Home Election ରୋଡ୍‍ ସୋ ଉପରେ ଗୁରୁତ୍ୱ

ରୋଡ୍‍ ସୋ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟରେ ଆଉ ତିନି ପର୍ଯ୍ୟାୟ ମତଦାନ ପାଇଁ ତାରିଖ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳ ପକ୍ଷରୁ ‘ରୋଡ୍‍ ସୋ’ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ବଡ ବଡ ସଭା ଓ ସମାବେଶ ବଦଳରେ ପ୍ରମୁଖ ଦଳଗୁଡିକ ଏବେ ରୋଡ୍‍ ସୋ ଜରିଆରେ ଭୋଟରଙ୍କୁ ଆକୃଷ୍ଟ ପାଇଁ ଲାଗିପଡିଛନ୍ତି ।

ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀରେ ବିଶାଳ ରୋଡ୍‍ ସୋ କରି ଫେରିଥିବାବେଳେ ବିଜେପି ପକ୍ଷରୁ ପୁରୀରେ ଆଉଗୋଟିଏ ରୋଡ୍‍ ସୋ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ସେହି ରୋଡ୍‍ ସୋରେ ଅଂଶଗ୍ରହଣ କରିବେ । ତେବେ ଗୋଟିଏ ସ୍ଥାନରେ ସଭା ମଞ୍ଚ ବାନ୍ଧିବା ଓ ସେଠାରେ ଲୋକଙ୍କୁ ଏକଜୁଟ କରିବା ପରିବର୍ତ୍ତେ ଦୁଇ ରୁ ତିନି କିଲୋମିଟର ପର୍ଯ୍ୟନ୍ତ ରୋଡ୍‍ ସୋ ଆୟୋଜନ ଦ୍ୱାରା ଅଧିକ ସୁଫଳ ମିଳୁଥିବା କୁହାଯାଉଛି ।

ସେହିଭଳି ବିଜେଡି ନେତା ଭି.କେ.ପାଣ୍ଡିଆନ ମଧ୍ୟ ଏବେ ପ୍ରାୟ ପ୍ରତ୍ୟେକ ଦିନ ରୋଡ୍‍ ସୋ କରୁଛନ୍ତି । ବିଜେଡି ରୋଡ୍‍ ସୋରେ ବି ବହୁମାତ୍ରାରେ ଜନସମାଗମ ହେଉଥିବା ଲକ୍ଷ୍ୟ କରାଯାଉଛି । ଉଭୟ ବିଜେପି ଓ ବିଜେଡିର ରୋଡ୍‍ ସୋର ପ୍ରସ୍ତୁତି ଓ ପରିଚାଳନା ପ୍ରାୟତଃ ଗୋଟିଏ ଢାଞ୍ଚାରେ ହେଉଥିବା ଦେଖିବାକୁ ମିଳୁଛି ।

ଦଳର ଆଗଧାଡିର ନେତାମାନେ ରୋଡ୍‍ ସୋ କରିବା ପରେ ଏବେ ବିଭିନ୍ନ ସାଂସଦ ଓ ବିଧାୟକମାନେ ନିଜ ନିଜ ଅଞ୍ଚଳରେ ରୋଡ୍‍ ସୋ କରିବାରେ ଲାଗିଛନ୍ତି । ଯୁବ ଭୋଟରମାନଙ୍କୁ ଆକୃଷ୍ଟ କରିବାରେ ଏହି ରୋଡ୍‍ ସୋରୁ ବେଶ୍‍ ସଫଳତା ମିଳୁଥିବା ପ୍ରାର୍ଥୀମାନେ କହୁଛନ୍ତି । କାରଣ ରୋଡ୍‍ ସୋରେ ଏକାଧିକ ଯୁବକ ଅଂଶଗ୍ରହଣ କରୁଥିବାବେଳେ ପ୍ରାର୍ଥୀଙ୍କ ପଛରେ ମାଳ ମାଳ ମୋଟରସାଇକେଲ ଯିବା ଫଳରେ ସଭା ଠାରୁ ଏଠାରେ ଅଧିକ ଲୋକ ଏକତ୍ରିତ ହେଉଛନ୍ତି ।

ସେହିଭଳି ରୋଡ୍‍ ସୋରେ ଖର୍ଚ୍ଚ ମଧ୍ୟ କମ୍‍ ରହୁଛି । ଘଣ୍ଟାଏ ରୁ ଦୁଇଘଣ୍ଟା ମଧ୍ୟରେ ରୋଡ୍‍ ସୋ ସମାପ୍ତ ହେଉଥିବାରୁ ସଭାଗୁଡିକରେ ଯେଭଳି ଲୋକଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଏ ଏଠାରେ ତାହା ହେଉଥିବା ଦେଖିବାକୁ ମିଳୁନାହିଁ । ଏହାଛଡା ସଭାସ୍ଥଳ ଗୁଡିକୁ ଲୋକେ ଯେତେ ଆଗ୍ରହରେ ଆସିଥାନ୍ତି ତାହାଠାରୁ ଅଧିକ ଆଗ୍ରହ ରୋଡ୍‍ ସୋ ପ୍ରତି ଦେଖାଉଛନ୍ତି ।

ଆଉ ତିନି ପର୍ଯ୍ୟାୟରେ ରାଜ୍ୟରେ ୧୭ଟି ଲୋକସଭା ଓ ୧୧୯ଟି ବିଧାନସଭା ଆସନ ପାଇଁ ମତଦାନ ଚଳିତ ମାସ ୨୦ ,୨୫ ଏବଂ ଜୁନ୍‍ ୧ତାରିଖରେ ହେବାକୁ ଯାଉଥିବାବେଳେ ଏଥିପାଇଁ ପ୍ରଚାର କାର୍ଯ୍ୟ ଜୋର ଧରିଛି । ବିଶେଷକରି ଉପକୂଳ ଜିଲ୍ଲାଗୁଡିକରେ ପ୍ରଚାର ପାଇଁ କିଛି ସମୟ ହାତରେ ଥିବାରୁ ନେତାମାନେ ଶେଷ ଦୁଇ ପର୍ଯ୍ୟାୟ ପାଇଁ ନିଜର ସମସ୍ତ ଶକ୍ତି ଖଟାଇବା ସହିତ ରୋଡ୍‍ ସୋ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଇଛି । (ତଥ୍ୟ)