Home Infrastructure ରାସ୍ତା ଖୋଳାତଡା ପାଇଁ ଲୋକେ ହନ୍ତସନ୍ତ

ରାସ୍ତା ଖୋଳାତଡା ପାଇଁ ଲୋକେ ହନ୍ତସନ୍ତ

ଭୁବନେଶ୍ୱର : ବିଭିନ୍ନ ସରକାରୀ ସଂସ୍ଥା ମଧ୍ୟରେ ତାଳମେଳ ରହୁନଥିବାରୁ ବିପୁଳ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ରାଜଧାନୀର ଅନେକ ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇ ରହୁଛି । ଗୋଟିଏ ବିଭାଗ ରାସ୍ତା ନିର୍ମାଣ କରି ଚାଲିଗଲା ପରେ ଆଉ ଗୋଟିଏ ବିଭାଗ ବିଭିନ୍ନ କାମ ବାହାନାରେ ସେହି ରାସ୍ତାକୁ ଖୋଳିତାଡି ନଷ୍ଟ କରିଦେଉଛନ୍ତି ଏବଂ ଏହା ମରାମତି ହେବା ପାଇଁ ବର୍ଷ ବର୍ଷ ସମୟ ଲାଗି ଯାଉଛି ।

ଦେଶର ନଗରପାଳିକା ଗୁଡିକ ମଧ୍ୟରେ ଭୁବନେଶ୍ୱରର ସ୍ଥାନ ୧୪୪ରେ ରହିଥିବା ନିକଟରେ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି । ଭୁବନେଶ୍ୱରକୁ ସ୍ମାର୍ଟସିଟି ଘୋଷଣା କରାଯାଇ ଅନେକ ଅର୍ଥ ବିକାଶ ଓ ସୌନ୍ଦର୍ଯ୍ୟକରଣ କାମ ଲାଗି ଖର୍ଚ୍ଚ ଚାଲିଥିବା ବେଳେ ଦେଶର ୧୦୦ଟି ପୌରସଂସ୍ଥା ମଧ୍ୟରେ ଭୁବନେଶ୍ୱର ସ୍ଥାନ ପାଇପାରି ନାହିଁ ।

କିଛିମାସ ତଳେ କାରଗିଲ ରୋଡ୍‍ରୁ ପୁନାମା ଫ୍ଲାଏଓଭର ଦେଇ ନବୀନ ନିବାସ ଛକ ପର୍ଯ୍ୟନ୍ତ ରାସ୍ତାକୁ ଚକମକିଆ କରାଯାଇଥିଲା । ତେବେ ଏହି ରାସ୍ତା କାମ ସରିବାର କିଛିଦିନ ମଧ୍ୟରେ ଭୂତଳ ଡ୍ରେନ ଓ ପାଇପ୍‍ ବିଛାଇବା ଲାଗି ରାସ୍ତାର ବିସ୍ତୃତ ଅଂଶକୁ ତାଡି ଦିଆଯାଇଛି । ପାଇପ୍‍ ବିଛା ଓ ଡ୍ରେନ କାମ ସରିବାର ମାସାଧିକ କାଳ ବିତିଯାଇଥିଲେ ବି ଏହି ବ୍ୟସ୍ତବହୁଳ ରାସ୍ତାଟିର ମରାମତି କରାଯାଇ ପୂର୍ବ ସ୍ଥିତିକୁ ଫେରାଇ ଅଣାଯାଉନାହିଁ । କେବେ ସୁଦ୍ଧା ଏହାର ମରାମତି କାମ ସରିବ ସେ ସଂକ୍ରାନ୍ତରେ କାହା ପାଖରେ କିଛି ତଥ୍ୟ ନାହିଁ ।

ସେହିଭଳି ଜୟଦେବ ବିହାର ଓ ନନ୍ଦନକାନନ ରାସ୍ତାକୁ ସଂଯୋଗ କରୁଥିବା ଲୁମ୍ବିନି ବିହାରଠାରୁ କେୟାର ହସପିଟାଲ ଦେଇ ଓମଫେଡ ଛକ ପର୍ଯ୍ୟନ୍ତ ରାସ୍ତାର ଦୂରବସ୍ଥା । ଏହି ରାସ୍ତାରେ ବି ଭୂତଳ ଡ୍ରେନ କରିବା ପାଇଁ ଅଳ୍ପଦିନ ତଳେ ଚକଚକିଆ କରାଯାଇଥିବା ସଡକକୁ ଜେସିବି ଲଗାଇ ତାଡି ଦିଆଗଲା । ଭୂତଳ ଡ୍ରେନ କାମ ସରିଥିଲେ ମଧ୍ୟ ମାସ ମାସ ଧରି ତଡା ହୋଇଥିବା ରାସ୍ତାଟିର ମରାମତି ହେଉନଥିବାରୁ ବ୍ୟସ୍ତବହୁଳ ଏହି ରାସ୍ତାରେ ଯାନବାହନ ଚଳାଚଳଠାରୁ ଆରମ୍ଭ କରି ସାଧାରଣ ଲୋକେ ଚାଲିକରି ଯିବା ବି କଷ୍ଟକର ହେଉଛି ଏବଂ ଏଥିଯୋଗୁଁ ପ୍ରାୟ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହୁଛନ୍ତି ।

ସେହିଭଳି ନିଳାଦ୍ରୀ ବିହାରର ବୁଦ୍ଧ ପାର୍କ ପାଚେରି କଡରେ ଯାଇଥିବା ରାସ୍ତାରେ ଦୁଇ ଦୁଇଥର ଟାଇଲ ବିଛା କାମ ସରିବା ପରେ ଏହାତଳେ ଉଚ୍ଚ ଶକ୍ତି ସଂପନ୍ନ ଭୂତଳ ବିଦ୍ୟୁତ୍‍ କେବୁଲ ନେବା ପାଇଁ ତାଡି ଦିଆଗଲା । ଏହି ଟାଇଲ ବିଛା ରାସ୍ତାରେ ପୂର୍ବରୁ ଶହ ଶହ ଲୋକ ସକାଳେ ଓ ସଞ୍ଜରେ ଚାଲି ବ୍ୟାୟାମ କରୁଥିଲେ । ଏବେ କିନ୍ତୁ ଏହାର ଅବସ୍ଥା ଅତି ଦୟନୀୟ ।

ସେହିଭଳି ଏହି ରାସ୍ତାକୁ ଅବରୋଧ କରି କିଛି ପ୍ରଭାବଶାଳୀ ବ୍ୟକ୍ତି ଉଚ୍ଚ ପିଣ୍ଡି ନିର୍ମାଣ କରିବା ଫଳରେ ଜଳ ନିଷ୍କାସନ ବ୍ୟାହତ ହେଉଛି । ଉକ୍ତ ଅଞ୍ଚଳରେ କର୍ତ୍ତୃପକ୍ଷ ଡ୍ରେନେଜ କାମ ଅଧାକରି ଛାଡି ଯାଇଛନ୍ତି । ଜୟଦେବ ବିହାରରୁ ମେ’ଫେୟାରକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ତାଡି ଦିଆଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି । ଏହି ଦୁଇ ତିନୋଟି ଘଟଣା କେବଳ ଉଦାହରଣ ମାତ୍ର । ବିଏମସିର ପ୍ରାୟ ସବୁ ୱାର୍ଡରେ ଏମିତି ମାଳ ମାଳ ଅଭିଯୋଗ ।

ଏବେ ଭୁବନେଶ୍ୱରରୁ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ମରଣଯନ୍ତାରେ ପରିଣତ ହୋଇଛି । ରାସ୍ତା ମରାମତି ଓ ନିର୍ମାଣ ଲାଗି କର୍ତ୍ତୃପକ୍ଷ ଏଭଳି ବ୍ୟବସ୍ଥା କରିଛନ୍ତି ଯେ ଯାଆଁଳାରୁ ଏମ୍‍ସ ଛକ ପର୍ଯ୍ୟନ୍ତ ଆସିବା ପାଇଁ ୩-୪ କିଲୋମିଟର ରାସ୍ତାକୁ ଅଧଘଣ୍ଟାରୁ ଦୁଇଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗୁଛି । ମନ୍ଥର ଗତିରେ କାର୍ଯ୍ୟ ଚାଲିବା ଫଳରେ ଏହି ରାସ୍ତା ଅତି ବିପଦଜନକ ଅବସ୍ଥାରେ ଥିବା ଖୋର୍ଦ୍ଧାରୁ ଭୁବନେଶ୍ୱର ପ୍ରାୟ ପ୍ରତିଦିନ ଯାତାୟାତ କରୁଥିବା ଲୋକେ ଅଭିଯୋଗ କରୁଛନ୍ତି । ଏମିତିକି ଏହି ରାସ୍ତାରେ ଆମ୍ବୁଲାନ୍ସଟିଏ ଫସିଗଲେ ମୁକୁଳିବାର ବାଟ ନାହିଁ ।