Home Excise ର୍ନିବାଚନ ପୂର୍ବରୁ ଅବକାରୀ ଚଢଉ

ର୍ନିବାଚନ ପୂର୍ବରୁ ଅବକାରୀ ଚଢଉ

ଭୁବନେଶ୍ୱର : ଆଗାମୀ ସାଧାରଣ ର୍ନିବାଚନ-୨୦୨୪କୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ଗତ ଜାନୁଆରୀ ମାସରେ ବେଆଇନ ମଦ ମାଫିଆ, ବେଆଇନ ଗଞ୍ଜେଇ ଓ ବ୍ରାଉନସୁଗାର ଚୋରା ଚାଲାଣକାରୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ସମସ୍ତ ଅବକାରୀ ଅଧୀକ୍ଷକଙ୍କୁ ଚଢ଼ାଉକୁ ଜୋରଦାର କରିବା ସହିତ ବେଆଇନ କାରବାରର କିଙ୍ଗପିନ୍ ମାନଙ୍କୁ ଧରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏହି ସ୍ୱତନ୍ତ୍ର ଅଭିଯାନ (୦୧.୦୧.୨୦୨୪ରୁ ୦୪.୦୨.୨୦୨୪) ମଧ୍ୟରେ ରେକର୍ଡ ସଂଖ୍ୟକ ୬୪୧୬ ଜଣ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ଏହି ଅଭିଯାନରେ ୫୨୫୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ୧୪୬୩ କେଜି ଗଞ୍ଜେଇ, ୨୪୨୪ ଗ୍ରାମ ହେରୋଇନ, ୩୬୬ଟି ଗାଡି, ୨,୦.୮୮୮ ଲିଟର ଦେଶୀ ମଦ, ୧୪୯୭ ଲିଟର ବେଆଇନ ଭାବେ ପରିବହନ ହେଉଥିବା ମଦ ଜବତ ହୋଇଥିଲା । ଜବତ ହୋଇଥିବା ସମସ୍ତ ସାମଗ୍ରୀର ମୋଟ ଆନୁମାନିକ ମୂଲ୍ୟ ୫୨.୫ କୋଟି ଟଙ୍କା ଆକଳନ କରାଯାଇଛି ।

ସ୍ୱତନ୍ତ୍ର ଅଭିଯାନ ସମୟରେ ଏନଡିପିଏସ୍ ଆକ୍ଟ ଅଧୀନରେ ୧୪୩ଟି ମାମଲା ରୁଜୁ ହୋଇଥିବା ବେଳେ ବେଆଇନ ଗଞ୍ଜେଇ/ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୫୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

ନିରନ୍ତର ପଦକ୍ଷେପ ଯୋଗୁଁ ବେଆଇନ ମଦ କାରବାର ହ୍ରାସ ପାଇଛି ଏବଂ ଅବକାରୀ ରାଜସ୍ୱ ଆଦାୟ ୧୫% ବୃଦ୍ଧି ପାଇଛି । ଚଢ଼ାଉ ସହ ବେଆଇନ ମଦ କାରବାରରେ ବ୍ୟବହୃତ ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ଏପ୍ରିଲ, ୨୦୨୩ ରୁ ଜାନୁଆରୀ-୨୦୨୪ ମଧ୍ୟରେ ୩୩୬୯ ଟି ଗାଡି ଜବତ କରାଯାଇଛି ଏବଂ ୬୦% ଯାନବାହନ ଜବତ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବରୁ ୬୭୬ଟି ଗାଡ଼ି ଜବତ କରାଯାଇଛି ଏବଂ ଜରିମାନା/ବିକ୍ରୟ ବାବଦ ଅର୍ଥ ରାଜ୍ୟ ରାଜକୋଷରେ ଜମା କରାଯାଇଛି ।

ବେଆଇନ ମଦ କାରବାରରେ ମାଲିକ ସମ୍ପୃକ୍ତ ଥିବା କିମ୍ବା ବେଆଇନ ମଦ କାରବାରରେ ବ୍ୟବହୃତ ଗାଡ଼ି ସମ୍ପର୍କରେ ଅବଗତ ଥିଲେ ଜବତ ହୋଇଥିବା ସମସ୍ତ ଗାଡ଼ିକୁ ବାଜ୍ୟାପ୍ତି କରିବାକୁ ଅବକାରୀ କମିସନର ସମସ୍ତ ଅବକାରୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅବକାରୀ ଅଧିକାରୀଙ୍କ ନିରନ୍ତର ଉଦ୍ୟମରେ ମଦ ମାଫିଆ ଓ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ବିରୋଧରେ ଏହି ସ୍ୱତନ୍ତ୍ର ଅଭିଯାନ ଜାରି ରହିବ ।