Home General ରେଳ ଷ୍ଟେସନକୁ ଯିବାକୁ ହଟହଟା

ରେଳ ଷ୍ଟେସନକୁ ଯିବାକୁ ହଟହଟା

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ଏବେ ଏଠାକୁ ଆସୁଥିବା ଯାତ୍ରୀ ଓ ସେମାନଙ୍କୁ ଛାଡିବାକୁ ଆସୁଥିବା ସମ୍ପର୍କୀୟମାନଙ୍କ ପାଇଁ ସମସ୍ୟା ଭାବେ ଉଭା ହୋଇଛି । ଷ୍ଟେସନର ତିନିଟି ପ୍ରବେଶ ପ୍ରବେଶ ପଥରେ ସଙ୍କୁଚିତ ସ୍ଥାନ ସାଙ୍ଗକୁ ମାଳ ମାଳ ଅଟୋ ଯୋଗୁଁ ଲୋକେ ନାହିଁ ନଥିବା ଅବସ୍ଥାର ସମ୍ମୁଖୀନ ହେଉଛନ୍ତି ।

ରେଳ ଷ୍ଟେସନର ଆଧୁନିକୀକରଣ ଯୋଗୁଁ ଏବେ ଏହାକୁ ଟିଣ ଚାଦରରେ ଘେରାଯିବା ସହିତ ଅଶୋକନଗର ପଟେ ପ୍ରବେଶପଥ ହୋଇଛି । ତେବେ ଲୋକେ ମୁଖ୍ୟ ପ୍ରବେଶପଥ ସହିତ ରିଲାଏନ୍ସ ପଟୁ ମଧ୍ୟ ପ୍ରବେଶ କରୁଛନ୍ତି । ତେବେ ଗାଡି ଚଳାଚଳ ସୁବିଧା ଯୋଗୁଁ ଲୋକେ ସାଧାରଣତଃ ରିଲାଏନ୍ସ ମଲ୍‍ ଏବଂ ଅଶୋକନଗର ଠାରେ ଅସ୍ଥାୟୀ ଭାବେ ଗଢି ଉଠିଥିବା ମୁଖ୍ୟ ଫାଟକ ନିକଟରେ ସମ୍ପର୍କୀୟମାନଙ୍କୁ ଛାଡିବାକୁ ଆସୁଛନ୍ତି ।

ତେବେ ଏହି ଦୁଇଟି ସ୍ଥାନକୁ ଏବେ ଅଟୋ ଓ ଟ୍ୟାକ୍ସିଚାଳକମାନେ କବ୍‍ଜା କରିନେଇଛନ୍ତି । ଏଥି ସହିତ ଆଖପାଖରେ ଥିବା ମଲ୍‍, ଦୋକାନ, ହୋଟେଲ ଆଦିକୁ ଯାଉଥିବା ଗ୍ରାହକ ମଧ୍ୟ ଏଠାରେ ନିଜ ନିଜର ଦୁଇ ଚକିଆ ଓ ଚାରିଚକିଆ ଯାନକୁ ଥୋଇ ଦେଇ ଯାଉଛନ୍ତି । ତେଣୁ ଯେଉଁମାନେ ନିଜ ନିଜ ଆତ୍ମୀୟଙ୍କୁ ଷ୍ଟେସନକୁ ଛାଡିବାକୁ ଯାଉଛନ୍ତି ସେମାନେ ସହଜରେ ଷ୍ଟେସନ ପର୍ଯ୍ୟନ୍ତ ଯାଇପାରୁ ନାହିଁ ।

ଅଶୋକନଗର ପଟରୁ ଆସୁଥିବା ଗାଡିଚାଳକମାନେ ଯେଉଁଠାରେ ଗାଡି ବୁଲାଇବା କଥା ସେଠାରେ ମାଳ ମାଳ ଅଟୋ ଓ ଟ୍ୟାକ୍ସି ଭିଡ କରୁଛନ୍ତି । ଆଖପାଖରେ ଥିବା ହୋଟେଲଗୁଡିକ ମଧ୍ୟ ସେମାନଙ୍କ ସାମ୍ନା ରାସ୍ତାରେ ଗାଡି ଛିଡା କରାଇ ଦେଉନାହାନ୍ତି । ତେଣୁ ଭିଡ ସମୟରେ ଯେଉଁମାନେ ଯାଉଛନ୍ତି ସେମାନେ ନିଜ ନିଜ ସମ୍ପର୍କୀୟଙ୍କୁ ଦୂରରେ ଛାଡିବାବୁ ବାଧ୍ୟ ହେଉଛନ୍ତି ନହେଲେ ନିଜେ ଭିଡରେ ଫସି ନାକେଦମ ହେଉଛନ୍ତି ।

ଅନୁରୂପ ଅବସ୍ଥା ରିଲାୟନ୍ସ ମଲ ପଟରୁ ଦେଖିବାକୁ ମିଳୁଛି । ସେଠାକୁ ଯାଉଥିବା ଚାରିଚକିଆ ଯାନଗୁଡିକ ସହଜରେ ବୁଲି ଆସିପାରୁ ନାହାନ୍ତି । ମାଳ ମାଳ ଅଟୋ ଓ ଟ୍ୟାକ୍ସି ଭିତରେ ଦୀର୍ଘ ସମୟ ଧରି ଫସି ରହୁଛନ୍ତି । ମାଷ୍ଟରକ୍ୟାଣ୍ଟିନ ଛକରୁ ଷ୍ଟେସନ ପର୍ଯ୍ୟନ୍ତ ଲମ୍ବିଥିବା ଏହି ରାସ୍ତାର ଦୁଇପଟ ଏବେ କାର୍‍ ଓ ଅଟୋ ଷ୍ଟାଣ୍ଡ ପାଲଟିଛି ।

ତେବେ ସରକାରୀ ବସ୍‍ଷ୍ଟାଣ୍ଡ ସାମ୍ନାରେ ଷ୍ଟେସନକୁ ଥିବା ମୁଖ୍ୟ ରାସ୍ତାଟିକୁ ରେଳବାଇ କର୍ତ୍ତୃପକ୍ଷ ଦୀର୍ଘଦିନ ହେଲା ଅବରୋଧ କରି ରଖିଛନ୍ତି । ଏହି ବାଟ ଦେଇ କେବଳ ଚାଲି ଚାଲି ଯାଇ ହେଉଛି । ତେଣୁ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଏଭଳି ଅବସ୍ଥା ଲାଗି ରହିବ ବୋଲି ଜଳ ଜଳ ହୋଇ ଦିଶୁଥିବାବେଳେ ଷ୍ଟେସନ ଆଖପାଖ ବିଶେଷକରି ପ୍ରବେଶପଥ ନିକଟରେ ଟ୍ରାଫିକ ନିୟନ୍ତ୍ରଣ ଲାଗି ମତପ୍ରକାଶ ପାଉଛି । ଏହା ନହେଲେ ଆଗାମୀ ଦିନରେ ଲୋକେ ମୁଖ୍ୟ ରାସ୍ତା ଠାରୁ ଚାଲି ଚାଲି ଷ୍ଟେସନକୁ ଯିବା ବାଧ୍ୟ ହେବେ ଏବଂ ଗାଡି ଚାଳନାକୁ ନେଇ ଏହିସବୁ ସ୍ଥାନରେ ଆଇନ୍‍ଶୃଙ୍ଖଳା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି । (ତଥ୍ୟ)