Home Finance ରେକର୍ଡ ଖଣି ରାଜସ୍ୱ ଆଦାୟ

ରେକର୍ଡ ଖଣି ରାଜସ୍ୱ ଆଦାୟ

ଭୁବନେଶ୍ୱର : କରୋନା ମାଡରେ ବିଭିନ୍ନ କ୍ଷେତ୍ରରୁ ରାଜସ୍ୱ ଆଦାୟ ହ୍ରାସ ପାଇଥିବାବେଳେ ଚଳିତ ଆର୍ଥିକ ପ୍ରଥମ ତୁଇ ମାସରେ ଖଣିଜ ରାଜସ୍ୱ ବାବଦରେ ପ୍ରାୟ ୫୮୦୦ କୋଟି ଟଙ୍କା ସଂଗ୍ରହ ସର୍ବକାଳୀନ ରେକର୍ଡ ହୋଇଛି । ଖଣି କ୍ଷେତ୍ରର ଏହି ବିପୁଳ ରାଜସ୍ୱ ପ୍ରମୁଖ ଉନ୍ନୟନମୂଳକ ଯୋଜନାଗୁଡିକ ଚଳାଇ ରଖିବାରେ ସରକାରଙ୍କୁ ସହାୟ ହୋଇଛି ।

ଖଣିଜ ସମ୍ପଦଭରା ରାଜ୍ୟ ଓଡିଶାରେ ୨୦୨୦ ମଇ ତୁଳନାରେ ୨୦୨୧ ମଇମାସରେ ଖଣି ରାଜସ୍ୱ ଆଦାୟ ୬୬୮ ପ୍ରତିଶତ ବୃଦ୍ଧିପାଇଛି । କୋଡିଭ-୧୯ ମହାମାରୀ ସମୟରେ ଏହା ସର୍ବକାଳୀନ ରେକର୍ଡ ହୋଇଛି ଯେତେବେଳେ ବି ରାଜ୍ୟସରକାର କରୋନା ମୁକାବିଲା ଲାଗି ଅଧିକାରୁ ଅଧିକ ଅର୍ଥ ଆବଶ୍ୟକ କରୁଛନ୍ତି । କୋଭିଡ ସମୟରେ ଅନ୍ୟାନ୍ୟ ରାଜସ୍ୱ ଆଦାୟ ଧିମେଇ ଯାଇଥିବାବେଳେ ଖଣିଜ ରାଜସ୍ୱ ଅଭିବୃଦ୍ଧିଯୋଗୁଁ ଓଡିଶା ଏଭଳି ଲାଭ ପାଇପାରିଛି ।

୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‍ରେ ଖଣିଜ ରାଜସ୍ୱ ଲକ୍ଷ୍ୟ ୧୩,୭୦୦ କୋଟି ଟଙ୍କା ଥିବାବେଳେ ମଇ ୩୧ସୁଦ୍ଧା ଓଡିଶା ୫୭୩୧କୋଟି ୭୩ଲକ୍ଷ ଟଙ୍କା କେବଳ ଖଣିଜ କ୍ଷେତ୍ରରୁ ଆଦାୟ କରିଛିା ୨୦୨୦-୨୧ ବର୍ଷରେ ୧୩,୬୦୪କୋଟି ୮୯ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା । ତାହାକୁ ଦୃଷ୍ଟିରେ ରଖି କରୋନା କାଳରେ ରାଜ୍ୟ ସରକାର ଚଳିତ ବର୍ଷରେ ମାତ୍ର ୧୦୦ କୋଟି ଟଙ୍କା ବୃଦ୍ଧିକରି ୧୩,୭୦୦ କୋଟି ରାଜସ୍ୱ ଆଦାୟର ଲକ୍ଷ୍ୟଧାର୍ଯ୍ୟ କରିଥିଲେ ।

ରାଜ୍ୟ ସରକାର ଗତ ଆର୍ôଥକ ବର୍ଷରେ କୋଭିଡ ମହାମାରୀ ସତ୍ୱେ ଖଣିଜ କ୍ଷେତ୍ରରୁ ୧୩,୬୦୪କୋଟି ୮୯ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ କରିଥିଲେ । ତେବେ ୨୦୧୯-୨୦ରେ ମହାମାରୀ ନଥିଲେ ମଧ୍ୟ ବଜାରରେ ଚାହିଦା ଅଭାବରୁ ଏକ୍ଷେତ୍ରରୁ ମାତ୍ର ୧୧ହଜାର କୋଟି ରାଜସ୍ୱ ଆଦାୟ ହୋଇଥିଲା । କିନ୍ତୁ ୨୦୨୧-୨୨ ବର୍ଷରେ ଖଣି ରାଜସ୍ୱ କ୍ଷେତ୍ରରେ ପୂର୍ବର ସମସ୍ତ ରେକର୍ଡ ଅତିକ୍ରମ କରିବା ସହିତ ପୂର୍ବବର୍ଷ ତୁଳନାରେ ଭଲ ରାଜସ୍ୱ ଆଦାୟ ହେବାରେ ଲାଗିଛି ।

ବିଗତ ତିନି ବର୍ଷର ମଇ ମାସରେ ଖଣିଜ କ୍ଷେତ୍ରରୁ ଆଦାୟ ହୋଇଥିବା ରାଜସ୍ୱକୁ ତୁଳନା କଲେ ଦେଖାଯାଏ ଯେ ୨୦୧୯ ମଇ ୩୧ରେ ରାଜ୍ୟ ପକ୍ଷରୁ ୨୦୩୬କୋଟି ୬୪ଲକ୍ଷ ଟଙ୍କାର ଟିକସ ଆଦାୟ ହୋଇଥିଲା । ତେବେ ଏହା ପରବର୍ଷ ଅର୍ଥାତ୍‍ ୨୦୨୦ ମଇରେ ମାତ୍ର ୭୪୬କୋଟି ୬୯ଲକ୍ଷ ଟଙ୍କାର ଖଣିଜ ରାଜସ୍ୱ ମିଳିଥିଲା ଯାହାକି ପୂର୍ବବର୍ଷ ତୁଳନାରେ ୬୩.୩୪ ପ୍ରତିଶତ କମ୍‍ ଥିଲା ।

ତେବେ ଚଳିତ ବର୍ଷ ମଇରେ ଆଦାୟ ହୋଇଥିବା ରାଜସ୍ୱ ସବୁ ରେକର୍ଡକୁ ଅତିକ୍ରମ କରି ୬୬୭.୭୨ ପ୍ରତିଶତ ଅଧିକ ରହିଛି । ୨୦୧୯ ମଇ ତୁଳନାରେ ଏହା ୧୮୧.୪୩ପ୍ରତିଶତ ଅଧିଖ ରହିଥିବା ଅଧିକାରୀମାନେ କହିଛନ୍ତି । ଖଣିଜ କ୍ଷେତ୍ରରୁ ୨୦୨୧ ମଇ ମାସରେ ୩୩୬୯ କୋଟି ୬୮ଲକ୍ଷ ଟଙ୍କାର ରାଜସ୍ୱ ମିଳିଛି ଯାହା କି ଏକ ରେକର୍ଡ । ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ବରିଷ୍ଠ ଅଧିକାରୀଙ୍କ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । (ତଥ୍ୟ)