଭୁବନେଶ୍ୱର : କେନ୍ଦ୍ରରୁ ଅନୁଦାନର ପରିମାଣ କମୁଥିବା ଯୋଗୁ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ବାଧ୍ୟହୋଇ ଖୋଲା ବଜାରରୁ ଅଧିକ ଋଣ ଉଠାଉଛନ୍ତି । ଏହାଫଳରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଋଣଭାର ଲକ୍ଷେ କୋଟିକୁ ଟପିଗଲାଣି ।

ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୬୦ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍‍ ପ୍ରସ୍ତୁତ କରିଥିବା ବେଳେ କେନ୍ଦ୍ରରୁ ପ୍ରାୟ ୬୮ହଜାର କୋଟି ଟଙ୍କାର ରାଜସ୍ୱ ପାଇବେ ବୋଲି ଅଟକଳ କରିଥିଲେ । କିନ୍ତୁ କରୋନା ମାଡ଼ରେ ଉଭୟ କେନ୍ଦ୍ର ଓ ରାଜ୍ୟର ରାଜସ୍ୱ ସଂଗ୍ରହ ଅଭିଯାନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିବା ଯୋଗୁ କେନ୍ଦ୍ରରୁ ଆକଳନ ଅନୁପାତରେ ଅନୁଦାନ ମିଳିବା ସମ୍ଭବପର ହୋଇପାରୁନାହିଁ । ଏହାଫଳରେ କେନ୍ଦ୍ରରୁ ଅନୁଦାନ ପରିମାଣ କମିବାରେ ଲାଗିଛି । ଏଥି ସଙ୍ଗେ ସଙ୍ଗେ ଯେଉଁ ସବୁ କେନ୍ଦ୍ରୀୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ତାହା ପାଇଁ ଆବଶ୍ୟକ ପରିମାଣ ଅର୍ଥ ନମିଳୁଥିବା ଯୋଗୁ ଉନ୍ନୟନ କାର୍ଯ୍ୟ ଧିମେଇ ଯାଉଛି ।

ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଖୋଲା ବଜାରରୁ ଅଧିକ ଋଣ କରୁଛନ୍ତି । ଚଳିତ ଆର୍ଥିକ ବର୍ଷରେ ସରକାର ପ୍ରାୟ ୨୦ହଜାର କୋଟି ଟଙ୍କାର ଖୋଲା ବଜାରରୁ ଋଣ ଉଠାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁମତି ଦେଇଥିବା ବିଶେଷ ସୂତ୍ରରୁ ପ୍ରକାଶ । ରାଜ୍ୟର ଋଣଭାର ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୧ହଜାର କୋଟି ଟଙ୍କା ହେଲାଣି ।

ଆଗାମୀ ୩ ମାସ ମଧ୍ୟରେ ଏହି ପରିମାଣ ଆହୁରି ପ୍ରାୟ ୫ହଜାର କୋଟି ଟଙ୍କା ଅଧିକ ହେବ ବୋଲି ଆକଳନ କରାଯାଉଛି । କରୋନା ଯୋଗୁ ରାଜ୍ୟ ସରକାର ନିଜସ୍ୱ ରାଜସ୍ୱ ଆଦାୟ କ୍ଷେତ୍ରରେ ବିଗତ ୯ ମାସ ଧରି ପଛୁଆ ସ୍ଥିତିରେ ପଡ଼ିବା ବେଳେ ଗତ ମାସେ ଦୁଇମାସ ହେଲା ସ୍ଥିତି ସାମାନ୍ୟ ସ୍ୱାଭାବିକ ହୋଇଛି । ତେବେ ଆଗାମୀ ଦୁଇମାସ ମଧ୍ୟରେ ଏହି ଅଭାବକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ସତ କିନ୍ତୁ ତାହା ଫଳବତୀ ହେବା ନେଇ ଆଶଙ୍କା ଉପୁଜିଛି ।

ରାଜ୍ୟର ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ଯୋଗୁ ରାଜ୍ୟ ସରକାରଙ୍କୁ ଅଧିକରୁ ଅଧିକ ଅର୍ଥ ବିନିଯୋଗ କରିବାର ଆବଶ୍ୟକତା ରହିଛି । ତେଣୁ ସରକାର ସ୍ୱାସ୍ଥ୍ୟ, ଶିକ୍ଷା, କର୍ମ ଯୋଗାଣ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରିବା ପାଇଁ ପଦକ୍ଷେପ ନେଉଥିବା ଜଣାଯାଇଛି । ଏହାଛଡ଼ା ଭିତ୍ତିଭୂମି ବିକାଶ ନିମନ୍ତେ ସରକାର ଅଧିକ ଅର୍ଥ ବ୍ୟୟ କରିବା ଲାଗି ଯୋଜନା କରିଛନ୍ତି ।

ଗତ ୯ ମାସ ମଧ୍ୟରେ ବିଭାଗୀୟ କର୍ତ୍ତୃପକ୍ଷମାନେ ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ଅର୍ଥ ବ୍ୟୟ କରିନାହାନ୍ତି । ତେଣୁ ଆଗାମୀ ଅଢ଼େଇ ମାସ ମଧ୍ୟରେ ପ୍ରାୟ ୫୦ହଜାର କୋଟି ଟଙ୍କା ବ୍ୟୟ କରିବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ତେଣୁ ଏହି ଅର୍ଥ ଯୋଗାଡ଼ ପାଇଁ ରାଜସ୍ୱ ସଂଗ୍ରହ ବ୍ୟବସ୍ଥାକୁ ସକ୍ରିୟ କରାଯିବା ସହିତ ଖୋଲା ବଜାରରୁ ଅଧିକ ଋଣ ଉଠାଇବା ପାଇଁ ସରକାର ବାଧ୍ୟ ହେଉଥିବା ଜଣାଯାଇଛି ।

ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଋଣ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ବେଳେ ଏହି ଋଣଭାର ଯେଭଳି ଅଧିକ ନ ହୁଏ ଏବଂ ଏହା ପରିଶୋଧ କରିବାରେ ପରବର୍ତ୍ତୀ ସମୟରେ ଯେଭଳି ଅସୁବିଧା ନ ଉପୁଜେ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଲାଗି ଆର୍ଥିକ ବିଶାରଦମାନେ ପରାମର୍ଶ ଦେଉଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଆର୍ଥିକ ସଂଯମତା ଯୋଗୁ ରାଜ୍ୟ ସରକାର ଏ କ୍ଷେତ୍ରରେ ଭାରସାମ୍ୟ ରକ୍ଷାକରିବା ଲାଗି ବିଗତ ବର୍ଷମାନଙ୍କରେ ବେଶ୍‍ ଫଳବତୀ ହୋଇପାରିଛନ୍ତି ।