Home Administration ଲକଡାଉନରେ ୧୯୮ ପାନୀୟଜଳ ପ୍ରକଳ୍ପ ଶେଷ

ଲକଡାଉନରେ ୧୯୮ ପାନୀୟଜଳ ପ୍ରକଳ୍ପ ଶେଷ

ଭୁବନେଶ୍ୱର : କୋଭିଡ ମହାମାରୀ ପାଇଁ ଜାରି ଲକଡାଉନ୍‍ ସମୟରେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ୧୯୮ଟି ପାଇପ୍‍ ଯୋଗେ ପାନୀୟ ଜଳ ପ୍ରକଳ୍ପ ଶେଷ କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟସରକାର ୨୩୫କୋଟି ୫୪ଲକ୍ଷ ଟଙ୍କା ବ୍ୟୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇମାସରେ ଏହି ୧୯୮ଟି ପ୍ରକଳ୍ପ ସମାପ୍ତ କରିଛନ୍ତି ।

ଏଥି ମଧ୍ୟରୁ ୧୧୯ଟି ପ୍ରକଳ୍ପ କେନ୍ଦ୍ରୀୟ ଯୋଜନା ଜଳ ଜୀବନ ମିଶନ (ଜେଜେଏମ୍‍) ରେ ହୋଇଥିବାବେଳେ ୭୪ଟି ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଏବଂ ୫ଟି ନାବାର୍ଡ ସହାୟତାରେ ଚଳାଯାଉଥିବା ଆରଆଇଡିଏଫ୍‍ ଯୋଜନାରେ ହୋଇଛି । ଜେଜେଏମ୍‍ ପ୍ରକଳ୍ପ ପାଇଁ ୧୨୫କୋଟି ୫୪ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ ବସୁଧା ଯୋଜନା ପାଇଁ ୩୯କୋଟି ୩୬ଲକ୍ଷ ଏବଂ ଆରଆଇଡିଏଫ୍‍ରେ ୭୦କୋଟି ୭୪ଲକ୍ଷ ଟଙ୍କା ବ୍ୟୟ ହୋଇଛି ।

ଏହିସବୁ ପ୍ରକଳ୍ପ ବାଦ୍‍ ରାଜ୍ୟ ସରକାର ଓଏମ୍‍ବିଏଡିସି ପାଣ୍ଠିରୁ ୯୪କୋଟି ୨୦ଲକ୍ଷ ଏବଂ ଡିଏମ୍‍ଏଫ୍‍ ପାଣ୍ଠିରୁ ୩୯ଲକ୍ଷ ୭୮ହଜାର ଟଙ୍କା ସମ୍ପୃକ୍ତ ଖଣି ଇଲାକାର ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ ପାଇଁ ବ୍ୟୟ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ବିଭିନ୍ନ ଚରଣରେ ରହିଛି । ମୋଟାମୋଟି ଭାବେ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ୩୬୯କୋଟି ୫୨ଲକ୍ଷ ଟଙ୍କା ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟୟ ହୋଇଛି ।

ରାଜ୍ୟସରକାର ଚଳିତ ଆର୍ଥିକବର୍ଷରେ ୯୩୭୪କୋଟି ୩୪ଲକ୍ଷ ଟଙ୍କା ବ୍ୟୟରେ ୧୪୫୬ଟି ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଏଥି ମଧ୍ୟରେ ଜେଜେଏମ୍‍ରେ ୬୦୦୦ କୋଟି ଟଙ୍କା ବ୍ୟୟରେ ୭୦୦ ପ୍ରକଳ୍ପ, ବସୁଧାରେ ୮୫୦ କୋଟି ଟଙ୍କା ବ୍ୟୟରେ ୩୦୦ପ୍ରକଳ୍ପ, ଡିଏମ୍‍ଏଫ୍‍ ପାଣ୍ଠିରୁ ୧୦୦୦ କୋଟି ଟଙ୍କା ବ୍ୟୟରେ ୩୭୦ ପ୍ରକଳ୍ପ, ଆରଆଇଡିଏଫ୍‍ ଯୋଜନାରେ ୧୨୨୧.୪୬କୋଟି ଟଙ୍କା ବ୍ୟୟରେ ୭୦ଟି ପ୍ରକଳ୍ପ, ଓଏମବିଏଡିସି ପାଣ୍ଠିରେ ୨୧୧କୋଟି ୯୬ଲକ୍ଷ ଟଙ୍କା ବ୍ୟୟରେ ୧୩ଟି ପ୍ରକଳ୍ପ ଏବଂ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଅନୁଦାନରେ ୯୦.୯୨କୋଟି ଟଙ୍କା ବ୍ୟୟରେ ୩ଟି ପ୍ରକଳ୍ପ ହେବ ।

କୋଭିଡ ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅର୍ଥନୈତିକ କାର୍ଯ୍ୟକଳାପକୁ ଅନୁମତି ଦେଇଥିବାବେଳେ ଲକଡାଉନ୍‍ ସମୟରେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । କେନ୍ଦ୍ର ସରକାର ଗ୍ରାମାଞ୍ଚଳର ସମସ୍ତ ଲୋକଙ୍କୁ ୨୦୨୪ ସୁଦ୍ଧା ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଜେଜେଏମ୍‍ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଯୋଜନା ପାଇଁ ସମାନ ଅର୍ଥ ଦେଉଛନ୍ତି । ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଜଳ ଜୀବନ ମିଶନକୁ ମିଶନ ମୋଡ୍‍ରେ କାର୍ଯ୍ୟକାରୀ କରାଯାଉଥିବାବେଳେ ପାଖାପାଖି ୨୪ଲକ୍ଷ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇ ସାରିଲାଣି । (ତଥ୍ୟ)