Home General ରେଳ ରେକ୍‍ ଦାବି ପୂରଣ ହେଉନି

ରେଳ ରେକ୍‍ ଦାବି ପୂରଣ ହେଉନି

ଭୁବନେଶ୍ୱର : ରେଳ ରେକଗୁଡିକର ଆଧୁନିକୀକରଣ ଏବଂ ବିଭିନ୍ନ ସ୍ଥାନରେ ରେକ୍‍ ପଏଣ୍ଟ ସ୍ଥାପନ ପାଇଁ ଓଡିଶାର ଦୀର୍ଘଦିନର ଦାବି ପୂରଣ ହେଉନାହିଁ । ଏଥିଯୋଗୁଁ ସହଯୋଗୀ ସଂସ୍ଥାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ରାଜ୍ୟ ସରକାର କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଥିଲେ ମଧ୍ୟ ତାହା ପୂରଣ ହେଉନାହିଁ । କେବଳ ରାଜ୍ୟ ସରକାର ନୁହନ୍ତି ସାଂସଦମାନେ ମଧ୍ୟ ସଂସଦରେ ଏହି ପ୍ରସଙ୍ଗ ଉଠାଉଛନ୍ତି । ଚାହିଦା ତୁଳନାରେ ରେଳ ରେକ୍‍ ମିଳୁନଥିବାରୁ ବିଭିନ୍ନ ସଂସ୍ଥାମାନେ ମାଲ ପରିବହନ କ୍ଷେତ୍ରରେ ସମସ୍ୟାରେ ପଡୁଛନ୍ତି ।

ଓଡିଶାରେ ପୂର୍ବତଟ ରେଳପଥ, ଦକ୍ଷିଣ ପୂର୍ବ ରେଳପଥ ଏବଂ ଦକ୍ଷିଣପୂର୍ବ କେନ୍ଦ୍ରୀୟ ରେଳପଥ ରହିଛି । ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଜୋନ୍‍ ୱାରୀ ହୋଇଥିବା ନେଇ ଅଧିକାରୀମାନେ କହିଛନ୍ତି । ରାଉରକେଲା, କଳିଙ୍ଗନଗର, ଜାମସେଦପୁର ଏବଂ ଅନୁଗୁଳରେ ଅଣଶକ୍ତି କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟପାଇଁ ଦକ୍ଷିଣ ପୂର୍ବ ରେଳବାଇର ଦୈନିକ ୩୦.୫୦ ରେକ୍‍ ଆବଶ୍ୟକ ହୋଇଥିାଏ । ସେହିଭଳି ପୂର୍ବତଟ ରେଳବାଇ ୪୨.୩୭ ରେକ୍‍ ଦୈନିକ ଆବଶ୍ୟକ କରିଥାଏ ।

ଉପଲବ୍ଧ ଥିବା ରେଳ ରେକ୍‍ଗୁଡିକ ଓଡିଶାରେ କେବଳ ରେଳ ପରିବହନ ନୁହେଁ ଇସ୍ପାତ ଉତ୍ପାଦକ ଓ ଅନ୍ୟାନ୍ୟ ପରିହବନକାରୀମାନଙ୍କର ଆବଶ୍ୟକତା ପୂରଣ କରିପାରିବ ବୋଲି ରେଳ ମନ୍ତ୍ରାଳୟ ସୂତ୍ରରୁ ଜଣାପଡିଛି । ତେବେ ଚାହିଦା ଏବଂ ଯୋଗାଣରେ ଅସନ୍ତୁଳନ ସହିତ କେତେକ ରୁଟ୍‍ରେ ଟ୍ରାଫିକ ଏବଂ ଟର୍ମିନାଲ ସମସ୍ୟା ଦେଖାଦେଉଛି । ଏଭଳି ସ୍ଥିତିରେ ନୂଆ ରେଳ ରେକ୍‍ ଉପଲବ୍ଧ କରାଇବା, ନୂଆ ୱାଗନ କ୍ରୟ ଯୋଜନା କରାଯାଉଛି ।

ସହଯୋଗୀ ସଂସ୍ଥାମାନଙ୍କୁ ସେମାନଙ୍କ ଚାହିଦା ପୂରଣ ସକାଶେ ସ୍ୱତନ୍ତ୍ର ପରିବହନ ଟ୍ରେନ ଅପରେଟର (ଏସ୍‍ଏଫ୍‍ଟିଓ), ଜେନେରାଲ ପର୍ପସ ୱାଗନ ଇନଭେଷ୍ଟମେଣ୍ଟ ସ୍କିମ୍‍ (ଜିପିଡବ୍ଲ୍ୟୁଆଇଏସ୍‍) ଯୋଜନାରେ ବିଭିନ୍ନ ପ୍ରକାର ୱାଗନରେ ପୁଞ୍ଜିନିବେଶ ପାଇଁ ଉତ୍ସାହିତ କରାଯାଉଛି । ପରିଚାଳନା ଆବଶ୍ୟକତା, ବାଣିଜ୍ୟିକ ଯୁକ୍ତିଯୁକ୍ତତା ଏବଂ ଉପଲବ୍ଧ ସମ୍ବଳକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଥିବା ରେକ୍‍ ପଏଣ୍ଟଗୁଡିକର ଆଧୁନିକୀକରଣ ସହିତ ନୂଆ ରେକ ପଏଣ୍ଟର ଆବଶ୍ୟକତା ରହିଛି । ତେବ ରେଳ ମନ୍ତ୍ରାଳୟ ପକ୍ଷରୁ ସହଯୋଗୀମାନଙ୍କ ସମନ୍ୱୟ ରକ୍ଷା କରାଯିବା ସହିତ ରେକ୍‍ଗୁଡିକର ଆଧୁନିକୀକରଣ ପାଇଁ ନିମୟିତ ଭାବେ ପଦକ୍ଷେପ ନିଆଯାଉଛି । ଏଥି ସହିତ ରାଜ୍ୟରେ ରେଳ ନେଟୱାର୍ଡ ସହିତ ଜଡିତ ବିଭିନ୍ନ ସ୍ଥାନରେ ରେକ୍‍ ପଏଣ୍ଟ ସ୍ଥାପନ ପାଇଁ ବିଜ୍ଞପ୍ତି ମଧ୍ୟ ଜାରି ହେଉଛି । (ତଥ୍ୟ)