Home Infrastructure ରେଳପ୍ରକଳ୍ପକୁ ମିଳୁନି ଜଙ୍ଗଲ ଅନୁମତି

ରେଳପ୍ରକଳ୍ପକୁ ମିଳୁନି ଜଙ୍ଗଲ ଅନୁମତି

ଭୁବନେଶ୍ୱର : କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ପ୍ରଦାନ କରୁନଥିବାରୁ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳପଥ କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି । ମୋଟ୍‍ ୩୦୧ କିଲୋମିଟର ଦୈର୍ଘ୍ୟ ଏହି ରେଳପଥ ମଧ୍ୟରୁ ୯୧ କିଲୋମିଟର ଦୈର୍ଘ୍ୟ ଖୋର୍ଦ୍ଧାରେଡ-ନୂଆଗାଁରେ ରେଳ ଚଳାଚଳ କରୁଥିବାବେଳେ ୨୦୨୩ ମାର୍ଚ୍ଚ ସୁଦ୍ଧା ନୂଆଗାଁ ରୁ ଦଶପଲ୍ଲା ମଧ୍ୟରେ ରେଳ ଚଳାଚଳ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ତେବେ ଦଶପଲ୍ଲା ଠାରୁ ବୁଗୁଡା ପର୍ଯ୍ୟନ୍ତ ଥିବା ୧୫ କିଲୋମିଟର ରେଳପଥ କାର୍ଯ୍ୟ ଧିମେଇ ଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ପ୍ରଦାନ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଛି । ଅନୁରୂପ ସମସ୍ୟା ଯୋଗୁଁ ବୁଗୁଡା ଠାରୁ ବାଣିଗୋଚ୍ଛା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବି ଆରମ୍ଭ ହୋଇପାରୁ ନାହିଁ ।

ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଏହି ରେଳପଥର ୧୧୨ କିଲୋମିଟରୁ ୧୮୦ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟପାଇଁ ଜଙ୍ଗଲ ଅନୁମତି ପ୍ରଦାନ କରିନାହାନ୍ତି । ତେବେ ୧୮୦ ରୁ ୨୭୫ କିଲୋମିଟର କାର୍ଯ୍ୟ ଆଗେଇ ଥିବାବେଳେ ୨୭୫ ରୁ ୩୦୧ କିଲୋମିଟର ରେଳପଥରେ ରେଳ ଚଳାଚଳ କରୁଛି । ଜଙ୍ଗଲ ଅନୁମତି ପାଇଁ ରାଜ୍ୟ ସରକାର ଭୁବନେଶ୍ୱର ଠାରେ ଥିବା ମନ୍ତ୍ରାଳୟର ଆଞ୍ଚଳିକ ଦପ୍ତରକୁ ପ୍ରସ୍ତାବ ପଠାଇଛନ୍ତି । ନିକଟରେ ଅନୁଷ୍ଠିତ ରିଜିଓନାଲ ଏମ୍ପାୱାର କମିଟିରେ ମଧ୍ୟ ଉତ୍‍ଥାପନ ହୋଇଥିଲା ।

ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ୧୧୨ରୁ ୩୦୧ କିଲୋମିଟର ପର୍ଯ୍ୟନ୍ତ ଆବଶ୍ୟକ ପଡୁଥିବା ଜମି ରାଜ୍ୟ ସରକାର ବିନା ମୂଲ୍ୟରେ ଯୋଗାଉଥିବାବେଳେ ନିର୍ମାଣକାର୍ଯ୍ୟର ୫୦ ପ୍ରତିଶତ ବହନ କରୁଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ମିଳୁନଥିବାରୁ ୧୧୨ ରୁ ୧୧୮ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରୁନଥିବା ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳପଥ କାର୍ଯ୍ୟ ବିଳମ୍ବ ନେଇ ବିଶେଷଜ୍ଞମାନେ ମତ ଦେଉଛନ୍ତି । ସେମାନଙ୍କ ମତରେ କୌଣସି ରେଳପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଜମି ଅଧିଗ୍ରହଣ, ଅଧିକାରୀମାନଙ୍କ ଦ୍ୱାରା ତ୍ୱରିତ ଜଙ୍ଗଲ ଅନୁମତି, ବିଭିନ୍ନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବୈଧାନିକ ଅନୁମତି, ଭୌଗଳିକ କ୍ଷେତ୍ରର ସ୍ଥିତି, ପ୍ରକଳ୍ପ ଅଞ୍ଚଳରେ ଆଇନ୍‍ଶୃଙ୍ଖଳା ସ୍ଥିତି ଏବଂ ପାଣିପାଗ ଅନୁଯାୟୀ ନିର୍ଦ୍ଦିଷ୍ଟ ପ୍ରକଳ୍ପ ଲାଗି ଧାର୍ଯ୍ୟ ସମୟ ଆଦି ରହିଛି ।

ତେବେ ଖୋର୍ଦ୍ଧାରୋଡ-ବଲାଙ୍ଗିର ପ୍ରକଳ୍ପ ଲାଗି ୬୧୬୨ ଏକର ଜମି ଆବଶ୍ୟକ ଥିବାବେଳେ ୧୮୪୪ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଆବଶ୍ୟକ । ମୋଟ୍‍ ଜମି ମଧ୍ୟରୁ ୫୨୮୦ ଏକର ଜମି ଅଧିଗ୍ରହଣ ହୋଇଥିବାବଳେ ୧୭୦ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ତେଣୁ ଅବଶିଷ୍ଟ ୯୫୪ ଏକର ଜମି ଅଧିଗ୍ରହଣ ଓ ୧୬୭୪ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ରେଳ ପ୍ରକଳ୍ପ କାର୍ଯ୍ୟ ୧୯୯୪-୯୫ରେ ମଞ୍ଜୁର ହୋଇଥିବାବେଳେ ପ୍ରଗତି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରକଳ୍ପକୁ ଗୁରୁତ୍ୱ ଦେବା ସହିତ କାର୍ଯ୍ୟ ସାରିବା ଲାଗି ମତ ଦେଇଛନ୍ତି । (ତଥ୍ୟ)