Home Finance ରେଳ ପ୍ରକଳ୍ପ ପାଇଁ ୭୨୦୦ କୋଟିର ଦାବି

ରେଳ ପ୍ରକଳ୍ପ ପାଇଁ ୭୨୦୦ କୋଟିର ଦାବି

ଭୁବନେଶ୍ୱର : ୨୦୨୧-୨୨ ବଜେଟରେ ଓଡିଶାରେ ଚାଲୁ ରହିଥିବା ତଥା ନୂତନ ଭାବେ ନିଆଯାଉଥିବା ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ଅତି କମ୍‍ରେ ୭୨୦୦ କୋଟି ଟଙ୍କା ବ୍ୟବସ୍ଥା ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦାବି କରିଛନ୍ତି । ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କ ସହିତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ପ୍ରାକ୍‍ ବଜେଟ୍‍ ଆଲୋଚନା କାଳରେ ଶ୍ରୀ ପୂଜାରୀ ଏହି ଦାବି ଉପସ୍ଥାପନ କରିଛନ୍ତି ।

ଏଥି ସହିତ ରାଜ୍ୟର ଯେଉଁସବୁ ପଞ୍ଚାୟତରେ ବ୍ୟାଙ୍କ୍‍ ସୁବିଧା ନାହିଁ ସେଠାରେ ବ୍ୟାଙ୍କ୍‍ ଶାଖା ଖୋଲିବା, ରାଜ୍ୟର ଅନଗ୍ରସର ଅଞ୍ଚଳରେ ଇଣ୍ଟରନେଟ୍‍ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଟେଲି ପ୍ରକଳ୍ପ ଲାଗି ବଜେଟ୍‍ରେ ୫୬୫୦କୋଟିର ବ୍ୟବସ୍ଥା କରିବାକୁ ଅର୍ଥମନ୍ତ୍ରୀ କହିଛନ୍ତି ।

ସେହିଭଳି ରାଜ୍ୟରେ ଥିବା ଜାତୀୟ ରାଜପଥଗୁଡିକର ନିର୍ମାଣ ତଥା ରକ୍ଷଣା ବେକ୍ଷଣ ପାଇଁ ଆବଶ୍ୟକ ଅର୍ଥ ବରାଦ ସହିତ କେନ୍ଦ୍ରୀୟ ବିକ୍ରି କର ଆଇନ୍‍, ୧୯୫୬ର ଧାରା ୮ ଉପଧାରା-୩ରେ ସଂଶୋଧନ କରି ଫର୍ମ-ସିର ଅପବ୍ୟହାର ରୋକାଯାଇ ହାଇ ସ୍ପିଡ୍‍ ଡିଜେଲର ଆନ୍ତଃରାଜ୍ୟ କ୍ରୟକୁ ରୋକାଯିବା ଲାଗି ଶ୍ରୀ ପୂଜାରୀ ଦାବି ରଖିଛନ୍ତି ।

ଶକ୍ତି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଦୂର ଯଥା ଇଲେକଟ୍ରିସିଟି ନିୟମ, ୨୦୦୩ୋର ଆବଶ୍ୟକ ସଂଶୋଧନ କରି ସମସ୍ତ ଜଳବିଦ୍ୟୁତ ପ୍ରକଳ୍ପଗୁଡିକୁ ରିନେବୁଲ ପାୱାର ଓବ୍ଲିଗେସନ (ଆରପିଓ) ପାଇଁ ଅର୍ନ୍ତଭୁକ୍ତ କରିବା, ବଳକା ଶକ୍ତିକୁ ବିକ୍ରି ପାଇଁ ଏସ୍‍ଇସିଆଇ ଦ୍ୱାରା କରାଯାଉଥିବା ଟେଣ୍ଡର ପ୍ରକ୍ରିୟାରେ ଡିଆଇଏସ୍‍ସିଓଏମ୍‍ ମାନଙ୍କୁ ଭାଗ ନେବାପାଇଁ ଅନୁମତି ଦେବାକୁ କୁହାଯାଉଛି ।

ପାଇପ୍‍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ଆବଶ୍ୟକ ବ୍ୟୟବରାଦ, ରାଜ୍ୟ ସ୍ୱାର୍ଥ ଜଡିତ ଥିବା ଜରୁରୀ ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରଙ୍କ ସହିତ ପୂର୍ବାଲୋଚନା କରିବା, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡିକରେ ଉତ୍ତର-ପୂର୍ବ ତଥା ହିମାଳୟସ୍ଥିତ ରାଜ୍ୟମାନଙ୍କୁ ପ୍ରଦାନ କରାଯାଉଥିବା କେନ୍ଦ୍ର ଅଂଶ ହାରରେ ଓଡିଶାକୁ ଅଂଶ ପ୍ରଦାନ ଓ ସମସ୍ତ ବାହ୍ୟ ସାହାଯ୍ୟପ୍ରାପ୍ତ ପ୍ରକଳ୍ପଗୁଡିକ ବାବଦକୁ ମିଳୁଥିବା ଋଣକୁ ଭାରତୀୟ ମୁଦ୍ରା ଆକାରରେ ପ୍ରଦାନ କରିବାପାଇଁ ବଜେଟ୍‍ ପ୍ରସ୍ତୁତି ସମୟରେ ବିଚାର ଲାଗି ଅର୍ଥମନ୍ତ୍ରୀ କହିଛନ୍ତି ।