Home General ରେଳ ପ୍ରକଳ୍ପ ପାଇଁ ୧୦ ହଜାର କୋଟି ଦିଅ: କଂଗ୍ରେସ

ରେଳ ପ୍ରକଳ୍ପ ପାଇଁ ୧୦ ହଜାର କୋଟି ଦିଅ: କଂଗ୍ରେସ

ଭୁବନେଶ୍ୱର: ରେଳ ପ୍ରକଳ୍ପ ଅନୁଦାନ ପ୍ରସଙ୍ଗରେ ଗତ ବର୍ଷ ଓଡିଶା ବିଧାନସଭାରେ ଏକ ପ୍ରତିନିଧି ଦଳ ଦିଲ୍ଲୀରେ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟି ରାଜ୍ୟକୁ ଅଧିକ ଅନୁଦାନ ଦେବାକୁ ଦାବୀ ଉପସ୍ଥାପନ କରିଥିଲେ । ସଂସଦରେ ୧ ଫେବୃଆରୀରେ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଓଡିଶା ବିଧାନସଭା କମିଟି ଫେବୃଆରୀ ୧୨ ରେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ଦାବି ରଖିଥିଲେ ।

ଆଗାମୀ କେନ୍ଦ୍ର ବଜେଟ୍ ୨୦୨୧-୨୨ ସଂସଦରେ ଫେବୃଆରୀ ପହିଲାରେ ଉପସ୍ଥାପନ ପାଇଁ ଧାର୍ଯ୍ୟ ହୋଇଛି । କଂଗ୍ରେସ ଦଳର ଆଶଙ୍କା ବଜେଟ୍ ଉପସ୍ଥାପନ ପୂର୍ବରୁ ରାଜ୍ୟର ଦାବି ସଠିକ୍ ଭାବେ ଉପସ୍ଥାପିତ ହୋଇ ନପାରିଲେ ଓଡିଶାବାସୀଙ୍କୁ କ୍ଷତି ସହିବାକୁ ପଡିବ । ଏଣୁ ବଜେଟ୍ ଉପସ୍ଥାପନ ପରେ ରାଜ୍ୟ ସରକାର ଦାବି କରି ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଅପେକ୍ଷା ବଜେଟ୍ ପୂର୍ବରୁ ସରକାର ରାଜ୍ୟକୁ କିଭଳି ଅଧିକରୁ ଅଧିକ ଅନୁଦାନ ମିଳିବ ସେଥିପ୍ରତି କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରନ୍ତୁ ।

ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଦିଲ୍ଲୀ ଦରବାରରେ ଓଡିଶାର ନ୍ୟାଯ୍ୟ ସ୍ୱାର୍ଥ ଉପସ୍ଥାପନ ଲାଗି ଉଭୟ ବିଜେଡି–ବିଜେପିକୁ କଂଗ୍ରେସ ଦଳ ତରଫରୁ ଆହ୍ୱାନ କରାଯାଉଛି । ଓଡିଶାରୁ ପ୍ରତିବର୍ଷ ୧୫ ହଜାର କୋଟିରୁ ଊର୍ଦ୍ଧ୍ୱ ରାଜସ୍ୱ ରେଳବାଇ ପାଉଥିବା ବେଳେ ରାଜ୍ୟର ରେଳ ବିକାଶ ଲାଗି ଆଗାମୀ ବଜେଟ୍‌ରେ ଅତି କମ୍‌ରେ ୧୦ ହଜାର କୋଟି ଟଙ୍କା ବଜେଟ୍ ଅନୁଦାନ ଘୋଷଣା କରିବାକୁ ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ୧୯୯୪-୯୫ ବର୍ଷରେ କେନ୍ଦ୍ରରେ କଂଗ୍ରେସ ସରକାର ଅମଳରେ ରେଳ ବଜେଟ୍‌ରେ ସ୍ଥାନ ପାଇଥିବା ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ରେଳପଥ (୨୮୯ କିମି) ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନହେବା ଅତ୍ୟନ୍ତ ଦୁଃଖର ବିଷୟ । ପୂର୍ବ-ପଶ୍ଚିମ ଓଡିଶାକୁ ସଂଯୋଗ କରୁଥିବା ଏହି ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉ ।

ଚଳିତ ଜାନୁଆରୀ ୧୮ରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ରାଜ୍ୟର ଅହମ୍ମଦାବାଦ ଓ ସୁରଟ ସହର ଲାଗି ମେଟ୍ରୋ ଟ୍ରେନ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଦେଶର ୨୭ଟି ସହରରେ ମେଟ୍ରୋ ଟ୍ରେନ୍ ପହଞ୍ଚିଲାଣି । ଓଡିଶାର ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ କୌଣସି ଅସୁବିଧା ନାହିଁ । ବଜେଟରେ ଓଡିଶାର ମେଟ୍ରୋ ରେଳ ପ୍ରକଳ୍ପ ପ୍ରସ୍ତାବ ଘୋଷଣା କରିବାକୁ କଂଗ୍ରେସ ଦଳ ତରଫରୁ ଦାବି କରାଯାଉଛି ।

କେନ୍ଦ୍ରରେ ୟୁପିଏ ସରକାର ଅମଳରେ ୨୦୧୧-୧୨ ରେଳ ବଜେଟରେ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀ ଠାରେ ୱାଗନ ନିର୍ମାଣ କାରଖାନା ସ୍ଥାପନା ଲାଗି ଘୋଷଣା ହୋଇଥିଲା । ଇତି ମଧ୍ୟରେ ୮ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ କାରଖାନା ସ୍ଥାପନା ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ । ଚଳିତ ବଜେଟରେ ୱାଗନ କାରଖାନା ସ୍ଥାପନ ଲାଗି ଅତିକମରେ ୧୦୦ କୋଟି ଅନୁଦାନ ରାଶି ଘୋଷଣା କରିବାକୁ କଂଗ୍ରେସ ଦାବି କରୁଛି । ସେହିପରି କଳାହାଣ୍ଡି ଜିଲ୍ଲାର ନର୍ଲା ଠାରେ ଇଲେକଟ୍ରିକ ଲୋକ ମେଣ୍ଟେନାନ୍ସ ୱାର୍କସପ୍ ସ୍ଥାପନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ କଂଗ୍ରେସ ଦଳ ଦାବି କରୁଛି ।