Home Health ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କର

ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କର

74
0

ଭୁବନେଶ୍ୱର : କରେନାର ସାମାନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇ ନିଅ । ବିଳମ୍ବ ହେଲେ ଚିକିତ୍ସା କଷ୍ଟକର ବୋଲି ଆଜି ଚେତାଇ ଦେଇଛନ୍ତି ବିଏମ୍‍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଏପରିକି କେତେକ ଲୋକେ ପରୀକ୍ଷା କରାଇବା ବଦଳରେ ଛାନିଆ ହୋଇ ବାରମ୍ବାର କଣ୍ଟ୍ରୋଲରୁମ୍‍କୁ ଫୋନ୍‍ କରୁଥିବା ସେ ସୂଚନା ଦେଉଛନ୍ତି ।

ବିଏମ୍‍ସି ଅଞ୍ଚଳରେ କୋଭିଡ ପରିଚାଳନା ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ ବିଏମ୍‍ସି କମିଶନର କହିଛନ୍ତି ଯେ ଏଠାରେ ଏବେ ୭୫୮୮ ସକ୍ରିୟ ରୋଗୀ ଥିବାବେଳେ ୨/୩ ଦିନ ଧରି ଦୈନିକ ହଜାରେ କରି ସଂକ୍ରମିତ ବାହାରୁଛନ୍ତି । ତେବେ ପ୍ରାୟ ୮୫ ପ୍ରତିଶତ ସଂକ୍ରମିତ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ।

ବିଏମ୍‍ସି ଇଲାକାରେ ଥିବା କୋଭିଡ ଡାକ୍ତରଖାନାରେ ଏବେ ୫୩୧ଟି ଆଇସିୟୁ ଶଯ୍ୟା, ୮୩୬ଟି ଏଚ୍‍ଡିୟୁ ଓ ୨୧୮୬ଟି ସାଧାରଣ ଶଯ୍ୟା ରହିଛି । ୯୦ ପ୍ରତିଶତ ଆଇସିୟୁ ପୂରଣ ହୋଇଥିବାବେଳେ ୫୦ ପ୍ରତିଶତ ଏଚ୍‍ଡିୟୁ ଓ ୫୦ ପ୍ରତିଶତ ସାଧାରଣ ଶଯ୍ୟା ପୂରଣ ହୋଇଛି । ତେବେ ସାଧାରଣ ଶଯ୍ୟା ମଧ୍ୟରୁ ୯୫ ପ୍ରତିଶତରେ ଅକ୍ସିଜେନ୍‍ ସୁବିଧା ରହିଚି ।

ଆରଆରଟି ର ସଦସ୍ୟମାନେ ସିଧାସଳଖ ରୋଗୀଙ୍କ ସମ୍ପର୍କରେ ରହୁଛନ୍ତି । ସଂଗରୋଧରେ ଥିବା ପ୍ରତ୍ୟେକ ରୋଗୀଙ୍କୁ ଔଷଧ କିଟ୍‍ ଯୋଗାଯିବା ସହିତ ଭିଡିଓ କନଫରେନ୍ସି ମାଧ୍ୟମରେ ସେମାନଙ୍କୁ ପରାମର୍ଶ ଦିଆଯାଉଛି ।

ତେବେ ରାଜଧାନୀରେ ବିଭିନ୍ନ ମାର୍କେଟରେ ଭିଡ ଏବେ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଏଥିଯୋଗୁଁ ଲଗାତାର ଭାବେ ବଡ ବଡ ମଲ୍‍ ଓ ମାର୍କେଟକୁ କିଛିଦିନ ପାଇଁ ସିଲ୍‍ କରାଯାଉଛି । ଲୋକେ ନିୟମ ମାନୁନାହାନ୍ତି । ଏପରିକି ମାସ୍କ ପିନ୍ଧିବା ଓ ଦୂରତା ରକ୍ଷା ବି କରୁନାହାନ୍ତି ।

ତେଣୁ କରୋନାକୁ ପ୍ରତିହତ ପାଇଁ ସରକାର ଜାରି କରିଥିବା ମାର୍ଗଦର୍ଶିକାକୁ ପାଳନ ପାଇଁ ବିଏମ୍‍ସି କମିଶନର ଅନୁରୋଧ କରିଛନ୍ତି । ହାଟ ବଜାରରେ ଗହଳି ନକରିବା ସହିତ ମାସ୍କ ପିନ୍ଧିବା, ଦୂରତା ରକ୍ଷା କରିବା ଓ ଥଣ୍ଡା ଜ୍ୱର ଆଦିକୁ ସାଧାରଣ ନଭାବି ତୁରନ୍ତ ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଛନ୍ତି ।

ସେହିଭଳି ଆସନ୍ତା ସୋମବାର ଠାରୁ ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ ହେଉଥିବାରୁ ଦିଆଯାଇଥିବା ସମୟରେ ଆସି ଟିକା ନେବାକୁ ଶ୍ରୀ ଚୌଧୁରୀ ପରାମର୍ଶ ଦେଇଛନ୍ତି । ଯୁବ ଅଯଥା ଡାକ୍ତରଖାନାରେ ଆସି ଗହଳି ନକରିବାକୁ କହିଛନ୍ତି । ସେହିଭଳି ଡାକ୍ତରଖାନାରେ ଦ୍ୱିତୀୟ ଡୋଜ୍‍ ନେବାକୁ ଥିବା ବ୍ୟକ୍ତିଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here