Home General ରେଡିଓ ‘ସମ୍ପର୍କ’ ହେବ ସମ୍ପର୍କର ସେତୁ

ରେଡିଓ ‘ସମ୍ପର୍କ’ ହେବ ସମ୍ପର୍କର ସେତୁ

କଟକ : ରେଡିଓ ‘ସମ୍ପର୍କ’ ହେବ ସମ୍ପର୍କର ସେତୁ । ଗାଁ ଲୋକଙ୍କ କଥା କହିବ ରେଡିଓ ‘ସମ୍ପର୍କ’ । ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇ ବିକାଶର ମାଧ୍ୟମ ସାଜିବ । ଲୋକେ ରେଡିଓକୁ ନିଜର ସାଥି କରିବା ଆବଶ୍ୟକ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି ।

ଆଜି କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକର ମୁରାଦାବାଦ ଠାରେ ରାଜ୍ୟର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିକକ ଦ୍ୱାରା ପ୍ରତିଷ୍ଠା ହୋଇଥିବା ୨୦ ତମ ଗୋଷ୍ଠିଭିତ୍ତିକ ରେଡିଓ ଷ୍ଟେସନକୁ ଉଦ୍‍ଘାଟନ ଅବସରକରେ ଏହି ମତପ୍ରକାଶ ପାଇଛି । ରେଡିଓ ‘ସମ୍ପର୍କ’ ନାମରେ ଆଜି ଠାରୁ ପ୍ରସାରଣ ଆରମ୍ଭ ହୋଇଥିବା ଏହି ବେତାର କେନ୍ଦ୍ରକୁ କଟକ ଆକାଶବାଣୀର ସସ୍ୱାଦ ବିଭାଗର ନିର୍ଦ୍ଦେଶିକା ଇତିଶ୍ରୀ ସିଂହ ରାଠୋର ଉଦ୍‍ଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ନିଶ୍ଚିତକୋଇଲିର ବିଡିଓ କର୍ଣ୍ଣଦେବ ସମଦାର, ଓପିଏସ୍‍ସିର ସଚିବ ଅଶୋକ କୁମାର ଦାଶ, ପୂର୍ବତନ ବିଚାରପତି ମନୋରଞ୍ଜନ ମହାନ୍ତି, କଣ୍ଟାପଡା ସରପଞ୍ଚ, ଓଡିଶା କମ୍ୟୁନିଟି ରେଡିଓ ଆସୋସିଏସନର ସଭାପତି ଡକ୍ଟର ଶିଶିର ଦାସ ଏବଂ ସମ୍ପାଦକ ଶ୍ରୀ ନିୟାଜ, ସର୍ବଭାରତୀୟ କମ୍ୟୁନିଟି ରେଡିଓ ଆସୋସିଏସନର ସଭାପତି ଏନ.ଏ.ଶାହା, ପିକକର ଅଧ୍ୟକ୍ଷା ଡକ୍ଟର ମିନାକ୍ଷୀ ପଣ୍ଡା ଅନସାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଅତିଥିମାନେ ମତ ଦେଇଥିଲେ ଯେ ଗାଁ ଗହଳର ଲୋକଙ୍କ ନିକଟରେ ସରକାରୀ ଯୋଜନାକୁ ପହଞ୍ଚାଇବା ସହିତ ସେମାନଙ୍କ ଭିତରେ ଥିବା ପ୍ରତିଭାର ପରିପ୍ରକାଶ ପାଇଁ ରେଡିଓ ‘ସମ୍ପର୍କ’ କାର୍ଯ୍ୟ ଆରମ୍ଭ କରିଛି । କେନ୍ଦ୍ର ସରକାର ପ୍ରତି ବ୍ଲକରେ ଏଭଳି ଗୋଟିଏ କରି ରେଡିଓ ଷ୍ଟେସନର ପ୍ରତିଷ୍ଠାର ଲକ୍ଷ୍ୟ ରଖିଛନ୍ତି ।

ଉଦ୍‍ଘାଟନ ଅବସରରେ ଆଜି ପ୍ରଥମେ ଜାତୀୟ ସଙ୍ଗୀତ ଓ ପରେ ବନ୍ଦେ ଉତ୍କଳ ଜନନୀ ପ୍ରସାରିତ ହୋଇଥିଲା । ଏହାପରେ ଅତିଥିମାନେ ନିଜ ନିଜ ମତ ରଖି ରେଡିଓ ‘ସମ୍ପର୍କ’ର ଉତ୍ତୋରତର କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।