Home Finance ରାଜ୍ୟ ଋଣ ବୋଝ କେନ୍ଦ୍ର ତୁଳନାରେ କମ୍‍

ରାଜ୍ୟ ଋଣ ବୋଝ କେନ୍ଦ୍ର ତୁଳନାରେ କମ୍‍

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ତୁଳନାରେ ଓଡ଼ିଶା ସରକାରଙ୍କ ଋଣ ବୋଝ ପରିମାଣ କମ୍‍ ରହିଛି । ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତ ସରକାରଙ୍କ ଋଣବୋଝ ୧୫୫ଲକ୍ଷ କୋଟି ଟଙ୍କାକୁ ଟପିଥିବାବେଳେ ଗତ ଜୁଲାଇ ଶେଷ ସୁଦ୍ଧା ଓଡ଼ିଶା ସରକାରଙ୍କ ଋଣ ବୋଝର ପରିମାଣ ୯୦ହଜାର କୋଟି ଟଙ୍କାରୁ କମ୍‍ ରହିଛି ।

ଓଡ଼ିଶା ସରକାରଙ୍କ ତଥ୍ୟ ମୁତାବକ ୨୦୨୩ ଜୁଲାଇ ଶେଷ ସୁଦ୍ଧା ଋଣବୋଝ ୮୮, ୪୮୭ କୋଟି ୧୧ଲକ୍ଷ ଟଙ୍କା ରହିଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ବୋଝ ୧ଲକ୍ଷ କୋଟି ଟଙ୍କାକୁ ଟପିବ ନାହିଁ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଏହି ସମୟ ଶେଷ ସୁଦ୍ଧା ଭାରତ ସରକାରଙ୍କ ଋଣ ବୋଝ ୧୭୨ଲକ୍ଷ କୋଟି ଟଙ୍କା ହୋଇପାରେ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।

ଓଡ଼ିଶା ସରକାର ଯେତେ ଋଣ କରିଛନ୍ତି ତାହାର ପ୍ରାୟ ଏକ ଚତୁର୍ଥାଶଂ ଅଣାଯାଇଛି ଭବିଷ୍ୟନିଧି ପାଣ୍ଠିରୁ । ଗତ ଜୁଲାଇ ଶେଷ ସୁଦ୍ଧା ରାଜ୍ୟ ସରକାର ଭବିଷ୍ୟନିଧି ପାଣ୍ଠିକୁ ପଇଠ କରିବା ପାଇଁ ଥିବା ଋଣ ବାବଦ ଦେୟର ପରିମାଣ ୨୩,୨୫୪କୋଟି ବୋଲି ହିସାବ କରାଯାଇଛି । ଏହି ସମୟସୁଦ୍ଧା କେନ୍ଦ୍ର ସରକାରଙ୍କୁ ଓଡ଼ିଶା ଋଣ ବାବଦରେ ପ୍ରାୟ ୨୧, ୩୬୫ କୋଟି ଟଙ୍କା ପରିଶୋଧ କରିବାକୁ ଥିବାବେଳେ ନାବାର୍ଡକୁ ୧୮, ୦୧୫ କୋଟି ଓ ଜାତୀୟ ସ୍ୱଳ୍ପ ସଞ୍ଚୟ ପାଣ୍ଠିକୁ ପ୍ରାୟ ୫୪୬୬ କୋଟି ଟଙ୍କା ଫେରାଇବାକୁ ଥିଲା । ଏହାଛଡ଼ା ରାଜ୍ୟ ସରକାରଙ୍କ ଉପରେ ଖୋଲା ବଜାରରୁ ଉଠାଇଥିବା ଋଣ ବାବଦ ବକେୟା ପରିଶୋଧ ଏହି ସମୟ ସୁଦ୍ଧା ୧୯, ୫୫୮ କୋଟି ଟଙ୍କା ଥିବା ଜଣାପଡିଛି ।

ଏଠାରେ ଉଲ୍ଲେଖନୀୟ ଯେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ମାସରେ ଓଡ଼ିଶା ସରକାର ପ୍ରାୟ ୩ଶହ କୋଟି ଟଙ୍କା ଋଣ ଉଠାଇଛନ୍ତି । ୨୦୨୩ ଏପ୍ରିଲ ପହିଲା ସୁଦ୍ଧା ଓଡ଼ିଶାର ଋଣ ବୋଝ ୮୮, ୧୬୪ କୋଟି ୮୨ଲକ୍ଷ ଟଙ୍କା ଥିବାବେଳେ ଜୁଲାଇ ମାସ ଶେଷ ସୁଦ୍ଧା ଏହା ୮୮, ୪୮୭ କୋଟି ୧୧ଲକ୍ଷ ଟଙ୍କାରେ ପହଞ୍ôଚଛି ।

କେନ୍ଦ୍ର ସରକାରଙ୍କ ଋଣର ପରିମାଣ ଜାତୀୟ ଜିଡିପିର ୫୦ ପ୍ରତିଶତକୁ ଟପି ଯାଇଥିବାବେଳେ ରାଜ୍ୟ ସରକାରଙ୍କର ଋଣ ପରିମାଣ ଏଫ୍‍ଆର୍‍ବିଏମ୍‍ ଆଇନର ପରିସର ମଧ୍ୟରେ ଜିଡିପିର ୨୦ ପ୍ରତିଶତ ତଳକୁ ରହୁଛି ।

ଭାରତର ଋଣବୋଝ ମୁଣ୍ଡପିଛା ହାରାହାରି ୧ଲକ୍ଷ କୋଟି ଟଙ୍କାକୁ ଟପି ସାରିଥିବାବେଳେ ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ଋଣ ବୋଝ ମୁଣ୍ଡପିଛା ହାରାହାରି ୨୦ହଜାର ଟଙ୍କାରୁ କମ୍‍ ରହୁଛି । ତେବେ ଗତ ୨୫ବର୍ଷ ମଧ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଋଣ ପରିମାଣ ବଢିଛି ।

୨୦୦୦ ମସିହା ବେଳକୁ ଓଡ଼ିଶାର ଋଣ ବୋଝ ୨୦ହଜାର କୋଟି ଟଙ୍କାରୁ କମ୍‍ ଥିବାବେଳେ ଏବେ ତାହା ୮୮ହଜାର କୋଟି ଟଙ୍କାରୁ ଅଧିକ ହେଲାଣି । ଅନ୍ୟପକ୍ଷରେ ୨୦୧୪ ବେଳକୁ ଭାରତର ଋଣ ବୋଝ ପରିମାଣ ପ୍ରାୟ ୫୫ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୯ ବର୍ଷରେ ପ୍ରାୟ ୧୦୦ଲକ୍ଷ କୋଟି ଟଙ୍କା ବଢିଛି ।

ଅନ୍ୟ ବହୁ ରାଜ୍ୟ ତୁଳନାରେ ଓଡ଼ିଶାର ମୁଣ୍ଡପିଛା ଋଣ ଓ ଜିଡିପି ଅନୁପାତରେ ଋଣ ହାର ମଧ୍ୟ ଢେର୍‍ କମ୍‍ ରହିଛି । ଅର୍ଥନୀତି ବିଶେଷଜ୍ଞମାନେ କହୁଛନ୍ତି ଯେ ଗତ ୧୦ବର୍ଷ ଭିତରେ ଓଡ଼ିଶାର ଖଣି ଓ ଅବକାରୀ ରାଜସ୍ୱ ପରିମାଣ ଢେର୍‍ ବଢିଛି । ଏହାଛଡ଼ା ଜିଏସ୍‍ଟିରୁ ମଧ୍ୟ ରାଜ୍ୟ ବେଶ୍‍ ଲାଭ ଉଠାଉଛି ।

ଗତ କିଛିବର୍ଷ ଧରି ଓଡ଼ିଶା ରାଜସ୍ୱ ବଳକା ରାଜ୍ୟ ଭାବେ ନିଜର ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିବା ସହିତ ରାଜକୋଷର ପରିଚାଳନା ପାଇଁ ଆଉ ଓଭରଡ୍ରାଫ୍ଟ କରୁନାହିଁ । ସେହିଭଳି ରାଜ୍ୟର ଆର୍ଥିକ ନିଅଣ୍ଟ ହାର ମଧ୍ୟ ଗତ ଦୁଇ ଦଶନ୍ଧି ଭିତରେ ଢେର୍‍ କମିଥିବା ବିଭାଗୀୟ ବରିଷ୍ଠ ଅଧିକାରୀମାନେ କହୁଛନ୍ତି । (ତଥ୍ୟ)