Home Infrastructure ରେଳଲାଇନ୍‍ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ

ରେଳଲାଇନ୍‍ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ

ଭୁବନେଶ୍ୱର : ତାଳଚେର-ବିମଳାଗଡ ନୂତନ ରେଳଲାଇନ୍‍ କାର୍ଯ୍ୟ ଶ୍ରୀଘ୍ର ଆରମ୍ଭ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟକୁ ରାଜ୍ୟ ସରକାର ତ୍ୱରାନ୍ୱିତ କରିଛନ୍ତି । ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଏ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୧୫୦ କିଲୋମିଟର ଦୈର୍ଘ୍ୟ ତାଳଚେର-ବିମଳାଗଡ ରେଳଲାଇନ୍‍ କାର୍ଯ୍ୟ ୨୦୦୩-୦୪ରେ ରେଳବାଇ ହାତକୁ ନେଇଥିଲା । ଏହି ପ୍ରକଳ୍ପର ବ୍ୟୟଭାର ହାରାହାରି ୧୯୨୮ କୋଟି ଟଙ୍କା ଥିଲା । ଏହି ରେଳପଥର ପ୍ରାୟ ୨୦ କିଲୋମିଟର ଦୈର୍ଘ୍ୟ ତାଳଚେର-ସୁନାଖଣି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ସୁନାଖଣି ଠାରୁ ଖମାର ମଧ୍ୟରେ ୩୦.୫୦ କିଲୋମିଟର କାର୍ଯ୍ୟ ଚାଲିଛି । ତେବେ ଆଇନ୍‍ଗତ ବାଧା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ଅଟକ ରହିଛି । ବର୍ତ୍ତମାନ ଖମାର ଠାରୁ ବିମଳାଗଡ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ହାତକୁ ନିଆଯାଇଛି ।

ଏଥି ମଧ୍ୟରେ ଥିବା ୧୦୦୨.୬୧ ଏକ ଘରୋଇ ଜମି ମଧ୍ୟରୁ ୫୨୪.୮୧ ଏକର ଅଧିଗ୍ରହଣ ହୋଇଛି । ୪୨୨.୩୮ ଏକର ସରକାରୀ ଜମି ମଧ୍ୟରୁ ୨୫୧.୧୦ ଏକର ଜମି ହସ୍ତାନ୍ତର ସହିତ ସମସ୍ତ ଜଙ୍ଗଲ ଜମିକୁ ଅଣଜଙ୍ଗଲ କିସମରେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଓଡିଶା ସରକାର ଏହି ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି ।

ସୂଚନା ଅନୁଯାୟୀ ଜମି ଅଧିଗ୍ରହଣରେ ବିଳମ୍ବ ଓ ମାମଲାରେ ଛନ୍ଦି ହେବା ଯୋଗୁଁ ପ୍ରକଳ୍ପର ବ୍ୟୟଭାର ଅହେତୁକ ଭାବେ ବୃଦ୍ଧି ପାଇଛି ଓ ଏହା ପ୍ରକଳ୍ପକୁ ପ୍ରଭାବିତ କରିଛି । ସୁନାଖଣି ଓ ସାମଲ ମଧ୍ୟରେ ୯.୭ କିଲୋମିଟର ଟ୍ରାକ ଲାଇନ୍‍ ମଧ୍ୟରୁ ୭୫ ପ୍ରତିଶତ ନିର୍ମାଣ ସରିଛି । ତେବେ ଅଦାଲତି ମାମଲା ଯୋଗୁଁ ଅବଶିଷ୍ଟ କାର୍ଯ୍ୟ ଅଟକି ରହିଥିବା ଜଣାଯାଇଛି ।

ଅନୁରୂପ ଭାବେ ସାମଲ ଓ ପରବିଲ ମଧ୍ୟରେ ଥିବା ୬.୫୩ କିଲୋମିଟରର ୮୫ ପ୍ରତିଶତ କାର୍ଯ୍ୟ ତିନି ତିନିଟି ଅଦାଲତି ମାମଲାରେ ଛନ୍ଦିହୋଇ ଝୁଲି ରହିଛି । ତେବେ ପରବିଲ ଓ ଖମାର ମଧ୍ୟରେ ଥିବା ୧୪.୨୦ କିଲୋମିଟର ପ୍ରକଳ୍ପ କାର୍ଯ୍ୟର ୪୭ ପ୍ରତିଶତ ସମାପ୍ତ ହୋଇଛି । ଏହି କାର୍ଯ୍ୟ ମଧ୍ୟ ଚାରି ଚାରିଟି ଅଦାଲତ ମାମଲା ଯୋଗୁଁ ଆଗେଇ ପାରୁନଥିବା ଜଣାଯାଇଛି । (ତଥ୍ୟ)