Home General ରାମଚନ୍ଦ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ରାମଚନ୍ଦ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭଦ୍ରକ : ଦେଶର ଅଗ୍ରଣୀ ହୋଟେଲ ଶିଳ୍ପ ମେ ଫେୟାର ହୋଟେଲ ଗୋଷ୍ଠିର ପରାମର୍ଶଦାତା ସ୍ୱର୍ଗତ ରାମଚନ୍ଦ୍ର ମିଶ୍ରଙ୍କ ଦଶାହ ଅବସରରେ ଆଜି ତାଙ୍କ ପୈତୃକ ଗ୍ରାମ ଧାମନଗର ଅର୍ନ୍ତଗତ ଗୁରୁନଗର ଶାସନଠାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କରୋନା କଟକଣା ମଧ୍ୟରେ ଗ୍ରାମର ଯୁବକମାନେ କ୍ୟାଣ୍ଡେଲ ଜଳାଇ ତାଙ୍କର ପ୍ରିୟ ଟୁଲା କାକାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କର ଅମର ଆତ୍ମାର ସଦ୍‍ଗତି କାମନା କରିଛନ୍ତି ।

ନୋଇଡାରେ ଅବସ୍ଥାପନ କରୁଥିବା ଶ୍ରୀ ମିଶ୍ର ନିଜ ଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଥିଲେ । ବିଶେଷରେ ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଠାରୁ ଆରମ୍ଭକରି କୌଣସି ଧାର୍ମିକ କାର୍ଯ୍ୟରେ ସେ ଆଗଭର ହୋଇ ସହାୟତାର ହାତ ବଢାଉଥିଲେ । ବନ୍ୟା,ବାତ୍ୟା ଆଦି ସମୟରେ ଅନେକଙ୍କୁ ହାତଖୋଲି ସହାୟତା କରୁଥିଲେ ।

ଶ୍ରୀ ମିଶ୍ରଙ୍କ ଅକାଳ ବିୟୋଗରେ ତାଙ୍କ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବାବେଳେ ବୟସ ନିର୍ବିଶେଷରେ ବହୁ ବ୍ୟକ୍ତି ତାଙ୍କର ସ୍ମୃତିଚାରଣ କରିଛନ୍ତି । କରୋନା କଟକଣା ବଳବତ୍ତର ଥିବାରୁ ଶ୍ରୀ ମିଶ୍ରଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ କ୍ୟାଣ୍ଡେଲଟିଏ ଜଳାଇଥିଲେ ।

ଉଲ୍ଲେଖନୀୟ ଯେ ଶ୍ରୀ ମିଶ୍ର କୋଭିଡ ଆକ୍ରାନ୍ତ ହେବାପରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସି ଚିକିତ୍ସିତ ହେଉଥିଲେ । ପତ୍ନୀ ଅନୁପମା ମିଶ୍ର ଓ ପୁତ୍ର ଆଶୁତୋଷ ମିଶ୍ର ଚିକିତ୍ସା ପରେ କରୋନା ମୁକ୍ତ ହୋଇଥିବାବେଳେ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ୱେ ମାତ୍ର ୫୧ବର୍ଷ ବୟସରେ ରାମଚନ୍ଦ୍ର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଶେଷ ସମୟରେ ଅନ୍ୟତମ ପୁତ୍ର ଅଭିଷେକ ମିଶ୍ର ତାଙ୍କ ନିକଟରେ ଉପସ୍ଥିତ ଥିଲେ । ରାମଚନ୍ଦ୍ର ହେଉଛନ୍ତି ଭଦ୍ରକର ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ମିଶ୍ରଙ୍କ ସାନ ଭାଇ ।