Home Administration ରିଙ୍ଗ ରୋଡ୍‍ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ରିଙ୍ଗ ରୋଡ୍‍ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ସହରୀ ଯୋଜନାରେ ସାମିଲ ହୋଇଥିବା ରାଜଧାନୀ ଉପକଣ୍ଠର ୪୫ଟି ମୌଜାକୁ ସଂଯୋଗ ଲାଗି ପ୍ରସ୍ତାବିତ ‘ରିଙ୍ଗ୍‍ ରୋଡ୍‍’ କାର୍ଯ୍ୟ ସାରିବାକୁ କୁହାଯାଇଛି । ଏଥି ସହିତ ଏହି ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବା ଅଞ୍ଚଳରେ ସମସ୍ତ ପ୍ରକାର ଭିତ୍ତିଭୂମି ଯୋଗାଇ ଦେବାପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି ।

ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଥିବା ଇଲାକାରେ ସହରୀ ଯୋଜନାକୁ ବ୍ୟବସ୍ଥିତ କରିବାଲାଗି ସେଗୁଡିକୁ ‘ଟାଉନ୍‍ ପ୍ଲାନିଂ’ (ଟିପି) ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଥିଲା । ଏଥିରେ ମୋଟ୍‍ ୪୫ଟି ମୌଜା ସାମିଲ ହୋଇଥିବାବେଳେ ଏଠାରେ ଥିବା ଜମିମାଲିକମାନଙ୍କୁ ଜଳ, ବିଦ୍ୟୁତ୍‍, ସଡକ ଭଳି ମୌଳିକ ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଥିଲା । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହି ଯୋଜନାକୁ କାର୍ଯ୍ୟକାରୀ କରୁଥିବାବେଳେ ଇତି ମଧ୍ୟରେ ୪ଟି ମୌଜାରେ କାର୍ଯ୍ୟ ସରିଥିବା ଜଣାଯାଇଛି ।

ଅବଶିଷ୍ଟ ମୌଜାଗୁଡିକରେ ପର୍ଯ୍ୟାୟକ୍ରମେ ଭିତ୍ତିଭୂମି ବିକାଶ କାର୍ଯ୍ୟ ସାରିବା ଲାଗି ଆଜି ମନ୍ତ୍ରୀ ଜେନା ବିଡିଏ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହିସବୁ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଭିତ୍ତିଭୂମି କାର୍ଯ୍ୟ କେତେ ପରିମାଣରେ ଆଗେଇଛି ତାହାର ସ୍ଥିତି ମଧ୍ୟ ମନ୍ତ୍ରୀ ପରଖି ଥିଲେ । ଏହି ଯୋଜନାରେ ଅର୍ନ୍ତଭୁକ୍ତ ଅଞ୍ଚଳରେ ସ୍ୱରେଜ ବ୍ୟବସ୍ଥା ଲାଗି ତୁରନ୍ତ ଡିପିଆର ପ୍ରସ୍ତୁତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଡିପିଆର ପ୍ରସ୍ତୁତ ପରେ ରାଜ୍ୟ ବଜେଟ୍‍ରେ ଏଥିପାଇଁ ଅର୍ଥ ବରାଦ ହୋଇପାରିବ ।

ତେବେ ଇତି ମଧ୍ୟରେ ଟିପି-୧ ଯୋଜନାରେ ଥିବା ସିଜୁପୁଟ ମୌଜା ଓ ଟିପି-୩ ରେ ଥିବା ପାଇକରାପୁର ମୌଜାରେ ଆନ୍ତଃ ସଡକ ନିର୍ମାଣ କାର୍ଯ୍ୟ ବିଡିଏର ଇଞ୍ଜିନିୟରିଂ ବିଭାଗ ଆରମ୍ଭ କରିଛି । ଟିପି-୪ରେ ଆସୁଥିବା ଗ୍ରାମଗୁଡିକରେ ସଡକ ନିର୍ମାଣ ପାଇଁ ଟେଣ୍ଡର କାର୍ଯ୍ୟ ସମାପ୍ତ ହୋଇଛି ।

ତେବେ ଏହି ଯୋଜନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ରିଙ୍ଗରୋଡ୍‍ କାର୍ଯ୍ୟ ଯଥାଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟିପି ଯୋଜନାରେ ଥିବା ଅଞ୍ଚଳର ସମସ୍ତ ସଡକ ଏହି ରିଙ୍ଗରୋଡ୍‍କୁ ସଂଯୋଗ ହେଉଥିବାବେଳେ ଏହା ନିର୍ମାଣ ପରେ ସହର ଭିତରେ ଟ୍ରାଫିକ ଭିଡ ହ୍ରାସ ପାଇବ । ଆଜିର ଏହି ସମୀକ୍ଷା ବୈଠକରେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ କୁମାର ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । (ତଥ୍ୟ)